ଆୟୁଷ୍ମାନ ଭାରତ-ସୁସ୍ଥ ରାଷ୍ଟ୍ରର ମହାମନ୍ତ୍ର

ଦେଶର ନାଗରିକମାନଙ୍କୁ ସୁସ୍ଥ ନରଖି ଭାରତ କେବେ ତାହାର ଜନସାଂଖ୍ୟିକ ସାମର୍ଥ୍ୟର ସୁଫଳ ହାସଲ କରିପାରିବ ନାହିଁ। ତେଣୁ ଦେଶର ମାନବସମ୍ବଳର ଏହି ସାମର୍ଥ୍ୟକୁ କେନ୍ଦ୍ର ସରକାର ପୂର୍ଣ୍ଣ ମାତ୍ରାରେ ଉପଯୋଗ କରିବା ସକାଶେ ବଦ୍ଧପରିକର। ସେହି ଉଦ୍ଦେଶ୍ୟରେ ସରକାର ସ୍ୱାସ୍ଥ୍ୟସେବାକୁ ଜାତୀୟ ଅଗ୍ରାଧିକାର ପ୍ରଦାନ କରିଛନ୍ତି।
ବିଶ୍ୱସ୍ତରରେ ଭାରତର ଆର୍ଥିକ ଶକ୍ତି ଏବଂ ସମ୍ମାନ ବୃଦ୍ଧି ପାଉଥିବା ସତ୍ତ୍ବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିବିଧ ସମସ୍ୟାର ସମ୍ମୁଖୀନ ହୋଇଆସୁଛି। ପ୍ରତିବର୍ଷ ହାରାହାରି ୬ କୋଟି ଭାରତୀୟ ଚିକିତ୍ସା ବାବଦରେ ବିପୁଳ ଅର୍ଥ ବୋଝ ମୁଣ୍ଡାଇବା ଯୋଗୁ ଦାରିଦ୍ର୍ୟ ସୀମାରେଖା ତଳକୁ ଠେଲି ହୋଇଯାଉଛନ୍ତି। ରୋଗର ତ୍ରିବିଧ ବୋଝ ଆମ ଦେଶ ପାଇଁ ଏକ ବିଶାଳ ଆହ୍ୱାନ। ପ୍ରଥମତଃ, ଅଧିକ ମାତୃ ମୃତ୍ୟୁହାର, ନବଜାତକଙ୍କ ମୃତ୍ୟୁହାର ଏବଂ ସଂକ୍ରାମକ ରୋଗର ପ୍ରସାର;ଦ୍ୱିତୀୟତଃ, କର୍କଟ, ମଧୁମେହ ଓ ଉଚ୍ଚରକ୍ତାଚପ ଭଳି ଅଣ-ସଂକ୍ରାମକ ରୋଗର ମାତ୍ରାଧିକ ବୃଦ୍ଧି; ତୃତୀୟତଃ, ଡେଙ୍ଗୁ, ମ୍ୟାଲେରିଆ, ଯକ୍ଷ୍ମା, ନିପା, ହେପାଟାଇଟିସ ଏବଂ ଏଇଏସ ଭଳି ସଂକ୍ରାମକ ରୋଗ ବ୍ୟାପିବା ଆମ ପାଇଁ ଚିନ୍ତାର ବିଷୟ।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଲକ୍ଷ୍ୟ ହେଉଛି ଅନ୍ତିମ ପଂକ୍ତିରେ ଛିଡ଼ା ହୋଇଥିବା ଦେଶର ଦରିଦ୍ରତମ ବ୍ୟକ୍ତି ନିକଟରେ ସବୁଠାରୁ ଉନ୍ନତ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା। ଏବେ ଭାରତର ସ୍ୱାସ୍ଥ୍ୟସେବା ଦୃଶ୍ୟପଟରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଚାଲିଛି। ଆଜକୁ ଠିକ୍‌ ଏକ ବର୍ଷ ପୂର୍ବେ, ଭାରତ ସରକାର ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିସହିତ ଆରମ୍ଭ ହୋଇଥିଲା ଦେଶର ୫୫କୋଟି ଗରିବ ଏବଂ ଅସୁସ୍ଥ ନାଗରିକଙ୍କ ଜୀବନ ବଦଳାଇବର ଯୁଗାନ୍ତକାରୀ ପଦକ୍ଷେପ। ‘ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ’ ଏକ ପଟ୍ଟ ପରିବର୍ତ୍ତନକାରୀ ଉପକ୍ରମ ଯାହା ମାଧ୍ୟମରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିଗରେ ଚୂଡ଼ାନ୍ତ ଲକ୍ଷ୍ୟ ହାସଲ କରାଯାଇ ପାରିବ। ଏହି କାର୍ଯ୍ୟକ୍ରମର ଦୁଇଟି ଆଭିମୁଖ୍ୟ ରହିଛି। ତାହା ହେଲା: ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର (ଏଚ୍‌ଡବ୍ଲୁସି)ରେ ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା। ଏଥିପାଇଁ ୧.୫ ଲକ୍ଷ ଏଚ୍‌ଡବ୍ଲୁସି ଏବଂ ପିଏମ-ଜେଏୱାଇକୁ କାର୍ଯ୍ୟକ୍ଷମ କରାଯାଇଛି। ଏହାବ୍ୟତୀତ ଗୁରୁତର ରୋଗୀଙ୍କ ଲାଗି ଦ୍ୱିତୀୟ ଏବଂ ତୃତୀୟସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଣ ସକାଶେ ସୁନିଶ୍ଚିତ ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପରିବାର ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା କରାଯାଇଛି। ଧାଡ଼ିର ଅନ୍ତିମ ବ୍ୟକ୍ତି ନିକଟରେ ସୁନିଶ୍ଚିତ ସହାୟତା ପହଁଚାଇବା ଥିଲା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ପରିକଳ୍ପନା। ଏହି ପରିକଳ୍ପନାକୁ ସାକାର କରିବା ଦିଗରେ ‘ଆୟୁଷ୍ମାନ ଭାରତ’ ଯୋଜନା ମାଧ୍ୟମରେ ସରକାର ସାର୍ବଜନୀନ ସ୍ୱାସ୍ଥ୍ୟସେବାର ବିଗୁଲ ବଜାଇଛନ୍ତି।
ଆୟୁଷ୍ମାନ ଭାରତ ହେଉଛି ଏକ ବ୍ୟାପକ ପରିବର୍ତ୍ତନକାରୀ ଉପକ୍ରମ ଯାହାକି ‘ଜାତୀୟ ସ୍ୱାସ୍ଥ୍ୟନୀତି ୨୦୧୭’ ଲକ୍ଷ୍ୟକୁ ସାକାର କରିବା ସକାଶେ ଉଦ୍ଦିଷ୍ଟ। ଏହି ନୀତିର ଲକ୍ଷ୍ୟ ହେଲା- ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଓ ନିରାମୟ ବ୍ୟବସ୍ଥା ସର୍ବାଧିକ ମାତ୍ରାରେ ହାସଲ କରିବା ଏବଂ ଏହାକୁ ସବୁ ବୟସର ଲୋକଙ୍କ ପାଇଁ ଉପଲବ୍ଧ କରାଇବା। କୌଣସି ବ୍ୟକ୍ତି ଯେପରି ଆର୍ଥିକ ଜଟିଳତାର ସମ୍ମୁଖୀନ ନହୁଏ ତାହା ମଧ୍ୟ ସୁନିଶ୍ଚିତ ହେଉଥିବ। ଆୟୁଷ୍ମାନ ଭାରତ, ବିଶେଷ କରି ପିଏମ- ଜେଏୱାଇର ଉଦ୍ଦେଶ୍ୟ ହେଲା, ସ୍ୱାସ୍ଥ୍ୟ ସେବାକୁ ଅଧିକ ଉନ୍ନତ ଓ ସୁଲଭ ଭାବେ ସମସ୍ତଙ୍କ ନିକଟରେ ଉପଲବ୍ଧ କରାଇବା। ଏଥିପାଇଁ ଉଭୟ ସରକାରୀ ଏବଂ ପଞ୍ଜିକୃତ ଘରୋଇ ଚିକିତ୍ସାଳୟଗୁଡ଼ିକୁ ମିଳିତ ଭାବେ ଅନୁବନ୍ଧିତ କରାଯାଇଛି। ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଏଥିରେ ଅତିମାତ୍ରାରେ ଗୁରୁତ୍ୱ ଦିଆଯାଇଛି ଯାହା ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) କେନ୍ଦ୍ରିତ ହୋଇଥିବ ଏବଂ ଏହା ମାଧ୍ୟମରେ ସମସ୍ତଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ଓ ନିରାମୟ ବ୍ୟବସ୍ଥା ସୁନିଶ୍ଚତ ହୋଇପାରୁଥିବ।
ପ୍ରଧାନମନ୍ତ୍ରୀ- ଜନ ଆରୋଗ୍ୟ ଯୋଜନା (ପିଏମ- ଜେଏୱାଇ) ବିଶେଷ ପ୍ରାରମ୍ଭିକ ସଫଳତା ପାଇଛି। ଏହି ଯୋଜନା ଏବେ ଦେଶର ୩୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି। ଏହା ଆମ ସହଭାଗୀ ଗଣତାନ୍ତ୍ରିକ ବ୍ୟବସ୍ଥାର ସର୍ବବୃହତ ଆଦର୍ଶ ପ୍ରତି ଥିବା ପ୍ରତିବଦ୍ଧତାର ପ୍ରମାଣ। ଏହି ଯୋଜନା ଆରମ୍ଭ ହେବାର ବିଗତ ଏକ ବର୍ଷ ମଧ୍ୟରେ ୭୫୦୦ କୋଟି ଟଙ୍କା ମୂଲ୍ୟର ମାଗଣା ଚିକିତ୍ସା ଦେଶର ପ୍ରାୟ ୫୦ ଲକ୍ଷ ଲୋକଙ୍କୁ ଅଧିସ୍ୱୀକୃତ ଚିକିତ୍ସାକେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯାଇଛି। ଏଥିପାଇଁ ମଞ୍ଜୁର କରାଯାଇଥିବା ମୋଟ ଅର୍ଥର ୫୫% ତୃତୀୟସ୍ତରୀୟ ବ୍ୟବସ୍ଥା ଯାହାକି ଅସ୍ଥିଶଲ୍ୟ, ହୃଦରୋଗ ଏବଂ ରେଡ଼ିଏସନ ଅଙ୍କୋଲୋଜି ସମ୍ପର୍କିତ ଚିକିତ୍ସା ପାଇଁ ଉପଯୋଗ କରାଯାଉଛି। ଏହା ନିଶ୍ଚିତ ଭାବେ ଖୁସିର କଥା ଯେ ୧୮,୦୦୦ରୁ ଅଧିକ ପଞ୍ଜିକୃତ ଡାକ୍ତରଖାନା ଆୟୁଷ୍ମାନ ଭାରତର ଅଂଶବିଶେଷ ହୋଇପାରିଛନ୍ତି। ଏଥିମଧ୍ୟରୁ ୫୩% ଘରୋଇ ଡାକ୍ତରଖାନା ଏହି ଯୋଜନାର ଅଂଶବିଶେଷ ହେବା ସକାଶେ ସ୍ୱେଚ୍ଛାରେ ଆଗେଇ ଆସିଛନ୍ତି।
