ଭାରସାମ୍ୟ ହରାଇ ଓଲଟିଲା ଅଟୋ ୨ମୃତ, ୧୦ଆହତ

କୋରାପୁଟ : କୋରାପୁଟରୁ କାମ ସାରି ମହିଳା ଶ୍ରମିକମାନେ ଏକ ଟ୍ରଲି ଅଟୋ ଯୋଗେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ନିକଟସ୍ଥ ରେଲିକୁମ୍ଭାଗ୍ରାମକୁ ଫେରୁଥିବା ବେଳେ ଅଟୋଟି ଘାଟି ରାସ୍ତାରେ ଓହ୍ଲାଉ ଥିବା ବେଳେ ଭାରସାମ୍ୟ ହରାଇ ନିକଟସ୍ଥ ଘରର କାନ୍ଥରେ ପିଟି ଓଲଟି ଯାଇଥିଲା। ଫଳରେ ଅଟୋରେ ଥିବା ସମସ୍ତ ଶ୍ରମିକ ଚାପି ହୋଇ ଯାଇଥିଲେ। ନିକଟସ୍ଥ ସ୍ଥାନୀୟ ବାସିନ୍ଦା ଓ କୋରାପୁଟର ପୂର୍ବତନ ନଗର ପାଳ ଭଗବାନ ବାହୀନିପତି ତାଙ୍କ ଘର ନିକଟରେ ହୋଇଥିବାରୁ ଘଟଣାସ୍ଥଳରେ ପହଞ୍ଚି ଆମ୍ବଲାନ୍ସ ନ ମିଳିବାରୁ ଆହାତମାନଙ୍କୁ ତୁରନ୍ତ ସହିଦଲକ୍ଷ୍ମଣନାୟକ ମେଡିକାଲ କଲେଜକୁ ଏକ ଅଟୋ ଯୋଗେ ସ୍ଥାନାନ୍ତର କରିଥିଲେ। ମେଡିକାଲ ନେବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ଦୁଇଜଣ ହେଲେ ରେଲି କୁମ୍ଭାଗ୍ରାମର ପଦ୍ମାମୁଦୁଲି(୨୫), ଚଞ୍ଚଳା ମୁଦୁଲି(୨୦)। ଏବେ ୧୦ ଜଣ ଆହାତଙ୍କ ଚିକିତ୍ସା ଚାଲିଛି। ସେମାନଙ୍କ ମଧ୍ୟରୁ ଜଣେ ମେରୁଦଣ୍ଡ ଆଘାତରେ ଗୁରୁତର ହୋଇଥିବା ଜଣାପଡିଛି।

ପ୍ରକାଶ ଥାଉ କି, ପ୍ରତିଦିନ ଭଳି ସୋମବାର ଏକ ଟ୍ରଲି ଅଟୋ ଓଡି-୧୦ଏ ୯୨୭୭ କୋରାପୁଟ ପୌରପରିଷଦର ରେଲି କୁମ୍ଭା ଗ୍ରାମର ମହିଳାମାନଙ୍କୁ ନେଇ ସକାଳୁ କୁଲି କାମ ପାଇଁ କୋରାପୁଟ ସହରକୁ ନେଇ ଥାଏ ଓ ସନ୍ଧ୍ୟା ବେଳେ ଗ୍ରାମକୁ ଫେରାଇ ଆଣିଥାଏ। ଟ୍ରଲି ଅଟୋରେ ଶ୍ରମିକମାନଙ୍କୁ ନେବା ଆଣିବାର ଅନୁମତି ନଥିବା ବେଳେ ପ୍ରତିଦିନ କୋରାପୁଟ ସହରର ବହୁ କୁଲି ମଜୁରିଆଙ୍କୁ ଏହି ଟ୍ରଲି ଅଟୋ ଯୋଗେ ବୁହା ଯାଉଥିବା ଜଣାଯାଉଛି। କୋରାପୁଟ ଟାଉନ ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Comments are closed.