ଆଟ୍‌ଲାଣ୍ଟିକ୍‌ରେ ଡଙ୍ଗାବୁଡ଼ି ୫୮ ଶରଣାର୍ଥୀ ମୃତ

ନୁଅକସଟ(ମୋରଟେନିଆ) :  ପଶ୍ଚିମ ଆଫ୍ରିକୀୟ ଦେଶ ମୋରଟେନିଆରୁ ୟୁରୋପ ଅଭିମୁଖେ ଯାଉଥିବା ଏକ ଶରଣାର୍ଥୀ ବୋଟ ଆଟଲାଣ୍ଟିକ୍‌ ମହାସାଗରରେ ବୁଡ଼ି ଯିବାରୁ ୫୮ ଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇ ସ୍ପେନ ତଟରକ୍ଷୀ ବାହିନୀ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଡଙ୍ଗାରେ ଥିବା ଅନ୍ୟ ୮୩ଜଣ ଶରଣାର୍ଥୀ ପହଁରିପହଁରି ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି।
ମୋରଟେନିଆ ଉପକୂଳ ଛାଡ଼ିବା ପୂର୍ବରୁ ବୋଟରେ ପ୍ରାୟ ୧୫୦ ଜଣ ଶରଣାର୍ଥୀ ଯାତ୍ରା କରୁଥିଲେ। କିଛି ବାଟ ଯିବା ପରେ ଭାରସାମ୍ୟ ହରାଇ ବୋଟଟି ମହାସାଗରରେ ବୁଡ଼ି ଯାଇଥିଲା। ଏଥିରେ ୫୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ସ୍ପେନ ତଟରକ୍ଷା ବାହିନୀ ଏପର୍ଯ୍ୟନ୍ତ ୫୮ ଜଣଙ୍କ ମରଶରୀର ଉଦ୍ଧାର କରିଛି। ପ୍ରତିବର୍ଷ ଆଫ୍ରିକୀୟ ଦେଶଗୁଡ଼ିକରୁ ଶହଶହ ଶରଣାର୍ଥୀ କାର୍ଯ୍ୟ ଅନ୍ବେଷଣରେ ବିପଦପୂର୍ଣ୍ଣ ଜଳଯାତ୍ରାରେ ଆଟଲାଣ୍ଟିକ ମହାସାଗର ଦେଇ ୟୁରୋପ ଯାତ୍ରା କରିଥା’ନ୍ତି। ଏହି ଶରଣାର୍ଥୀଙ୍କ ମଧ୍ୟରେ ଗାମ୍ବିଆ ଦେଶବାସୀଙ୍କ ସଂଖ୍ୟା ଅଧିକ ବୋଲି ଅନ୍ତର୍ଜାତୀୟ ଶରଣାର୍ଥୀ ସଂଗଠନ ପ୍ରକାଶ କରିଛି। ଗତମାସ ୩ ତାରିଖରେ ଇଟାଲୀ ତଟରକ୍ଷୀ ବାହିନୀ ୧୫୧ ଜଣ ଶରଣାର୍ଥୀଙ୍କୁ ଉଦ୍ଧାର କରିଥିଲା।

Comments are closed.