୪.୫% ଜିଡିପିରେ ୫ ଟ୍ରିଲିୟନ ଅର୍ଥନୀତି ସ୍ବପ୍ନ ସଦୃଶ

ଭୁବନେଶ୍ଵର(ବିଶେଷ ପ୍ରତିନିଧି): ଦେଶର ଅର୍ଥବ୍ୟବସ୍ଥା ବାରମ୍ବାର ନୈରାଶ୍ୟଜନକ ଫଳାଫଳ ଦେଉଛି। ସମ୍ପ୍ରତି ଜିଡିପି(ମୋଟ ଘରୋଇ ଉତ୍ପାଦ) ୪.୫%କୁ ଖସି ଆସିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୫ ଟ୍ରିଲିୟନ ଅର୍ଥନୀତିର ଘୋଷଣା ସ୍ବପ୍ନ ଦେଖିବା ଭଳି ମନେ ହେଉଛି। ବିଗତ ୬ବର୍ଷ ମଧ୍ୟରେ ଜିଡିପିର ଏହା ସର୍ବନିମ୍ନ ସ୍ତର ବୋଲି କୁହାଯାଇଛି। ହିନ୍ଦୁ, ମୁସଲମାନ, ଗୋଡ୍‌ସେ, ଗୋ-ଚାଲାଣ, କଂଗ୍ରେସ, ମହାରାଷ୍ଟ୍ର ଆଦି ମୂଲ୍ୟହୀନ ବିଷୟ ଉପରେ ଚର୍ଚ୍ଚା କରାଯାଉଛି। କିନ୍ତୁ ଦେଶର ଅର୍ଥବ୍ୟବସ୍ଥା ଉପରେ ଚର୍ଚ୍ଚା, ଆଲୋଚନା ବନ୍ଦ ହୋଇଯାଇଛି। ଜିଡିପିକୁ କୌଣସି ଏକ ଦେଶର ଆର୍ଥିକ ଆର୍ଥିକ ସ୍ଥିତିର ମାନଦଣ୍ଡ ବୋଲି କୁହାଯାଇଥାଏ। ଭାରତରେ ପ୍ରତିବର୍ଷ ୩ମାସରେ ଥରେ ଜିଡିପି ଗଣନା ହୋଇଥାଏ। ଦେଶର ୮ଟି ଔଦ୍ୟୋଗିକ କ୍ଷେତ୍ର ଯଥା କୃଷି, ଖଣି, ମାନୁଫାକ୍ଚରିଂ, ବିଦ୍ୟୁତ, ନିର୍ମାଣ, ବାଣିଜ୍ୟ, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ରକୁ ନେଇ ଜିଡିପି ସ୍ଥିର କରାଯାଇଥାଏ।

ଚଳିତ ଆର୍ଥିକବର୍ଷ ୨୦୧୯-୨୦ର ୨ୟ ତ୍ରିମାସରେ ଭାରତର ବିକାଶ ହାର ଅର୍ଥାତ ଜିଡିପି ୪.୫% ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏହା ଜାରି କରିଛି। ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ସଚିବ ପି.କେ. ମିଶ୍ର ଓଡ଼ିଶାର ସମ୍ବଲପୁରରେ ଭୀମସାରରେ ଦୀକ୍ଷାନ୍ତ ସମାରୋହରେ ଯୋଗଦେବା ଅବସରରେ ଦେଶର ଅର୍ଥବ୍ୟବସ୍ଥା ଭଲ ସ୍ଥିତିରେ ଥିବା କହିଥିଲେ। କେବଳ ଏତିକି ନୁହେଁ, ଦେଶ ୫ ଟିଲିୟନ ଅର୍ଥବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛି ବୋଲି କହିଥିଲେ। କିନ୍ତୁ ମିଶ୍ରଙ୍କ ଏହି ମନ୍ତବ୍ୟକୁ ଏବେ ସହଜରେ ଗ୍ରହଣ କରାଯାଇପାରୁନାହିଁ। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ୩ୟ ତ୍ରିମାସରେ ଜିଡିପି ଅଧିକ ମଜଭୁତ ହେବ ବୋଲି କହୁଛନ୍ତି। ବିଗତ ବର୍ଷଗୁଡ଼ିକ ଉପରେ ନଜର ଦେଲେ ବର୍ତ୍ତମାନର ଜିଡିପି ସବୁଠାରୁ ନିମ୍ନ ସ୍ତରରେ ରହିଥିବା ସ୍ପଷ୍ଟ ହୋଇଛି। ସେହିପରି କିଛିଦିନ ଭିତରେ ଯେଉଁ ରିପୋର୍ଟ ସବୁ ହସ୍ତଗତ ହେଉଛି ସେଥିରେ ଦେଶବାସୀଙ୍କର ଖର୍ଚ୍ଚ କରିବାର କ୍ଷମତାରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି।

