ବଡ଼ସାହି ବ୍ଲକରେ ବ୍ୟାପୁଛି ଡ଼େଙ୍ଗୁ ଜ୍ୱର : ୫ରୋଗୀ ଚିହ୍ନଟ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହିରେ ଡ଼େଙ୍ଗୁ ଜ୍ୱର ବ୍ୟାପିବାରେ ଲାଗିଛି। ସୋମବାର ମାଣତ୍ରୀ ଡ଼ାକ୍ତରଖାନାରେ ଚିହ୍ନଟ ଜଣେ ରୋଗୀଙ୍କୁ ମିଶାଇ ୫ଜଣଙ୍କ ରକ୍ତ ନମୁନାରେ ଡ଼େଙ୍ଗୁ ଜ୍ୱରର ଜୀବାଣୁ ପରିଲକ୍ଷିତ ହୋଇଛି। ରୋଗୀ ମାନଙ୍କ ମଧ୍ୟରୁ ମାଣତ୍ରୀ ଡ଼ାକ୍ତରଖାନାର ଅବସରପ୍ରାପ୍ତ ଫାର୍ମାସିଷ୍ଟ ତଥା ଆଡ଼ିଆସାହିର ନିତ୍ୟାନନ୍ଦ ପ୍ରଧାନ(୬୮) ଥିବା ବେଳେ ବଡ଼ସାହି ଡ଼ାକ୍ତରଖାନାର ଜିପ୍‍ ଚାଳକ ସେହି ଗ୍ରାମର ଉମେଶ ବଳବନ୍ତ ରାୟ(୫୨) ରହିଛନ୍ତି। ଦେଢ଼ମାସ ପୂର୍ବେ ପ୍ରଥମେ ସେହି ଆଡ଼ିଆସାହି ଗ୍ରାମର ଅମର ପରିଡ଼ା(୫୪) ଓ ତାଙ୍କ ପତ୍ନୀ(୪୮)ଙ୍କର ବାଲେଶ୍ୱର ଡ଼ାକ୍ତରଖାନାରେ ଡ଼େଙ୍ଗୁ ଜ୍ୱର ହୋଇଥିବା ଜଣାପଡ଼ିଥିଲା। ସେମାନେ କଟକ ବଡ଼ଡ଼ାକ୍ତରଖାନାରେ ଚିକିତ୍ସା ହୋଇ ଘରକୁ ଫେରିଥିବା ବେଳେ ଉମେଶ ବଡ଼ସାହି ଡ଼ାକ୍ତରଖାନାରୁ ସ୍ଥାନାନ୍ତର ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକତ୍ସାଧୀନ ଅଛନ୍ତି। ସେହିପରି ନିତ୍ୟାନନ୍ଦ ପ୍ରଧାନ ମାଣତ୍ରୀ ପରେ ବାରିପଦା ଡ଼ାକ୍ତରଖାନା, ବର୍ତ୍ତମାନ ଘରେ ଚିକତ୍ସାଧୀନ ରହିଛନ୍ତି। ମାଣତ୍ରୀ ଡ଼ାକ୍ତରଖାନା ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତରୁ ୪ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତ ପରୀକ୍ଷା ପାଇଁ ମାଣତ୍ରୀ ଡ଼ାକ୍ତରଖନାକୁ କିଟ୍‍ ଯୋଗାଇ ଦିଆଯାଇଥିଲା।

ସୋମବାର ରକ୍ତ ପରୀକ୍ଷା ପରେ ଚିହ୍ନଟ ହୋଇଥିବା ରୋଗୀ ଜଣଙ୍କ ହେଲେ ଚନ୍ଦନପୁର ପଞ୍ଚାୟତ ପୁରୀଖୁଣ୍ଟା ଗ୍ରାମର ବିଦ୍ୟାଧର ମାରାଣ୍ଡିଙ୍କ ଝିଅ ସୁଭଦ୍ରା(୨୨)। ସୁଭଦ୍ରାଙ୍କ ଜ୍ୱର ନଛାଡ଼ିବାରୁ ଶନିବାର ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ରକ୍ତ ନମୁନାରୁ ପଜିଟିଭ ରିର୍ପୋଟ ବାହାରିବା ପରେ ତାଙ୍କୁ ବାଲେଶ୍ୱର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ବୋଲି ଡ଼ାକ୍ତର ରଜନୀକାନ୍ତ ମହାପାତ୍ର କହିଛନ୍ତି। ପ୍ରକାଶ ଥାଉ କି ମାଣତ୍ରୀ ଡ଼ାକ୍ତରଖାନାରେ ଡ଼ାକ୍ତର ପଦବୀ ଖାଲି ଥିବା ବେଳେ ଜଣେ ଡ଼ାକ୍ତରଙ୍କୁ ନେଇ ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇବା କଷ୍ଟକର ହୋଇପଡ଼ିଛି। ଯଥା ଶୀଘ୍ର ଜଣେ ଡ଼ାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Comments are closed.