ପାକିସ୍ତାନରେ ୨ ଭାରତୀୟ ଗିରଫ, ଆତଙ୍କବାଦ ମାମଲାରେ ଛନ୍ଦିବା ଆଶଙ୍କା

ନୂଆଦିଲ୍ଲୀ: ପାକିସ୍ତାନରେ ୨ ଭାରତୀୟ ନାଗରିକ ଗିରଫ ହୋଇଛନ୍ତି। ସେମାନେ ହେଲେ ପ୍ରଶାନ୍ତ ବୈନ୍ଦମ ଏବଂ ବାରି ଲାଲ। ଏ ନେଇ ପାକିସ୍ତାନୀ ଗଣମାଧ୍ୟମରେ ଏକାଧିକ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ ୨ ଭାରତୀୟଙ୍କୁ ଆତଙ୍କବାଦ ମାମଲାରେ ଛନ୍ଦି ଏହାକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିପାରେ ବୋଲି ଭାରତ ଆଶଙ୍କା କରିଛି।

କିଛିମାସ ତଳେ ୨ ଜଣ ଭାରତୀୟ ଅନିଚ୍ଛାକୃତ ଭାବେ ପାକିସ୍ତାନ ସୀମା ଅତିକ୍ରମ କରିଥିବା ନେଇ ଭାରତ ପକ୍ଷରୁ ଇସଲାମାବାଦକୁ ଅବଗତ କରାଯାଇଥିଲା। କିନ୍ତୁ ଇସଲାମାବାଦ ପକ୍ଷରୁ କୌଣସି ଉତ୍ତର ମିଳି ନ ଥିଲା। ଏବେ ଦୁଇ ଭାରତୀୟଙ୍କୁ ପାକିସ୍ତାନ ଗିରଫ କରିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି। ପାକିସ୍ତାନ ଏମାନଙ୍କୁ ଗିରଫ କରି ଆତଙ୍କବାଦରେ ଭାରତୀୟଙ୍କ ସମ୍ପୃକ୍ତି ଦର୍ଶାଇ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା କରିପାରେ ବୋଲି ସମ୍ପୃକ୍ତ ଅଧିକାରୀ ଆଶଙ୍କା କରିଛନ୍ତି।

ଗତ ମେ ୨୩ରେ ଭାରତୀୟ ଦୂତାବାସ ପକ୍ଷରୁ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟକୁ ଅବଗତ କରାଯାଇଥିଲା ଯେ, ବିଶାଖାପାଟଣା ନିବାସୀ ପ୍ରଶାନ୍ତ ବୈନ୍ଦମ ଅଜାଣତରେ ପାକିସ୍ତାନ ସୀମା ଅତିକ୍ରମ କରିଛନ୍ତି ଏବଂ ପାକ୍‌ ରେଞ୍ଜର୍ସ ତାଙ୍କୁ ଗିରଫ କରିଛନ୍ତି। ପ୍ରଶାନ୍ତଙ୍କୁ ଦୂତାବାସ ପକ୍ଷରୁ ସହାୟତା କରିବାକୁ ପାକିସ୍ତାନକୁ କୁହାଯାଇଥିଲା, କିନ୍ତୁ କୌଣସି ଉତ୍ତର ମିଳି ନ ଥିଲା। ଗତ ନଭେମ୍ବର ୧୩ରେ ମଧ୍ୟ ଭାରତ ପକ୍ଷରୁ ଏ ନେଇ ଇସଲାମାବାଦକୁ ଅବଗତ କରାଯାଇ ପ୍ରଶାନ୍ତଙ୍କ ସମେତ ୩ ଭାରତୀୟ ରାମ ଦାସ୍‌, ବାରି ଲାଲ ଏବଂ ଯଶୀ ସିଂହଙ୍କୁ ଦୂତାବାସ ସହାୟତା ଯୋଗାଇବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ କିଛି ଉତ୍ତର ଦିଆଯାଇ ନ ଥିଲା।

ସେହିପରି କାବୁଲରେ ଏକ କନ୍‌ସଲଟିଂ ଫାର୍ମରେ କାର୍ଯ୍ୟ କରୁଥିବା ଅନ୍ୟଜଣେ ଭାରତୀୟ ଗୋବିନ୍ଦ ପଟ୍ଟନାୟକ ଦୁଗିଭାଲାସାଙ୍କୁ ପାକିସ୍ତାନୀ ସୁରକ୍ଷା ସଂସ୍ଥା ଅପହରଣ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ପାକିସ୍ତାନ ଗୋବିନ୍ଦଙ୍କୁ ଆତଙ୍କବାଦୀ ଦର୍ଶାଇ ଚୀନ ସହାୟତାରେ ଜାତିସଂଘ ସୁରକ୍ଷା ପରିଷଦ କମିଟି ସମ୍ମୁଖରେ ହାଜର କରିବାକୁ ଯୋଜନା କରୁଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥାଠାରୁ ସୂଚନା ମିଳିଛି।

Comments are closed.