ସର୍ବଦଳୀୟ ବୈଠକରେ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଶ୍ଵାସନା; କହିଲେ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ

କାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏଥିରେ ୨୭ଟି ଦଳ ଯୋଗଦେଇଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀମାନଙ୍କୁ ଆଶ୍ଵାସନା ଦେଇ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ତେବେ ଏହି ଅବସରରେ ବିରୋଧୀମାନେ ଲୋକସଭା ସଦସ୍ୟ ଫାରକୁ ଅବଦୁଲ୍ଲାଙ୍କ ବନ୍ଦୀ ପ୍ରସଙ୍ଗ ଉଠାଇବା ସହିତ ତାଙ୍କୁ ଗୃହରେ ଭାଗନେବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ। ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ସରକାର ଦ୍ବାରା ଡକାଯାଇଥିବା ଏହି ବୈଠକରେ ବିରୋଧୀମାନେ ଦାବି କରୁଛନ୍ତି ଯେ, ସଂସଦ ଅଧିବେଶନ ସମୟରେ ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାରୀ ଏବଂ କୃଷି ସଙ୍କଟ ପ୍ରସଙ୍ଗ ଉପରେ ଆଲୋଚନା ହେବା ଦରକାର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ସଂସଦର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହେଉଛି ଆଲୋଚନା ଏବଂ ଯୁକ୍ତି କରିବା। ଏହି ଅଧିବେଶନ ପୂର୍ବ ଅଧିବେଶନ ଭଳି ଫଳପ୍ରଦ ହେବା ଆବଶ୍ୟକ। ସରକାର ଗୃହର ନିୟମ ଏବଂ ପ୍ରକ୍ରିୟାଗୁଡ଼ିକ ଆଧାରରେ ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମୋଦୀ କହିଥିଲେ।

ତେବେ ଫାରୁକ ଅବଦୁଲ୍ଲାଙ୍କୁ ଗୃହ କାର୍ଯ୍ୟରେ ଭାଗନେବା ଲାଗି ସୁଯୋଗ ଦେବା ପାଇଁ ବିରୋଧୀମାନେ ସର୍ବଦଳୀୟ ବୈଠକରେ ଦାବି କରିଥିଲେ ହେଁ ସରକାରଙ୍କ ପକ୍ଷରୁ ଏହା ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇ ନ ଥିଲା। ନ୍ୟାଶନାଲ କନଫରେନ୍ସ ନେତା ହସନୈନ ମସୁଦୀ କହିଛନ୍ତି ଯେ, ଫାରୁକ ଅବଦୁଲ୍ଲାଙ୍କ ବନ୍ଦୀ ପ୍ରସଙ୍ଗ ସର୍ବଦଳୀୟ ବୈଠକରେ ଉପସ୍ଥାପନ କରାଯାଇଥିଲା। ସଂସଦର ଅଧିବେଶନରେ ତାଙ୍କ ଯୋଗଦାନ ସୁନିଶ୍ଚିତ କରିବା ସରକାରଙ୍କ ସାମ୍ବିଧାନିକ ଦାୟିତ୍ଵ। ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ପ୍ରଶ୍ନ କରି କହିଥିଲେ ଯେ, କୌଣସି ସାଂସଦଙ୍କୁ ବେଆଇନ ଭାବେ କିପରି ବନ୍ଦୀ କରି ରଖାଯାଇପାରିବ ? ତାଙ୍କୁ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବା ଲାଗି ଅନୁମତି ଦିଆଯିବା ଉଚିତ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଥାବରଚନ୍ଦ ଗେହଲଟ, ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ରାମଗୋପାଳ ଯାଦବ  ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ପରେ ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି ଯେ, ବିଭିନ୍ନ ଦଳର ନେତାମାନେ ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି। ଏହା ଉପରେ ନଭେମ୍ବର ୧୮ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ହେବାକୁ ଥିବା ଶୀତକାଳୀନ ଅଧିବେଶନ ସମୟରେ ଫଳପ୍ରଦ ଆଲୋଚନା ହେଉ ବୋଲି ସେ ଚାହୁଁଛନ୍ତି।

Comments are closed.