ଚିକିତ୍ସା ପାଇଁ ଅର୍ଥବାଧକ

ବେଗୁନିଆ  : ଅଢ଼େଇ ବର୍ଷର ଶିଶୁ ଦେବବ୍ରତ। ଜନ୍ମରୁ ଦୃଷ୍ଟିଶକ୍ତି ନାହିଁ। ଦୁନିଆ ଦେଖିବା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି। ଚିକିତ୍ସା ପାଇଁ ଦିନ ମଜୁରିଆ ବାପା ସମସ୍ତ ସମ୍ବଳ ଲଗାଇ ଦେଇଥିଲେ ହେଁ ଆହୁରି ଅଧିକ ଟଙ୍କା ଦରକାର। ପୁଅର ଚକ୍ଷୁ ଅପରେସନ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କେହି ଦୃଷ୍ଟି ଦେଉନାହାନ୍ତି। ଫଳରେ ବାପା ରଘୁନାଥ ବେହେରା ମୁଣ୍ଡରେ ହାତଦେଇ ବସିଛନ୍ତି। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତ ଅନ୍ତର୍ଗତ ବାଘମାରୀ ବ୍ରାହ୍ମଣ ସାହିରେ ରହୁଥିବା ଗରିବ ଶ୍ରେଣୀର ଅଧିବାସୀ ରଘୁନାଥଙ୍କ ପାଖରେ ଯେପରି ସରକାରଙ୍କ ସହାୟତା ଅପହଞ୍ଚ ହୋଇପଡ଼ିଛି।
ଚାଳଛପର କୁଡ଼ିଆ ଘରେ ରଘୁନାଥ ତାଙ୍କର ପତ୍ନୀ, ୬ବର୍ଷର ଝିଅ ଓ ପୁଅ ଦେବବ୍ରତ ରହନ୍ତି। ତାଙ୍କୁ ଅଦ୍ୟାବଧି ସରକାରୀ ଯୋଜନାରେ ପକ୍କା ଘରଟିଏ ମିଳିନାହିଁ। ଜନ୍ମରୁ ଦେବବ୍ରତର ଦୃଷ୍ଟିଶକ୍ତି ନଥିବାରୁ ଧାରକରଜ କରି ଚିକିତ୍ସା ନିମନ୍ତେ ରଘୁନାଥ ଖୋର୍ଦ୍ଧା ଓ ଭୁବନେଶ୍ବର ଯାଇଥିଲେ। ଏକ ଘରୋଇ ଡାକ୍ତରଖାନାରେ ଦେଖାଇବା ପରେ ଅପରେସନ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଦୁଇଟି ଆଖିର ଅପରେସନ ଏବଂ ଲେନ୍ସ ଲଗାଇବା ପାଇଁ ପ୍ରାୟ ୧ ଲକ୍ଷ ୫୦ହଜାର ଟଙ୍କା ଦରକାର। ହେଲେ ଏତେ ଟଙ୍କା ଯୋଗାଡ଼ କରିବା ରଘୁନାଥଙ୍କ ପକ୍ଷେ ସମ୍ଭବପର ହୋଇପାରୁନାହିଁ।
ପୁଅକୁ ଦେଢ଼ବର୍ଷ ହୋଇଥିବା​‌ବେଳେ ରଘୁନାଥ ଗତ ଫେବୃଆରୀ ୨୬, ୨୦୧୮ରେ ରାଜ୍ୟପାଳ, ଜିଲାପାଳଙ୍କୁ ରେଡକ୍ରସ୍‌ରୁ ୧ ଲକ୍ଷ ଟଙ୍କା ସାହାଯ୍ୟ ପାଇଁ ନିବେଦନ କରିଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଇନାହିଁ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ସହାୟତା ନିମନ୍ତେ ସେ ଆବେଦନ କରିଥିଲେ ହେଁ ଅଦ୍ୟାବଧି କିଛି ପଦକ୍ଷେପ ନିଆଯାଇନାହିଁ।
ଏପରିକି ତାଙ୍କ ନିକଟରେ ଥିବା ବିଜୁ କୃଷକ କଲ୍ୟାଣ କାର୍ଡରେ ଅପରେସନ ହୋଇପାରିବ ନାହିଁ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ମନା କରିଦେଇଥିବାବେଳେ ଗତବର୍ଷ ଡିସେମ୍ବର ୧୨ରେ ପୁଅର ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଅନଲାଇନରେ ଆବେଦନ କରି ବେଗୁନିଆ ବ୍ଲକରେ ହେଉଥିବା ଭିନ୍ନକ୍ଷମ ଶିବିରରେ ଅବଗତ କରାଇଥିଲେ। ହେଲେ ତାହା ମଧ୍ୟ ମିଳିନାହିଁ। ଫଳରେ ରଘୁନାଥ ନିରୂପାୟ ହୋଇ ଭଗବାନଙ୍କ ଉପରେ ଭରସା କରି ପୁଅର ଦୃଷ୍ଟିଶକ୍ତି କେବେ ଫେରିବ ଏବଂ ସେ ଦୁନିଆକୁ ଦେଖିବ ସେହି ଦିନକୁ ସେ ଚାହିଁ ବସିଛନ୍ତି। ତେଣୁ କୌଣସି ସହୃଦୟ ବ୍ୟକ୍ତି ଅବା ଅନୁଷ୍ଠାନ ରଘୁନାଥଙ୍କୁ ସହଯୋଗର ହାତ ବଢ଼ାଇବାକୁ ଚାହଁୁଥିଲେ ତାଙ୍କୁ ୯୦୭୮୭୮୫୬୦୧ ନମ୍ବରରେ ଯୋଗାଯୋଗ କରିପାରିବେ।

Comments are closed.