ଏଣିକି ଅନଲାଇନରେ ବିଧାନସଭାର ପ୍ରଶ୍ନୋତ୍ତର

ଭୁବନେଶ୍ୱର : ଆସନ୍ତା ବିଧାନସଭା ଅଧିବେଶନଠାରୁ ବିଧାୟକମାନେ ପଚାରୁଥିବା ଲିଖିତ ଓ ମୌଖିକ ପ୍ରଶ୍ନର ଉତ୍ତର ଅନଲାଇନରେ ଉପଲବ୍ଧ ହେବ। ନ୍ୟାସନାଲ ଇ-ବିଧାନ ଆପ୍ଲି​କେ‌ସନ(ନେଭା)ରୁ ଏହା ମିଳିପାରିବ। ବିଧାୟକମାନେ ମଧ୍ୟ ସେମାନଙ୍କ ପ୍ରଶ୍ନ ଅନଲାଇନରେ ପଠାଇ ପାରିବେ। ପୂର୍ବରୁ ପ୍ରଶ୍ନ ପଚାରିବା ପାଇଁ ଫର୍ମ ପୂରଣ କରି ବିଧାନସଭା ସଚିବାଳୟରେ ଦାଖଲ କରିବାକୁ ପଡୁଥିଲା। ଏବେ ଏହି ଫର୍ମ ୱେବସାଇଟରେ ଦିଆଯାଇଛି। ଏହାକୁ ଡାଉନଲୋଡ କରି ପୂରଣ ପରେ ଅନଲାଇନରେ ବିଧାନସଭାକୁ ପଠାଇ ପାରିବେ। ବିଧାୟକମାନେ ଦୂର ଦୂରାନ୍ତରେ ଥିଲେ ସେହିଠାରୁ ସେମାନେ ତାହା ପଠାଇବେ। ଏହି ନୂଆ ବ୍ୟବସ୍ଥା ବିଧାୟକଙ୍କ ପାଇଁ ସହାୟକ ହେବା ସହ ଅନ୍ୟମାନେ ବିଧାନସଭାର ବିବରଣୀ ଅନଲାଇନରୁ ପାଇପାରିବେ। ବିଧାନସଭାର କମିଟିଗୁଡ଼ିକ ବିଭିନ୍ନ ବିଷୟ ଉପରେ ଅଧିକ ଆଲୋଚନା ପାଇଁ ରାଜ୍ୟ ତଥା ଦେଶର ବିଶେଷଜ୍ଞଙ୍କୁ କମିଟି ବୈଠକକୁ ଡାକି ପାରିବେ। ଆଜି ବିଧାନସଭାର କମିଟି ଅଧ୍ୟକ୍ଷମାନଙ୍କ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିବା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ବୈଠକରେ ଲୋକସଭା ଓ ରାଜ୍ୟସଭାରେ ଥିବା ସଂସଦୀୟ ପରମ୍ପରା ଓ ପ୍ରଚଳିତ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ବୈଠକକୁ ବିଶେଷଜ୍ଞଙ୍କୁ ଡାକିବା ନେଇ ସଂପୃକ୍ତ କମିଟି ପ୍ରସ୍ତାବ ଦେଲେ ତାଙ୍କୁ ଆଣିବା ନେଇ ପଦକ୍ଷେପ ନିଆଯିବ। ବିଧାନସଭା​‌େ​‌ର ୩୫ଟି କମିଟି ଥିବାବେଳେ କମିଟି ପାଇଁ ୨୫ଜଣ ଅଧ୍ୟକ୍ଷ ଅଛନ୍ତି। ବୈଠକରେ ବାଚସ୍ପତିଙ୍କୁ ମିଶାଇ ୧୬ଜଣ ଅଧ୍ୟକ୍ଷ ଉପସ୍ଥିତ ଥିଲେ। ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ପ୍ରତାପକେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନୃସିଂହଚରଣ ସାହୁ, ପ୍ରଫୁଲ୍ଲ ସାମଲ, ଭୂପିନ୍ଦର ସିଂହ, ପ୍ରଦୀପ କୁମାର ଅମାତ, ମୋହନ ଚରଣ ମାଝି, ଦେବୀପ୍ରସାଦ ମିଶ୍ର, ବଦ୍ରିନାରାୟଣ ପାତ୍ର, ପ୍ରଶାନ୍ତ କୁମାର ମୁଦୁଲି, ପ୍ରଦୀପ କୁମାର ପାଣିଗ୍ରାହୀ, ପ୍ରଦୀପ ମହାରଥୀ, ଅମର ପ୍ରସାଦ ଶତପଥୀ ଯୋଗ ଦେଇଥିଲେ। ଏହା ବ୍ୟତୀତ ଆଜି ବିଭାଗୀୟ ସ୍ଥାୟୀ କମିଟି-୩ର ଅଷ୍ଟମ ବୈଠକ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ତ୍ତ ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ବିଧାନସଭା ସଚିବ ଦାଶରଥି ଶତପଥୀ ଓ ବିଧାନସଭାର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.