ମୋ ସରକାରକୁ ଉପହାସ ! ରାସ୍ତାକଡରେ ଶୋଇଲେ ଏଡସ ରୋଗୀ, ଚିକିତ୍ସାରେ ଅବହେଳା ଅଭିଯୋଗ

ମିଳିଲାନି ଉତ୍ତମ ଚିକିତ୍ସା, ଡାକ୍ତରଖାନାରୁ ଆଣି ଜିଲାପାଳ ଅଫିସ ସମ୍ମୁଖରେ ରୋଗୀଙ୍କୁ ସୁଆଇଲେ ମା

ବଲାଙ୍ଗୀର: ଉତ୍ତମ ସେବା ଯୋଗାଇଦେବା ପାଇଁ ରାଜ୍ୟରେ ଲାଗୁ ହୋଇଛି ମୋ ସରକାର ଯୋଜନା। ଯେମିତି ସମସ୍ତ ରୋଗୀ ବିନା କୈାଣସି ପାତରଅନ୍ତରରେ ସରକାରୀ ଡାକ୍ତରଖାନା ମାନଙ୍କରେ ସେବା ପାଇବେ ସେଥିପ୍ରତି କର୍ମଚାରୀ ମାନଙ୍କୁ ସଚେତନ କରାଯାଇଛି। କିନ୍ତୁ ବଲାଙ୍ଗୀର ଜିଲାପାଳ ଅଫିସ ସମ୍ମୁଖରେ ଗୁରୁବାର ଏପରି ଏକ ଦୃଶ୍ୟ ଦେଖିବାକୁ ମିଲିଥିଲା ଯାହାକି ଏହି ସବୁ ଯୋଜନାକୁ ଅଡୁଆରେ ପକାଇଛି। ଡାକ୍ତରଖାନା ବେଡ ବଦଳରେ ଜନୈକା ଏଚଆଇଭି ସଂକ୍ରମିତ ରୋଗୀ ଜିଲାପାଳ ଅଫିସ ସମ୍ମୁଖରେ ରାସ୍ତାକଡରେ ଶୋଇଥିବା ବେଳେ ତାଙ୍କ ନିକଟରେ ନାବାଳକ ପୁଅ ଓ ମା ବସି ରହିଥିଲେ। କାରଣ ବୁଝୁ ବୁଝୁ ଜଣାପଡିଲା ରୋଗୀଙ୍କୁ ଡାକ୍ତରଖାନାରେ ଉଚିତ ସମ୍ମାନ ଓ ସେବା ନ ମିଳିବାରୁ ରୋଗୀଙ୍କୁ ନେଇ ତାଙ୍କ ମା ଜିଲାପାଳଙ୍କୁ ଗୁହାରୀ କରିବାକୁ ଆସିଥିଲେ। ଉକ୍ତ ରାସ୍ତା ଦେଇ ନିଜେ ଭାରାପ୍ରାପ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ଚାଲି ଚାଲି ଜିଲାପାଳ ଭିଡିଓ କନଫରେନସିଂ କକ୍ଷକୁ ଯାଇଥିଲେ କିନ୍ତୁ ଆଡ ଆଖିରେ ଚାହିଁନଥିଲେ। ଏହି ଘଟଣା ହିଁ ସ୍ପଷ୍ଟ କରୁଛି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ କିପରି ଚାଲିଛି ମୋ ସରକାର ଯୋଜନା।
ଜିଲାପାଳ ଅଫିସ କାର୍ୟ୍ୟାଳୟ ସାମ୍ନାରେ ଯାଇଥିବା ରାସ୍ତାକଡରେ ଜଣେ ମହିଳା ଦୀର୍ଘ ସମୟ ଧରି ଶୋଇରହିଥିଲେ। ପାଖରେ ବସିଥିଲେ ତାଙ୍କର ଜଣେ ନାବାଳକ ପୁଅ। ଅନ୍ୟଜଣେ ମହିଳା ମୋବାଇଲରେ ତାଙ୍କ ଝିଅର ଚିକିତ୍ସା ପାଇଁ କାହାକୁ ଅନୁରୋଧ କରୁଥିବା ଦେଖିବାକୁ ମିଲିଥିଲା। ଏଭଳି ଏକ ଅଭାବନୀୟ ଘଟଣା ବିଷୟରେ ବୁଝୁ ବୁଝୁ ଜଣାପଡିଲା ରାସ୍ତାକଡରେ ଶୋଇଥିବା ମହିଳା ଜଣକ ହେଉଛନ୍ତି ଜଣେ ଏଚଆଇଭି ସଂକ୍ରମିତ ରୋଗୀ। ରୋଗୀ ଜଣକ ବଲାଙ୍ଗୀର ଜିଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବଡମାଲ ଗାଁର ହୋଇଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ତାଙ୍କର ମା ଗତ ମାସେ ହେଲା ହଇରାଣ ହେଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଗତ ଅକ୍ଟୋବର ମାସ ୭ ତାରିଖରେ ସଂପୃକ୍ତା ରୋଗୀଙ୍କ ପେଟରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥିଲା। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତୀ କରାଯାଇ ପରୀକ୍ଷା କରାଯାଇଥିଲା। ପେଟରେ ତାଙ୍କ ଟ୍ୟୁମର ଥିବା ଜଣାପଡିଥିବା ବେଳେ ତାଙ୍କୁ ଟିବି ରୋଗ ଥିବା ମଧ୍ୟ ଜଣାପଡିଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଟିବି ୱାର୍ଡରେ ଭର୍ତ୍ତି କରି ଅପରେସନ କରାଯିବ ବୋଲି ୧୯ ତାରିଖ ପର୍ୟ୍ୟନ୍ତ ରଖାଯାଇଥିଲା। ୧୫ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ତାଙ୍କୁ ଖାଇବାକୁ ଦିଆନଯାଇ କେବଳ ସାଲାଇନ ଦିଆଯାଇଥିଲା।ଫଳରେ ସେ ଆତ୍ୟନ୍ତ ଗୁରୁତର ହୋଇଥିବା ବେଳେ ତାଙ୍କ ମା ତାଙ୍କୁ ବୁର୍ଲା ଡାକ୍ତରଖାନା କୁ ନେଇଥିଲେ। ବୁର୍ଲାରେ ମଧ୍ୟ ସାତ ଦିନ ତାଙ୍କୁ ଭର୍ତ୍ତି କରିଥିଲେ ସିନା ଅପରେସନ କରାଯାଇନଥିଲା। ପରେ ସେ ତାଙ୍କ ଏଚଆଇଭି ସଂକ୍ରମିତ ଝିଅଙ୍କୁ ଆଣି ବଲାଙ୍ଗିରରେ ପୁଣି ଭର୍ତ୍ତି କରିଥିଲେ।

ଦ୍ୱିତୀୟ ଥର ପାଇଁ ଭର୍ତ୍ତୀ କରିବା ସମୟରେ ରୋଗୀ ଜଣକ ଏଚଆଇଭି ସଂକ୍ରମିତ ରୋଗୀ ବୋଲି ଜାଣିବା ପାଇଁ ଡାକ୍ତରଖାନା କର୍ମଚାରୀ ମାନେ ତାଙ୍କୁ ସେବା କରିବା ବଦଳରେ ହତାଦର କରିବା ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ପରେ ତାଙ୍କ ଝିଅ ଭଲ ହୋଇଯାଇଥିବା କହି ଡାକ୍ତରଖାନାରୁ ଡିସଚାର୍ଜ କରିଥିଲେ। ବୃଦ୍ଧା ମା ଜଣକ ଝିଅ କୁ ନେଇ ଘରକୁ ଯାଇଥିବା ବେଳେ ଗତ ୨୭ ତାରିଖରେ ପୁଣି ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ଆଣିଥିଲେ। ପୁଣି କିଛି ଦିନ ରଖିବା ପରେ ଗତ ଦୁଇ ଦିନ ତଳେ ଡାକ୍ତରଖାନାରୁ ଡିସଚାର୍ଜ କରିଥିଲେ। ବୁଧବାର ଚିକିତ୍ସା ଓ ସହାୟତା ପାଇଁ ରୋଗୀଙ୍କ ମା ସିଡିଏମଓ ଅଫିସକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ବୁଝାସୁଝା କରି ରୋଗୀକୁ ଡାକ୍ତରଖାନା ଭର୍ତ୍ତି କରାଇଥିଲେ। ତେବେ ରୋଗୀଙ୍କୁ ଠିକ ଭାବେ ସେବା କରାଯାଉନଥିବା ଓ ତାଙ୍କୁ ବିଭିନ୍ନ ପ୍ରକାର ମାନସିକ ନିର୍ୟ୍ୟାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ମା। ଏପରିକି ଡାକ୍ତରଖାନାର ଜଣେ ଅଧିକାରୀ କିଛି ଟଙ୍କା ନେଇ ବୁର୍ଲା ଯାଅ ନହେଲେ ତାଙ୍କୁ କୈାଣସି ପ୍ରକାର ସରକାରୀ ସହାୟତା କରାଇଦିଆଯିବ ନାହିଁ ବୋଲି ଧମକ ଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଫଳରେ ସେ ନିଜ ଝିଅର ଚିକିତ୍ସା ଓ ସହାୟତା ପାଇଁ ଜିଲାପାଳ ଅଫିସକୁ ଆସିଥିବା ସେ ପ୍ରକାଶ କରିଥିଲେ। ଏପରିକି ତାଙ୍କ ଜ୍ୱାଇଁ, ଓ ଦୁଇ ନାତି ମଧ୍ୟ ଏହି ରୋଗରେ ଆକ୍ରାନ୍ତ ଥିବା ସେ ପ୍ରକାଶ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଡିପିଏମ ରାଜେନ୍ଦ୍ର ମହାରଣା ପହଞ୍ଚି ରୋଗୀଙ୍କ ମା ସହିତ ଆଲୋଚନା କରିଥିବା ବେଳେ ଏଥିପାଇଁ ସେ ମଧ୍ୟ ଦାୟୀ ବୋଲି କହିଥିଲେ। ତେବେ ଡିପିଏମ ଶ୍ରୀ ମହାରଣାଙ୍କ କହିବା ଅନୁସାରେ ରୋଗୀଙ୍କ ବ୍ୟବସ୍ଥା ପାଇଁ ସବୁପ୍ରକାର ଚେଷ୍ଟା କରାଯାଉଥିବା ବେଳେ ତାଙ୍କ ମା ଅଯଥା ସମସ୍ୟା ସୃଷ୍ଟି କରି ସେଠାରୁ ଚାଲିଆସିଥିବା କହିଛନ୍ତି। ତେବେ ବିନା କୈାଣସି ଡିସଚାର୍ଜରେ ଜଣେ ବୃଦ୍ଧା ରୋଗୀଣା ଯୁବତୀକୁ କିପରି ଡାକ୍ତରଖାନାରୁ ନେଇଆସିଲା ଓ କେହି କେମିତି ଜାଣି ପାରିଲେ ନାହିଁ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଭାରାପ୍ତାପ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଚାରିବାରୁ ସେ ମେଡିକାଲ କଲେଜ ଡାକ୍ତରଖାନା ପ୍ରଶାସନ ସହ ଆଲୋଚନା କରି ବ୍ୟବସ୍ଥା କରିବେ ବୋଲି କହିଛନ୍ତି।

Comments are closed.