ଯଦି ଦେଶର ଆର୍ଥିକ ଛବିକୁ ଅନୁକରଣ କରାଯାଏ, ତେବେ ୮ଟି ପ୍ରମୁଖ କ୍ଷେତ୍ର(କୋର୍‌ ସେକ୍ଟର)ର ଅବସ୍ଥା ବି ଅତ୍ୟନ୍ତ ଖରାପ ରହିଛି। ଏଥିରେ ଉତ୍ପାଦନ ହାର ୫.୮%  ହ୍ରାସ ପାଇଛି, ଯାହା ଆର୍ଥିକ ମାନ୍ଦାବସ୍ଥାର ସିଧାସଳଖ ସଙ୍କେତ ଦେଉଛି। ଦେଶର କୋର୍‌ ସେକ୍ଟରର ୮ଟି ପ୍ରମୁଖ ଉଦ୍ୟୋଗ ମଧ୍ୟରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ରିଫାଇନରୀ ଉତ୍ପାଦ, ସାର, ଷ୍ଟିଲ, ସିମେଣ୍ଟ ଏବଂ ବିଦ୍ୟୁତ ପ୍ରମୁଖ ରହିଛି। ଦେଶର ମୋଟ ଉତ୍ପାଦନ ମଧ୍ୟରୁ କୋର୍‌ ସେକ୍ଟରର ଅବଦାନ ୪୦% ରହିଥାଏ। କିନ୍ତୁ ମାନୁଫାକ୍ଚରିଂ କ୍ଷେତ୍ରରେ ହ୍ରାସ ଏବଂ କୃଷି କ୍ଷେତ୍ରରେ ଗତବର୍ଷ ତୁଳନାରେ ନୈରାଶ୍ୟଜନକ ପ୍ରଦର୍ଶନ ଭିତରେ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୪.୫%ରେ ଅଟକି ଯାଇଛି। ଗତବର୍ଷ ୨୦୧୮-୧୯ ଆର୍ଥିକ ବର୍ଷର ଏହି ସମୟରେ ଜିଡିପି ଅଭିବୃଦ୍ଧି ହାର ୭% ରହିଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏହି ହାର ୫% ରହିଥିଲା। ଜାତୀୟ ପରିସଂଖ୍ୟାନ ସଂଗଠନ(ଏନଏସଓ) ଦ୍ବାରା ଗତ ଶୁକ୍ରବାର ଜାରି ହୋଇଥିବା ଜିଡିପି ତଥ୍ୟ ଅନୁସାରେ ଚଳିତ ଆର୍ଥିକବର୍ଷ ୨୦୧୯-୨୦ ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ସ୍ଥିର ମୂଲ୍ୟ(୨୦୧୧-୧୨) ଉପରେ ଜିଡିପି ୩୫.୯୯ ଲକ୍ଷ କୋଟି ଟଙ୍କା ରହିଥିଲା, ଯାହା ଗତବର୍ଷ ଏହି ସମୟ ମଧ୍ୟରେ ୩୪.୪୩ ଲକ୍ଷ କୋଟି ରହିଥିଲା। କିନ୍ତୁ ଏହି ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୪.୫% ରହିଲା। ଆଲୋଚ୍ୟ ତୈମାସରେ କୃଷି, ଜଙ୍ଗଲ ଏବଂ ମତ୍ସ୍ୟ ପାଳନ କ୍ଷେତ୍ରରେ ୨.୧% ଏବଂ ଖନନ ଓ ଉତ୍‌ଖନନ କ୍ଷେତ୍ରରେ ୦.୧% ଅଭିବୃଦ୍ଧି ଘଟିଛି। ଅନ୍ୟପଟେ ମାନୁଫାକ୍ଚରିଂ କ୍ଷେତ୍ରରେ ୧% ହ୍ରାସ ଘଟିଛି। ଏହି ୩ଟି କ୍ଷେତ୍ରରେ ସାମୁହିକ ଭାବେ ଖରାପ ପ୍ରଦର୍ଶନ ଯୋଗୁ ଆର୍ଥିକ ଅଭିବୃଦ୍ଧି ଦୁର୍ବଳ ରହିଛି।

