ବୁଲୁବୁଲକୁ ନେଇ ଆତଙ୍କିତ ନଈକୂଳିଆ, ଉଜୁଡିବ ଶହଶହ ହେକ୍ଟର ପାଚିଲା ଧାନ ଋଣ ପରିଷୋଧ ନେଇ ଚିନ୍ତାରେ ଚାଷୀ

ଆରଡି: ସାମ୍ଭାବ୍ୟ ବାତ୍ୟା ବୁଲୁବୁଲ ପ୍ରଭାବରେ ଶୁକ୍ରବାର ଠାରୁ ଭଦ୍ରକ ଜିଲାର ଉପକୂଳବର୍ତ୍ତୀ ଅର୍ଥାତ ଚାନ୍ଦବାଲି ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗି ରହିବା ସହ ୪୦/୫୦କିମି ବେଗରେ ପବନ ବହିବାରେ ଲାଗିଛି। ଯାହାକୁ ନେଇ ପ୍ରବାହିତ ହେଉଥିବା ବୈତରଣୀ, ସାଳନ୍ଦୀ ଓ ମନ୍ତେଇ ନଦୀର ତଟବର୍ତ୍ତୀ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି। ନିକଟରେ ବାତ୍ୟା ଫନି ଘଟାଇଥିବା ବହୁ କ୍ଷତି ମନରୁ ଲିଭିନଥିବା ବେଳେ ଏବେ ଘୂର୍ଣ୍ଣିଝଡ ବୁଲୁବୁଲ ଶୁକ୍ରବାର ଠାରୁ ଧିରେଧିରେ କାୟା ବିସ୍ତାର କରିବାର ଲାଗିଛି। ଅନ୍ୟପଟେ ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ଯଦି ଉପର ମୁଣ୍ଡରେ ବର୍ଷା ଲାଗି ରହେ ତାହାଲେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଏଡାଇ ଦିଆଯାଇ ପାରିବ ନାହିଁ ବୋଲି ନଈକୂଳିଆବାସୀମାନେ ପ୍ରକାଶ କରିଛନ୍ତି। ବିଶେଷକରି ପାଣିପାଗର ସୂଚନା ଅନୁଯାୟୀ ସାମ୍ଭାବ୍ୟ ବାତ୍ୟା ପ୍ରଭାବରେ ଭଦ୍ରକ ଜିଲାରେ ଅଧିକ ପବନ ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସାଧାରଣ ଲୋକଙ୍କ ଠାରୁ ଚାଷୀମାନଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି। ମାତ୍ର ଆଉ ଦିନ କେଇଟା ପରେ ଏ ଅଞ୍ଚଳର ଚାଷୀମାନେ ନିଜ ନିଜର କ୍ଷତରୁ ପାଚିଲା ଧାନ ଅମଳ କରିଥାନ୍ତେ ହେଲେ ସାମ୍ଭାବ୍ୟ ବାତ୍ୟା ବୁଲୁବୁଲ ପ୍ରଭାବରେ ବର୍ଷା ପବନ ଲାଗି ରହିବା ଦ୍ୱାରା କ୍ଷତରେ ଅମଳ ହେବାକୁ ଥିବା ପାଚିଲା ଧାନ ଲୋଟିବାରେ ଲାଗିଛି। ଯାହାକୁ ନେଇ ଚାଷୀକୂଳ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି। ଏପରିକି ବହୁ ଚାଷୀ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି ଚାଷ କରିଥିଲେ ଏବେ ସାମ୍ଭବ୍ୟ ବାତ୍ୟା ବୁଲୁବୁଲ ଯଦି କ୍ଷତି ଘଟାଏ ତାହାଲେ କିପରି ଋଣ ପରିଷୋଧ କରିବେ ସେଥିପାଇଁ ଚିନ୍ତାରେ ବସିଛି ଚାଷୀକୂଳ। ସେପଟେ ଜିଲା ପ୍ରଶାସନ ପକ୍ଷରୁ ଶନିବାର ସମସ୍ତ ସ୍କୁଲ , ଅଙ୍ଗନବାଡି ଓ ମହାବିଦ୍ୟାଳୟ ଗୁଡିକ ବନ୍ଦ କରାଯିବା ସହିତ ସମସ୍ତ ସରକାରୀ କର୍ମଚାରିଙ୍କ ଛୁଟିକୁ ବାତିଲ କରିଦିଆଯାଇଛି। ଏପରିକି ଉପକୂଳବର୍ତ୍ତି ଅଞ୍ଚଳରେ ସଜାଗ ରହିବା ସହ ନଈକୂଳିଆ ଅଞ୍ଚଳ କଡା ନଜର ରଖିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଜିଲାପାଳ। ହେଲେ ବୈତରଣୀ ଓ ସାଳନ୍ଦୀ ନଦୀରେ ଅନେକ ସ୍ଥାନରେ ନଦୀବନ୍ଧ ଦୃବଳ ରହିଥିବା ବେଳେ ନିକଟରେ ଲଗାଣ ବର୍ଷାରେ ବୈତରଣୀ ନଦୀର ମୁଆଁ ଓ ବୋଡକ ଠାରେ ସୁରକ୍ଷାବନ୍ଧ ଧସିଥିବାରୁ ସେଠାରେ କାମଚଳା ମରାମତି ହୋଇଥିବାରୁ ସେଠାରେ ଏବେ ବିପଦ ଦେଖା ଦେଇଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି।

Comments are closed.