ହନୁମାନ ପଇସା ପାଇଁ ଯୁବକଙ୍କୁ ଅପହରଣ ପରେ ହତ୍ୟା, ୪ ଗିରଫ 

ବଲାଙ୍ଗୀର : ସୁକତେଲ ନଦୀରୁ ଯୁବକର ମୃତ ଦେହ ଉଦ୍ଧାର ଘଟଣାର  ପର୍ଦ୍ଦାଫାସ କରିଛି ପୁଇଁତଳା ପୁଲିସ । ହନୁମାନ ପଇସା ପାଇଁ ସମ୍ପୃକ୍ତ ଯୁବକଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଛି । ପୁଲିସ ଏହି ଘଟଣାରେ  ୪ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଘଟଣା ପଛର ରହସ୍ୟ ପଦାକୁ ଆସିଛି ।  ରବିବାର ପୁଲିସ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦିଆଯାଇଛି ।

ମୃତ ଯୁବକ ଜଣଙ୍କ ୮ ତାରିଖରେ ନିଖୋଜ ହୋଇଯାଇଥିଲେ ।  ପରେ ୧୦ ତାରିଖ ଦିନ ତାଙ୍କ ମୃତ ଦେହ ସୁକତେଲ ନଦୀରୁ ଉଦ୍ଧାର ହୋଇଥିଲା । ହନୁମାନ  ପଇସାକୁ କେନ୍ଦ୍ରକରି  ଯୁବକଙ୍କୁ ହତ୍ୟା କରାଯାଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି  । ଅଭିଯୁକ୍ତ ମାନେ ଯୁବକଙ୍କ ବାପାଙ୍କ ଠାରୁ ହନୁମାନ ପଇସା ହାତେଇବା ପାଇଁ  ତାଙ୍କୁ ଅପହରଣ କରି ବନ୍ଦ ଘର ଭିତରେ ରଖିଥିଲେ । ଯୁବକଙ୍କର ଶ୍ୱାସରୁଦ୍ଧ ହୋଇ ସେଠାରେ ମୃତ୍ୟୁ ଘଟିଥିଲା । ଅଭିଯୁକ୍ତ ମାନେ ପ୍ରମାଣ ନଷ୍ଟ କରିବା ପାଇଁ ସୁକତେଲ ନଦୀରେ ଯୁବକଙ୍କ ମୃତ ଦେହକୁ ଫିଙ୍ଗି ଦେଇଥିଲେ । ଏହି  ଘଟଣାରେ ୯ଜଣ ସମ୍ପୃକ୍ତ ଥିଲେ । ପୁଲିସ  ୪ଜଣ ଅଭିଯୁକ୍ତକୁ  ଗିରଫ କରିଥିବାବେଳେ ଅନ୍ୟ ୫ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି  ।

Comments are closed.