ଆଫ୍‌ଗାନିସ୍ତାନ ଟି-୨୦ ସିରିଜ୍ ବିଜୟୀ

ଲକ୍ଷ୍ନୌ, ୧୭।୧୧: କ୍ରମାଗତ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଜିତିବା ସହ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏଠାରେ ଚାଲିଥିବା ଟ୍ବେଣ୍ଟି୨୦ ସିରିଜ୍‌କୁ ଜିତିନେଇଛି ଆଫ୍‌ଗାନିସ୍ତାନ। ରହମନୁଲ୍ଲା ଗୁର୍‌ବାଜଙ୍କ ଅର୍ଦ୍ଧଶତକ ବଳରେ ରବିବାର ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ୨୯ ରନ୍‌ରେ ଆଫ୍‌ଗାନିସ୍ତାନ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‌ର ଟି୨୦ ସିରିଜ୍‌କୁ ଆଫ୍‌ଗାନିସ୍ତାନ ୨-୧ରେ ଜିତିନେଇଛି। ଗୁର୍‌ବାଜଙ୍କ ୭୯ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ଆଫ୍‌ଗାନିସ୍ତାନ ୮ ୱିକେଟ ହରାଇ ୧୫୬ ରନ୍ କରିଥିଲା। ପରେ ସାଇ ହୋପ୍‌ଙ୍କ ଅର୍ଦ୍ଧଶତକ ବଳରେ ୨୦ ଓଭର ଶେଷରେ ୱେଷ୍ଟଇଣ୍ଡିଜ୍ ୭ ୱିକେଟରେ ୧୨୭ ରନ୍ କରି ପାରିଥିଲା।
ଆଫ୍‌ଗାନିସ୍ତାନ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେବା ପରେ ୪୪ ରନ୍‌ରେ ୩ଟି ୱିକେଟ ପଡ଼ି ଯାଇଥିଲା। ହଜ୍ରତୁଲ୍ଲା ଜାଜାଇ ୦, କରିମ୍ ଜନତ୍ ୨ ଓ ଇବ୍ରାହିମ୍ ଜାଦ୍ରାନ୍ ୧ ରନ୍‌କରି ବିଦାୟ ନେଇଥିଲେ। ଅସ୍‌ଗର ଆଫ୍‌ଗାନ ୨୦ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୪ ରନ୍ କରିଥିଲେ। ମହମ୍ମଦ ନବି ୧୫ ଓ ନଜିବୁଲ୍ଲା ଜାଦ୍ରାନ୍ ୧୪ ରନ୍ କରିଥିଲେ। ରହମନୁଲ୍ଲା ଗୁର୍‌ବାଜ ୫୨ ବଲ୍‌ରୁ ୫ଟି ଛକା ଓ ୬ଟି ଚୌକା ସହ ୭୯ ରନ୍ କରିଥିଲେ। ସେଲ୍‌ଡନ କଟ୍ରେଲ, କେସ୍ରିକ୍ ୱିଲିୟମ୍‌ସ ଓ କିମୋ ପଲ୍‌ ୨ଟି ଲେଖାଏଁ ୱିକେଟ ନେଇଥିଲେ। ୧୫୭ ରନ୍ ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ୍ ସହଳ ଲେଣ୍ଡଲ ସିମନ୍‌ସ (୭) ଓ ବ୍ରାଣ୍ଡନ୍ କିଙ୍ଗ୍ (୧)ଙ୍କ ୱିକେଟ ହରାଇଥିଲା। ପ​‌େ​‌ର ଏଭିନ୍ ଲୁଇସ୍ ୨୩ ବଲ୍‌ରୁ ୩ଟି ଚୌକା ସହ ୨୪ ରନ୍ କରିଥିଲେ। ସାଇ ହୋପ୍ ୪୬ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୫୨ ରନ୍ କରିଥିଲେ। ସିମ୍ରନ୍ ହେତ୍‌ମେୟର ଓ କୈରନ୍ ପୋଲାର୍ଡ ୧୧ ରନ୍ ଲେଖାଏଁ କରିଥିଲେ। ଆଫ୍‌ଗାନିସ୍ତାନର ନବିନ୍ ଉଲ୍‌ ହକ୍ ୩ଟି ୱିକେଟ ନେଇଥିଲେ। ରହମନୁଲ୍ଲା ଗୁର୍‌ବାଜ ପ୍ଲେୟର ଅଫ୍ ଦି ମ୍ୟାଚ୍ ଏବଂ କରିମ୍ ଜନତ୍ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।

Comments are closed.