ଆବାସ ଦୁର୍ନୀତି ତଦନ୍ତ ପାଇଁ ଯାଇଥିବା ଉପଜିଲାପାଳଙ୍କୁ ଦୀର୍ଘ ଘଣ୍ଟା ଧରି ଅଟକ ରଖିଲେ ମହିଳା

ବଲାଙ୍ଗୀର: ବଲାଙ୍ଗୀର ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ଅନିୟମିତତା କରାଯାଇଥିବା ନେଇ ଅଭିଯୋଗ ହୋଇଆସୁଛି। ଆଗଲପୁର ବ୍ଲକ ମୁରସୁଣ ପଞ୍ଚାୟତ ଆବାସ ଦୁର୍ନୀତିର ଗନ୍ତାଘର ସାଜିଥିବା ବେଳେ ଅନେକ ଧନୀଲୋକ, ସରକାରୀ ଚାକିରିଆଙ୍କ ପରିବାର ଲୋକଙ୍କୁ ଘର ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଜିଲାପାଳଙ୍କ ପାଖରେ ଅଭିଯୋଗ ହେବା ପରେ ଉପଜିଲାପାଳଙ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଗୁରୁବାର ଉପଜିଲାପାଳ ତଦନ୍ତ ପାଇଁ ଯାଇଥିବା ବେଳେ ମହିଳା ମାନେ ତାଙ୍କୁ ଅଟକ ରଖିବା ଆଲୋଚନାର ବିଷୟ ପାଲଟିଛି।ତେବେ ମହିଳା ମାନଙ୍କ ଦ୍ୱାରା ଉପଜିଲାପାଳ ଦୀର୍ଘ ସମୟ ଧରି ଅଟକ ରହିଥିବା ବେଳେ ବେଶ ହଟହଟା ହୋଇଥିବା ଜଣାପଡିଛି।
ଅଭିଯୋଗ ଅନୁସାରେ ଆଗଲପୁର ବ୍ଲକ ମୁରସୁଣ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି।ଏହି ପଞ୍ଚାୟତର ହରିଶଙ୍କର ଝାଙ୍କର ନାମକ ଜନୈକ ହିତାଧିକାରୀ ଆଉ ଜଣଙ୍କର ଘରକୁ ଦେଖାଇ ଆବାସ ଯୋଜନା ଟଙ୍କା ପାଇଥିବା ବେଳେ ରବୀନ୍ଦ୍ର ସାହୁ ଘର ତିଆରି ନକରି ଯୋଜନା ଟଙ୍କା ତାଙ୍କ ନାଁରେ ଉଠାଯାଇଥିବା ମହିଳା ମାନେ ଅଭିଯୋଗ ଆଣିଛନ୍ତି। ସେହିପରି ନିଳମଣୀ ନାଏକ, ବିପିନ ସେଠ ଓ ସୂର୍ୟ୍ୟମଣି ସେଠଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଉଭୟଙ୍କ ପୁଅ ମାନେ ଅବିବାହିତ ଓ ସରକାରୀ ଚାକିରିଆ ହୋଇଥିବା ସତ୍ୱେ କିଭଳି ଏହି ଯୋଜନାରେ ସାମିଲ କରାଯାଇଛି ବୋଲି ମହିଳା ମାନେ ପ୍ରଶ୍ନ ଉଠାଇଛନ୍ତି। ନିଳମଣୀ ନାଏକ ପୂର୍ବରୁ ମଧ୍ୟ ଘର ପାଇ ମଧ୍ୟ ସଂପୂର୍ଣ୍ଣ କରିନଥିଲେ। ତାଙ୍କୁ ଦ୍ୱିତୀୟ ଥର ପାଇଁ କିପରି ଦିଆଯାଇଛି ତାହା ମଧ୍ୟ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମହିଳା ମାନେ ଦାବି କରିଥିଲେ। ଏହି ପଞ୍ଚାୟତର ଆଉ ଜଣେ ହିତାଧିକାରୀ ସାଧୁ ବରିହା ଓ ରଏବାରୀ ବରିହାଙ୍କ ନାଁରେ ଆସିଥିବା ଘରର ଛାତ ପକାଯାଇନଥିବା ବେଳେ ତାଙ୍କର ମଧ୍ୟ ଫାଇନାଲ ବିଲ ଟଙ୍କା ଉଠିଥିବା ଜଣାପଡିଛି। ପଞ୍ଚାୟତରେ ଅନେକ ଗରିବ ହିତାଧିକାରୀ ରହିଥିବା ବେଳେ ସେମାନଙ୍କୁ ଘର ଦିଆନଯାଇ ଧନୀ ଲୋକଙ୍କ ଠାରୁ ପିସି ନେଇ ଆବାସ ଘର ପ୍ରଦାନ କରାଯାଉଥିବା ମହିଳା ମାନେ ଅଭିଯୋଗ କରିଛନ୍ତି। ଏନେଇ ମହିଳା ମାନେ ଗତ କିଛି ଦିନ ତଲେ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣା ବିଷୟରେ ଜିଲାପାଳଙ୍କ ଠାରେ ମଧ୍ୟ ପଞ୍ଚାୟତର ୱାର୍ଡସଭ୍ୟା ଜମ୍ବୋବତୀ ପଧାନ ମହିଳା ମାନଙ୍କ ସହ ଜିଲାପାଳଙ୍କୁ ଗତ ଅକ୍ଟୋବର ୧୧ ତାରିଖରେ ଅଭିଯୋଗ କରିଥିଲେ। ଏହାର ଏକ ବିଧୀବଦ୍ଧ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲାପାଳ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତଦନ୍ତ ସଙ୍ଗେ ସଙ୍ଗେ କରି ପ୍ରାୟ ମାସେ ପରେ ଉପଜିଲାପାଳ ଏହି ଘଟଣାର ତଦନ୍ତ ପାଇଁ ଗୁରୁବାର ଗାଁରେ ପହଞ୍ଚିଥିଲେ। ତଦନ୍ତରେ ବିଲମ୍ବ ଯୋଗୁ ମହିଳା ମାନେ ଅସନ୍ତୋଷ ପ୍ରକାଶ କରି ଉପଜିଲାପାଳଙ୍କୁ ଘେରି ଯାଇଥିଲେ। ଏହି ସମୟରେ ଉପଜିଲାପାଳ ମହିଳା ମାନଙ୍କୁ ଦୁର୍ବ୍ୟବହାର ଦେଖାଇଥିବା ନେଇ ମଧ୍ୟ ମହିଳା ମାନେ ଅଭିଯୋଗ ଆଣିଥିଲେ। ପରେ ତାଙ୍କୁ ଗାଁର ନୃସିଂହ ମନ୍ଦିର ଠାରେ ଦୀର୍ଘ ଘଣ୍ଟା ଧରି ମହିଳା ମାନେ ଅଟକ ରଖିଥିଲେ। ଏହି ଦୁର୍ନୀରେ ଲିପ୍ତ ଥିବା ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ଓ ଜିଓଟେଗ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରିବା ପାଇଁ ମହିଳା ମାନେ ଦାବି କରିଛନ୍ତି। ଲୋଇସିଂହା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ମାନଙ୍କୁ ବୁଝାସୁଝା କରିବା ସତ୍ୱେ ସେମାନେ ନିଜ ଜିଦରେ ଅଟଲ ଥିବା ଜଣାପଡିଛି। ଖବର ଲେଖା ହେବା ପର୍ୟ୍ୟନ୍ତ ବଲାଙ୍ଗିର ଉପଜିଲାପାଳ ସଞ୍ଜୟ ମିଶ୍ର ମହିଳା ମାନଙ୍କ ଦ୍ୱାରା ଅଟକ ଥିବା ସୂଚନା ରହିଛି।

Comments are closed.