ଗୁରୁ ନାନକ ଦେବଙ୍କ ବାଣୀ ପ୍ରେମ, ଏକତା ଓ ଭାତୃତ୍ୱର ବାର୍ତ୍ତା ଦିଏ – ରାଷ୍ଟ୍ରପତି

ପଞ୍ଜାବ: ଶିଖ୍‍ ଗୁରୁ ଓ ଶିଖ୍‍ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଜୀଙ୍କର ୫୫୦ତମ ଜନ୍ମ ଦିବସ ଆଜି ପ୍ରକାଶପର୍ବ ଭାବେ ପାଳିତ ହେଉଛି। ୧୪୬୯ ମସିହା କାର୍ତ୍ତିକ ପୂର୍ଣ୍ଣିମାରେ ଗୁରୁ ନାନକଦେବ ଜନ୍ମଗ୍ରହଣ କରିଥିଲେ। ଏହି ଅବସରରେ ଶିଖ୍‍ ଧର୍ମାବଲମ୍ବୀମାନେ ବିଭିନ୍ନ ଲଙ୍ଗର ଆୟୋଜନ କରିଛନ୍ତି। ଏହି ଅବସରରେ ଦେବ ଦୀପାବଳୀ ମଧ୍ୟ ପାଳନ କରାଯାଉଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଞ୍ଜାବର ଐତିହାସିକ ସୁଲତାନପୁର ଲୋଧି ପରିଦର୍ଶନ କରିଛନ୍ତି। ଗୁରୁ ନାନକ ଦେବଜୀ ସୁଲତାନପୁର ଲୋଧିଠାରେ ୧୫ ବର୍ଷରୁ ଅଧିକ ସମୟ ବିତାଇଥିଲେ ଏବଂ ସେଠାରେ ତାଙ୍କୁ ଜ୍ଞାନପ୍ରାପ୍ତି ହୋଇଥିଲା। ରାଷ୍ଟ୍ରପତି ତାଙ୍କ ପତ୍ନୀଙ୍କ ସହ ଗୁରୁଦ୍ୱାର ବେର୍‍ ସାହିବରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଗୁରୁ ନାନକ ଦେବଙ୍କ ବାଣୀ ସମଗ୍ର ମାନବ ସମାଜକୁ ପ୍ରେମ, ଏକତା ଓ ଭାତୃତ୍ୱ ଭାବର ବାର୍ତ୍ତା ଦିଏ।

ତଥ୍ୟ ଓ ପ୍ରସାରଣମନ୍ତ୍ରୀ ପ୍ରକାଶ ଜାବଡେକର ନାନ୍ଦେଡ଼ର ହୁଜୁରସାହିବ ସଚଖଣ୍ଡ ଗୁରୁଦ୍ୱାରାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଗୁରୁପର୍ବ ଅବସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ବିହାର ପାଟନାରେ ଥିବା ତଖତ୍‍ ଶ୍ରୀ ଅରବିନ୍ଦର ସାହିବ ପୂଜାର୍ଚ୍ଚନା କରିବା ସହ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି। ଦେଶ ବିଦେଶର ଅନେକ ଶ୍ରଦ୍ଧାଳୁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗୁରୁ ନାନକ ଜୟନ୍ତୀ ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.