ପିଏମ- ଜେଏୱାଇ ଯୋଜନାରେ ଦିନକୁ ଦିନ ତୃତୀୟସ୍ତରୀୟ ବ୍ୟବସ୍ଥାର ତାଲିକାଭୁକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହି ବ୍ୟବସ୍ଥାର ଉପଯୋଗ ମଧ୍ୟ ବଢ଼ିବାରେ ଲାଗିଛି। ତାହା ପୁଣି ପରିମାଣ ଏବଂ ଅର୍ଥ ଉଭୟ ଦୃଷ୍ଟିରୁ। ଏହି ଯୋଜନାର ଗୋଟିଏ ବିଶେଷତ୍ୱ ହେଲା ଏହାର ବ୍ୟାପକତା- ଅର୍ଥାତ ପିଏମ- ଜେଏୱାଇ କାର୍ଯ୍ୟକାରୀ କରୁଥିବା ଯେକୌଣସି ଗୋଟିଏ ରାଜ୍ୟର ଜଣେ ଯୋଗ୍ୟ ରୋଗୀ ଭାରତର ଯେକୌଣସି ସ୍ଥାନରେ ଏବଂ ପଞ୍ଜିକୃତ ହସପିଟାଲରେ ମାଗଣାରେ ନିଜର ଚିକିତ୍ସା କରାଇ ପାରିବେ। ପ୍ରାୟ ୪୦,୦୦୦ରୁ ଊର୍ଦ୍ଧ୍ବ ହିତାଧିକାରୀ ସେମାନଙ୍କର ନିଜ ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ର ବାହାରେ ଅନ୍ୟତ୍ର ଏହି ସୁବିଧା ଅଧୀନରେ ଚିକିତ୍ସା ସୁବିଧା ପାଇପାରିଛନ୍ତି। ଦିନକୁ ଦିନ ଏହା ବିଶ୍ୱର ସର୍ବବୃହତ ସୁନିଶ୍ଚିତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପରିଣତ ହେବା ଦିଗରେ ଅଗ୍ରସର ହୋଇ ଚାଲିଛି। ସେହି ଦୃଷ୍ଟିରୁ ଅନ୍ତର୍ଜାତୀୟ ଗୋଷ୍ଠୀ ମଧ୍ୟ ଏହାକୁ ବ୍ୟାପକ ଭାବେ ସମର୍ଥନ ଓ ସହଯୋଗ କରୁଛନ୍ତି।
ଗତ ବର୍ଷ ଏହି ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ, ପିଏମ-ଜେଏୱାଇ ଜରିଆରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ଆବାସିକ ରୋଗୀମାନଙ୍କୁ ସୁଲଭ ମୂଲ୍ୟର ଚିକିତ୍ସାସେବା ଯୋଗାଇ ଦିଆଯାଇ ଆସୁଛି। ଫଳରେ ଅତି ଗରିବ ବ୍ୟକ୍ତି ମଧ୍ୟ ନିଜ ମନ ପସନ୍ଦର ହସପିଟାଲରେ ଚିକିତ୍ସିତ ହୋଇପାରୁଛି। ବଡ଼ବଡ଼ ହସପିଟାଲର ମେଡ଼ିକାଲ ବିଲ୍‌କୁ ନେଇ ତା’ ମନରେ ଆଉ କୌଣସି ପ୍ରକାର ଭୟ ଅବା ଆଶଙ୍କା ରହୁନାହିଁ। ନିକଟରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ପରିଚାଳନା ପରିଷଦ ବର୍ତ୍ତମାନ ପ୍ରଚଳିତ ସ୍ୱାସ୍ଥ୍ୟ ସୁବିଧା ପ୍ୟାକେଜରେ ଆମୂଳଚୂଳ ପରିବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି। ଏଥିସହିତ ଏହି ପ୍ୟାକେଜର ମୂଲ୍ୟକୁ ଅଧିକ ସୁସଂଗତ କରିବା ଏବଂ ଏଥିରେ ଥିବା ତ୍ରୁଟି ଓ ଦୁର୍ବଳତାକୁ ସୁଧାରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଘରୋଇ କ୍ଷେତ୍ରର ଅଂଶଗ୍ରହଣ ବୃଦ୍ଧି ପାଇବ ଏବଂ ଅଧିକରୁ ଅଧିକ ହସପିଟାଲକୁ ଏଥିରେ ପଞ୍ଜିକୃତ କରାଯାଇପାରିବ। ଆମେ ମଧ୍ୟ ଆମର ଆଇଟି ବ୍ୟବସ୍ଥାକୁ ଉନ୍ନତ କରିବା ସକାଶେ ପ୍ରସ୍ତାବକୁ ମଞ୍ଜୁରି ଦେଇଛୁ। ଫଳରେ ଏହା ଅଧିକ ବ୍ୟବହାର ଉପଯୋଗୀ, ସ୍ୱୟଂଚାଳିତ, ନିରାପଦ ଓ ଅତ୍ୟାଧୁନିକ ବ୍ୟବସ୍ଥାରେ ପରିଣତ ହୋଇପାରିବ।
‘ଆୟୁଷ୍ମାନ ଭାରତ’ ଯୋଜନାକୁ ଅଧିକ ସକ୍ରିୟ ଭାବେ ଲାଗୁ କରିବା ଏବଂ ଏହାକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିବା ସହ ରୋଗୀମାନଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଗୁଣାତ୍ମକ ଚିକିତ୍ସାସେବାର ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଏକ ସୁଦୃଢ଼ ଠକେଇ ନିୟନ୍ତ୍ରଣ ବ୍ୟବସ୍ଥା ଗଠନ କରାଯାଇଛି ଯାହାକି କେନ୍ଦ୍ରଠାରୁ ରାଜ୍ୟ ଓ ଜିଲା ପର୍ଯ୍ୟନ୍ତ ବ୍ୟାପ୍ତ। ତେଣୁ ଯେଉଁ ହସପିଟାଲ ଅସାଧୁ ପନ୍ଥା ଅବଲମ୍ବନ କରୁଛନ୍ତି ସେମାନଙ୍କ ମଧ୍ୟରୁ ୯୭% ହସ୍‌ପିଟାଲକୁ ପଞ୍ଜୀକରଣ ତାଲିକାରୁ ବାଦ ଦିଆଯାଇ ସେମାନଙ୍କ ଉପରେ ୧.୫ କୋଟି ଟଙ୍କାରୁ ଅଧିକ ଟଙ୍କାର ଜୋରିମାନା କରାଯାଇଛି।
ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ ଓ ଉନ୍ନତ କରିବା ଲକ୍ଷ୍ୟରେ ସମଗ୍ର ଡାକ୍ତରୀ ବୃତ୍ତି କ୍ଷେତ୍ରରେ ସଂସ୍କାର ଏବଂ ଏହାର ସଂପ୍ରସାରଣ ପାଇଁ ପ୍ରୟାସ ଜାରି ରହିଛି। ମେଡିକାଲ ଶିକ୍ଷା କ୍ଷେତ୍ରରେ ଜାତୀୟ ମେଡିକାଲ କମିସନ ବିଲ ଏକ ମାଇଲଖୁଣ୍ଟ। ଏହା ଛାତ୍ରଛାତ୍ରୀଙ୍କ ଉପରେ ପଢ଼ାଖର୍ଚ୍ଚର ବୋଝକୁ ହାଲୁକା କରିବ। ସେମାନଙ୍କୁ ସଚ୍ଚୋଟ, ଉତ୍ତରଦାୟୀ, ସ୍ୱଚ୍ଛ ଡାକ୍ତର ଭାବେ ଗଢ଼ି ତୋଳିବା ଓ ଗୁଣାତ୍ମକ ମେଡ଼ିକାଲ ଶିକ୍ଷା ପ୍ରଦାନ ନିମନ୍ତେ ଏଥିରେ ବ୍ୟାପକ ବ୍ୟବସ୍ଥା ରହିଛି। ଏହି ଉଦ୍ଦେଶ୍ୟରେ ଏବେ ଦେଶରେ ୭୫ଟି ନୂତନ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଉଛି। ଏହା ବ୍ୟତୀତ ୮୨ଟି ଅଧିକ ମେଡ଼ିକାଲ କଲେଜ ସ୍ଥାପନ ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ରହିଛି।