ଏହାବ୍ୟତୀତ ବିଦ୍ୟୁତ, ଗ୍ୟାସ, ଜଳ ଯୋଗାଣ ଏବଂ ଅନ୍ୟ ଉପଯୋଗୀ ସେବାଗୁଡ଼ିକ କ୍ଷେତ୍ରରେ ଚଳିତ ଆର୍ଥିକବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ୩.୬% ଏବଂ ନିର୍ମାଣ କ୍ଷେତ୍ରରେ ୩.୩% ଅଭିବୃଦ୍ଧି ଘଟିବାର ଅନୁମାନ କରାଯାଇଛି। ଏହି ତ୍ରୈମାସରେ ଜିଭିଏ(ମୋଟ ମୂଲ୍ୟ ବର୍ଦ୍ଧିତ) ୪.୩% ରହିଛି। ଗତବର୍ଷ ଏହି ସମୟରେ ଏହା ୬.୯% ଥିଲା। ଶେୟାର ବଜାରରେ ଗତ ୨ଦିନ ଧରି ଭଲ ବ୍ୟବସାୟ ହୋଇଥିବାବେଳେ ଗତ ଶୁକ୍ରବାର ଏଥିରେ ବିରାମ ଲାଗିଯାଇଥିଲା। ଜିଡିପି ଅଭିବୃଦ୍ଧି ତଥ୍ୟ ସାମ୍ନାକୁ ଆସିବା ପୂର୍ବରୁ ନିବେଶକମାନେ ସତର୍କ ହୋଇଯାଇଥିବା ଦେଖାଯାଇଥିଲା।

ସେନ୍‌ସେକ୍ସ ୪୬୬ ଅଙ୍କ ହ୍ରାସ ପାଇଥିଲା। ପରେ ଏଥିରେ ସୁଧାର ଆସିଥିଲା ଏବଂ ଶେଷରେ ଏହା ୪୦,୭୯୩.୮୧ ଅଙ୍କରେ ବନ୍ଦ ହୋଇଥିଲା। ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜରେ ନିଫଟି ବି ୯୫.୧୦ ଅଙ୍କ ଅର୍ଥାତ୍‌ ୦.୭୮% ହ୍ରାସ ପାଇଁ ୧୨,୦୫୬.୦୫ ଅଙ୍କରେ ବନ୍ଦ ହୋଇଥିଲା। ସେନ୍‌ସେକ୍ସ ଶେୟାରରେ ୟେସ୍‌ ବ୍ୟାଙ୍କକୁ ସର୍ବାଧିକ କ୍ଷତି ହୋଇଛି। ବ୍ୟାଙ୍କର ଶେୟାର ୨.୫% ତଳକୁ ଖସିଆସିଛି। ଏହା ପଛକୁ ଏଚୟୁଏଲ(୨.୩୭%), ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା(୨.୧୨%), ଏସବିଆଇ(୨.୦୩%), ଟାଟା ମୋଟର୍ସ(୨.୦୩%), ବେଦାନ୍ତ(୧.୯୭%) ରହିଛି। ଅନ୍ୟପଟେ ଭାରତୀ ଏୟାରଟେଲ, ଏଚଡିଏଫସି ବ୍ୟାଙ୍କ ଏବଂ ଏନଟିପିସି ଲାଭରେ ରହିଥିଲେ।

Comments are closed.