ମୋଦିପଡା ହତ୍ୟାକାଣ୍ଡ : ମହିଳାଙ୍କ ସ୍ୱାମୀ ଗିରଫ

ସମ୍ବଲପୁର : ସମ୍ବଲପୁରର ଟାଉନ ଥାନା ଅର୍ନ୍ତଗତ ମୋଦିପଡା ସ୍ଥିତ ଜୁଡାବନ୍ଧ ସନ୍ନିକଟ ବସ୍ତିରେ ରହୁଥିବା ବନ୍ଦ ଘର ଭିତରୁ ମହିଳାଙ୍କ ମୃତ୍ୟୁ ଘଟଣା ମାମଲାକୁ ପୁଲିସ ୪୮ ଘଣ୍ଟା ମଧ୍ୟରେ ସମାଧାନ କରିବାରେ ସଫଳତା ଲାଭ କରିଛି। ମୃତକ ମହିଳାଙ୍କ ନାମ ମେରି ବେରଜୁ ଏବଂ ତାଙ୍କର ଘର ଯୁଯୁମୁରା ବ୍ଲକ ଅର୍ନ୍ତଗତ କଂସର ଗ୍ରାମର ପଞ୍ଚାୟତପଡା ହୋଇଥିବା ବେଳେ ତାଙ୍କୁ ହତ୍ୟା କରିଥିବା ତାଙ୍କର ସ୍ୱାମୀ ଜ୍ୟୋତିଷ ଟପ୍ନୋ (୨୬) ଅଟେ।

ପୁଲିସର ସୂଚନାନୁଯାୟୀ, ଯୁଯୁମୁରା ବ୍ଲକ କଂସର ଗ୍ରାମର ଖ୍ରିଷ୍ଟିୟାନପଡା ନିବାସୀ ଜ୍ୟୋତିଷ ଓ ତାଙ୍କର ପତ୍ନୀ ମେରି ପ୍ରାୟ ୨୦ ଦିନ ହେବ ଘର ମାଲିକାଣୀ ପଦ୍ମା ନାୟକଙ୍କ ଠାରୁ ୧୨ ଶହ ଟଙ୍କା ମାସିକ ଭଡା ସୁତ୍ରରେ ଘର ଭଡାରେ ନେଇଥିଲେ। ମଝିରେ ମଝିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିବା ବେଳେ ଗତ ୧୨ ତାରିଖ ରାତ୍ରିରେ ଦୁଇ ଜଣଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଓ ଝଗଡା ହୋଇଥିଲା। ଏହି ସମୟରେ ଉତକ୍ଷିପ୍ତ ହୋଇ ଜ୍ୟୋତିଷ ତାଙ୍କ ସ୍ତ୍ରୀ ମେରିଙ୍କୁ ପଥର ଛେଚି ଓ ବେକରେ ଓଢ଼ଣୀ ଗୁଡାଇ ମାରି ଦେଇଥିଲେ। ମେରି ଘଟଣାସ୍ଥଳରେ ମୃତ୍ୟୁବରଣ କରିବାରୁ ଜ୍ୟୋତିଷ ପୁଲିସକୁ ଭୂଆଁ ବୁଲାଇବା ପାଇଁ ଘଟଣାସ୍ଥଳରେ ପ୍ରମାଣ ଗୁଡିକୁ ଏପଟ ସେପଟ କରି ଘରକୁ ତାଲା ମାରି ଫେରାର ମାରିଥିଲେ। ଅନ୍ୟ ପଟରେ ଘର ବନ୍ଦ ଥିବା ବେଳେ ୧୪ ତାରିଖ ଅପରାହ୍ନରୁ ଘର ମଧ୍ୟରୁ ଦୁର୍ଗନ୍ଧ ବାହାରିବାରୁ ଘର ମାଲିକାଣୀ ଖବର ପାଇଁ ପୁଲିସକୁ ଖବର ଦେଇଥିଲେ। ପୁଲିସ ମାଜିଷ୍ଟ୍ରେଟ ଓ ସାଇନ୍ଟିଫିକ ଦଳର ଉପସ୍ଥିତ ରହି ଘର ଖୋଲି ରକ୍ତ ଜୁଡୁବୁଡି ମେରିଙ୍କ ଗଳିତ ଶବ ଉଦ୍ଧାର କରିଥିଲା। ଜ୍ୟୋତିଷଙ୍କୁ ମାଲିକାଣୀ ପଦ୍ମା ମୌଖିକ ଭାବରେ ଘର ଭଡା ଦେଇଥିବାରୁ ସେମାନଙ୍କ ସର୍ମ୍ପକରେ କେବଳ ଏକ ଫୋନ ନମ୍ବର ବ୍ୟତିତ ଅଧିକ ସୂଚନା ପୁଲିସକୁ ପ୍ରଦାନ କରି ପାରି ନ ଥିଲେ। ଏ ନେଇ ଟାଉନ ଥାନାରେ ମାମଲା ନଂ ୪୭୯/୨୦୧୯ ରୁଜୁ କରି ସାଇନ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ସାହାର୍ଯ୍ୟରେ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ପ୍ରାଥମିକ ତଦନ୍ତରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରୁଥିବା ବେଳେ ଘଟଣାସ୍ଥଳରୁ ପୁଲିସକୁ ମଧ୍ୟ କିଛି ସୁରାକ ମିଳିଥିଲା। ବିଶ୍ୱସ୍ତସୂତ୍ରରୁ ଖବର ପାଇଁ ପୁଲିସର ସ୍ୱତନ୍ତ୍ର ଦଳ ଯୁଯୁମୁରା ବ୍ଲକର କଂସର ଗ୍ରାମକୁ ପହଞ୍ଚିଥିଲା। ସେଠାରେ ଜ୍ୟୋତିଷକୁ ଧରିବା ଏବଂ ସେ ହତ୍ୟା କରିଥିବା ସ୍ୱିକାର କରିବା ପରେ ଘଟଣାର ପର୍ଦାଫାଶ ହୋଇଥିଲା। ପୁଲିସର ତଦନ୍ତରେ ମେରି ଙ୍କ ଘର ସେହି ଗ୍ରାମର ପଞ୍ଚାୟତପଡାରେ ଥିବାର ଜଣାପଡିଥିଲା। ସମ୍ବଲପୁର ପୁଲିସ ଏହି ମାମଲାକୁ ସମାଧାନ କରିବା ପାଇଁ ଏସଡିପିଓ ତପନ କୁମାର ମହାନ୍ତି ଙ୍କ ନେତୃତ୍ୱରେ ଥାନାଧିକାରୀ ରମେଶ ଚନ୍ଦ୍ର ଦୋରା, ଏସଆଇ ଅମର ହୋତା ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଦଳ ଗଠନ କରି ତଦନ୍ତ କରୁଛି। ତେବେ ମେରି ଓ ଜ୍ୟୋତିଷଙ୍କ ଶିଶୁ ପୁତ୍ରଟି ତାର ଜେଜେ ବାପା ଓ ଜେଜେ ମାଁ ଙ୍କ ପାଖରେ ରହିଛି। ଏହି ହତ୍ୟାକାଣ୍ଡ ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଘଟଣାର ଉତ୍ସ ସର୍ମ୍ପକରେ ଜାଣିବାକୁ ପ୍ରୟାସ ଜାରି ରଖିଛି ବୋଲି ସମ୍ବଲପୁର ପୁଲିସ କହିଛି।

Comments are closed.