ଭାରତରେ ସ୍ୱାସ୍ଥ୍ୟସେବା ଏକ ଜଟିଳ ବ୍ୟବସ୍ଥା ଏବଂ ଏଥିରେ ଅନେକ ଆହ୍ୱାନ ଓ ସୁଯୋଗ ରହିଛି। ଏଭଳି କୌଣସି ଗୋଟିଏ ମ୍ୟାଜିକ ବଟିକା ନାହିଁ ଯାହା ଆମକୁ ସ୍ୱାସ୍ଥ୍ୟ ବୋଝରୁ ସଂପୂର୍ଣ୍ଣ ମୁକ୍ତ କରି ଆମ ସମସ୍ୟାର ସମାଧାନ କରିଦେବ। ସେଥିପାଇଁ ଏହି କାର୍ଯ୍ୟକ୍ରମର ସମଗ୍ର ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯାଉଛି ଏବଂ ଆଇନର ବ୍ୟବସ୍ଥା (ସେଥିରୁ କେତେଗୋଟି ଉପରେ ସୂଚିତ କରାଯାଇଛି)କରାଯାଇଛି।
‘ସବ୍‌କା ସାଥ୍‌, ସବ୍‌କା ବିକାଶ’ ପ୍ରତିଶ୍ରୁତିକୁ ସାକାର କରିବା ଲାଗି ପ୍ରତ୍ୟେକ କ୍ଷେତ୍ରରେ ନିରବଚ୍ଛିନ୍ନ ପ୍ରୟାସ ପାଇଁ ଏହି ଅବସରରେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଉଛି। ତାଙ୍କର ଏହି ପରିକଳ୍ପନାରେ ଅନୁପ୍ରାଣିତ ହୋଇ, ମୁଁ ମଧ୍ୟ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଫାଷ୍ଟ ଟ୍ରାକ ଭିତ୍ତିରେ କାର୍ଯ୍ୟ କରୁଛି। ପେସାରେ ଜଣେ ଡାକ୍ତର ହୋଇଥିବାରୁ ଏ ଦିଗରେ କାର୍ଯ୍ୟ କରିବା ମୋ ପାଇଁ କିଛିଟା ସହଜସାଧ୍ୟ ହେଉଛି, କାରଣ ମୋର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରତ୍ୟକ୍ଷ ଅନୁଭୂତି ରହିଛି। ଏବି-ପିଏମଜେଏୱାଇର ପ୍ରଥମ ବର୍ଷପୂର୍ତ୍ତି ଅବସରରେ ମୁଁ ମୋ ପେସାର ସମସ୍ତ ସହଯୋଗୀଙ୍କୁ ଏବଂ ଭାରତବାସୀଙ୍କୁ ନିବେଦନ କରୁଛି ଯେ ସେମାନେ ଏହି ସ୍ୱାସ୍ଥ୍ୟସେବା ଆନ୍ଦୋଳନରେ ଯୋଗ ଦିଅନ୍ତୁ ଏବଂ ଏହାକୁ ସମର୍ଥନ କରନ୍ତୁ। ମୁଁ ଦେଶସେବା ପାଇଁ ନିଜକୁ ପୁନଃ ସମର୍ପିତ କରୁଛି। ଭାରତକୁ ଏକ ନିରୋଗ ରାଷ୍ଟ୍ରରେ ପରିଣତ କରିବା ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ବିଶ୍ୱସ୍ତରୀୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ମୋ ଜୀବନର ଲକ୍ଷ୍ୟ।
(ଏହି ପ୍ରବନ୍ଧରେ ପ୍ରଦତ୍ତ ମତ ଲେଖକଙ୍କର ନିଜସ୍ୱ।)   ଲେଖକ-ହର୍ଷବର୍ଦ୍ଧନ(ଭାରତର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ)

 

Comments are closed.