ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା ଏମ୍ସ

ଭୁବନେଶ୍ୱର: ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍ସ)ରେ ଏଣିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସୁବିଧା ମିଳିବ। ଏ ନେଇ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏମ୍ସ ଏବଂ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ବିଭାଗର ସଚିବ ଡ. ପ୍ରମୋଦ କୁମାର ମେହେର୍ଦା, ଏମ୍ସ ଭୁବନେଶ୍ୱର ନିର୍ଦେଶିକା ଡ. ଗୀତାଞ୍ଜଳି ବି. ଏବଂ ଅନ୍ୟାନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟରେ ୨୦୧୮ ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ। ସେଥିରେ ୧୯୬ ଘରୋଇ ଡାକ୍ତରଖାନା ତାଲିକାଭୁକ୍ତ ହୋଇଥିବା ବେଳେ ଆଜି ଏମ୍ସ ଭୁବନେଶ୍ୱର ସେଥିରେ ଯୋଡି ହୋଇଛି।

ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିନା ମୂଲ୍ୟରେ ଚିକିତ୍ସା ପ୍ରଦାନ ସଂକ୍ରାନ୍ତରେ ମନ୍ତ୍ରୀ ଶ୍ରୀ ଦାସ ଆଜି ବିଭିନ୍ନ ଘରୋଇ ଡାକ୍ତରଖାନାର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। କୌଣସି ପରିସ୍ଥିତିରେ ଗରିବ ଲୋକେ ଯେପରି ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି। ଘରୋଇ ଡାକ୍ତରଖାନାଗୁଡିକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଗାଉଥିବା ଚିକିତ୍ସା ସଂକ୍ରାନ୍ତ ରିପୋର୍ଟ, ପ୍ରତି ମାସରେ କେତେଜଣ, କେଉଁ ଅଞ୍ଚଳର କେଉଁ ରୋଗରେ ଆକ୍ରାନ୍ତ ରୋଗୀ ସିଧାସଳଖ ଆଡମିଶନ ହୋଇଛନ୍ତି କିମ୍ବା ସିଡିଏମ୍‍ଓଙ୍କ ଦ୍ୱାରା ରେଫର ହୋଇ ଆସିଛନ୍ତି ସେ ସବୁର ବିସ୍ତୃତ ବିବରଣୀ ‍ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ସେହିପରି ଘରୋଇ ଡାକ୍ତରଖାନାଗୁଡ଼ିକର ଏ ବାବଦ ବିଲ୍‍ ପ୍ରଦାନକୁ ଡିଏମ୍‍ଇଟି ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଯେଉଁ ସବୁ ବିଲ୍‍ ବାକି ରହିଛି ବା ଆସିବ ସେ ସବୁକୁ ତୁରନ୍ତ ପ୍ରଦାନ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ।

ମନ୍ତ୍ରୀ ଶ୍ରୀ ଦାସ ରାଜ୍ୟରେ କର୍କଟ ରୋଗ ନିରାକରଣ ସଂକ୍ରାନ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଥି‌େ‌ଲ। ଓଡିଶା କ୍ୟାନସର କେୟାର ଫାଉଣ୍ଡେସନ ଗଠନ ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ଫାଉଣ୍ଡେସନର ପ୍ରଥମ ବୈଠକ ଆସନ୍ତା ଜୁଲାଇ ୧୫ରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ବାରଙ୍ଗଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଆପେକ୍ସ କର୍କଟ କେନ୍ଦ୍ର ନିର୍ମାଣଚ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାବ୍ୟତୀତ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ରାଗୀଙ୍କ ଭିଡ଼ ହ୍ରାସ କରିବା ନିମନ୍ତେ ଏହାର ସଂପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯିବା ନିମନ୍ତେ ବୈଠକରେ ଆଲୋଚନା ହୋଇଛି।

Comments are closed.