ଆଖଣ୍ଡଳମଣିଙ୍କ ମନ୍ଦିରରେ ପଞ୍ଚୁକ ନୀତି ଆରମ୍ଭ ; ପଞ୍ଚାନନ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

ଆରଡି :  କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଠାରୁ ଆରମ୍ଭ ହୋଇଯାଇଛି  ଆରଡିପୀଠର ଆଖଣ୍ଡଳମଣିଙ୍କ ମନ୍ଦିରରେ ପଞ୍ଚୁକବ୍ରତ। ଏଥିପାଇଁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହିତ ପ୍ରତିଦିନ ମଣିବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯିବାର ପରମ୍ପରା ରହିଛି। ବିଶେଷକରି କାର୍ତ୍ତିକମାସରେ ରାଜ୍ୟ ଓ ରାଜ୍ୟ ବାହାରୁ ସହତ୍ସାଧିକ ହଭିଷାଳି ଭକ୍ତ ମଣିବାବାଙ୍କ ପୀଠରେ ବ୍ରତ ରଖିବା ସହ ମନ୍ଦିର ବେଢାରେ ଭାଗବତ ପାରାୟଣ ଓ କାର୍ତ୍ତିକ ମହାତ୍ମ୍ୟ ପଠନ କରିଥାନ୍ତି। ସେହିପରି ପୀଠରେ ଶହଶହ ବର୍ଷର ପରମ୍ପରା ରୀତିନୀତି ଅନୁଯାୟୀ ଗତ ଅଁଳାନବମୀ ଠାରୁ ୭ଦିନ ବ୍ୟାପି ମନ୍ଦିର ବେଢାରେ ଭାଗବତ ପାରାୟଣ ଅନୁଷ୍ଠିତ ହେଉଥିବାରୁ ମନ୍ଦିର ବେଢା ପ୍ରାଙ୍ଗଣରେ ଏକ ଅସ୍ଥାୟୀ ମଣ୍ଡପ ନିର୍ମାଣ କରାଯିବା ସହିତ ଜଗନ୍ନାଥଙ୍କୁ ସେଠାରେ ବିଜେ କରାଯାଇ ଘଟସ୍ଥାପନ, ଦ୍ୱାରପାଳ ପୂଜା, ସୂର୍ଯପୂଜା ଅନୁଷ୍ଠିତ ହୋଇଛି । ତାହାସହ ପୂର୍ଣ୍ଣିମା ଦିନ ବିଶ୍ୱ କଲ୍ୟାଣ ଉଦ୍ୟେଶରେ ମହାଯଜ୍ଞ ଅନୁଷ୍ଠିତ ହେବ ବୋଲି ମନ୍ଦିର ସେବାୟତ ଓ ଆୟୋଜକଙ୍କ ପକ୍ଷରୁ ପ୍ରକାଶ ପାଇଛି। ଅନ୍ୟପଟେ ଶୁକ୍ରବାର ପଞ୍ଚକ ବ୍ରତ ଅବସରରେ ଭୋର ୪ଟାରେ ଦ୍ୱାର ଫିଟା ଯିବା ପରେ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି ଆଦି ସମସ୍ତ ନୀତିକାନ୍ତି ଅପରାହ୍ଣ ସୁଧାସରିବା ପରେ ମଣିବାବାଙ୍କୁ ବିଭିନ୍ନ ଅଳଙ୍କାରରେ ଆଭୁଷଣ କରାଯାଇ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇଥିଲା। ପରେ ଅନ୍ୟାନ ନୀତି ଧୂପ ଲାଗି ହୋଇଥିଲା।

Comments are closed.