ରାଜ୍ୟରେ ଜଳସେଚିତ ହୋଇଛି ୪୧.୮୯ ଲକ୍ଷ ହେକ୍ଟର ଜମି

ଭୁବନେଶ୍ୱର : ୨୦୦୯ ମସିହା ମାର୍ଚ୍ଚ ​‌ଶେଷ ସୁଦ୍ଧା ରାଜ୍ୟରେ ୨୮.୬୯ ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନର ସୁବିଧା କରାଯାଇଥିଲା। ୨୦୦୯ ଏପ୍ରିଲଠାରୁ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଅଧିକ ୧୩.୨୦ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନର ସୁବିଧା କରାଯାଇଛି। ୨୦୧୯ ମସିହା ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ମୋଟ ୪୧.୮୯ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା କରାଯାଇଛି ବୋଲି ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଅନୁପସ୍ଥିତିରେ ତାଙ୍କ ତରଫରୁ ଭାରପ୍ରାପ୍ତ ମନ୍ତ୍ରୀ ଭାବେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।
ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଏକ ପ୍ରଶ୍ନ ଉପରେ ମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲାରେ ୧୫ଟି ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ, ୧୫୩ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ୧୧୭ଟି ବୃହତ ଉଠାଜଳସେଚନ, ୮୩୨ଟି ଆଡ଼ିବନ୍ଧ ଏବଂ ୧୪୫୦ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ୨୫ଟି ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନାବାର୍ଡ଼ ସହାୟତାରେ ନିର୍ମାଣ କରାଯାଉଛି। ଚଳିତ ବର୍ଷ ଆହୁରି ୧୫ଟି ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯିବ। ଏହାବ୍ୟତୀତ ଚଳିତବର୍ଷ ରାଜ୍ୟରେ ୨୦ହଜାର ଗଭୀର ନଳକୂପ ଓ ୬୦୦ଟି ଅଗଭୀର ନଳକୂପ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରହିଛି।
ଜୟପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋରଗୁମ୍ମା ଗ୍ରାମ ପଞ୍ଚାୟତର ଭୌଗୋଳିକ ସ୍ଥିତି ଭିନ୍ନ ଥିବାରୁ ସେ ଅଞ୍ଚଳରେ ତେଲିଙ୍ଗିରି ଜଳପ୍ରକଳ୍ପ ପାଣି ମାଡ଼ିବାର ସମ୍ଭାବନା ଅଛି କି ନା, ଏହାକୁ ଦୃଷ୍ଟିରେ ରଖି ସେହି ପଞ୍ଚାୟତର ସମସ୍ତ ଗ୍ରାମ ପାଇଁ ମେଗା ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ କି ବୋଲି ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ ଜୟପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋରିଗୁମ୍ମା ଗ୍ରାମ ପଞ୍ଚାୟତରେ ମେଗା ଲିଫ୍ଟ ପ୍ରକଳ୍ପ ମାଧ୍ୟମରେ ଜଳସେଚନ କରିବା ପାଇଁ ବର୍ତ୍ତମାନ କୌଣସି ଯୋଜନା ନାହିଁ।
ତେବେ ଗୃହରେ ଆଲୋଚନା ପରିସରକୁ ଆସି ନଥିଲେ ମଧ୍ୟ ମନ୍ତ୍ରୀ ରଖିଥିବା ଉତ୍ତରରେ କୁହାଯାଇଛି ଯେ ରାଜ୍ୟରେ ପ୍ରତି ବ୍ଳକରେ ୩୫ଭାଗ ଜଳସେଚନ ସୁବିଧା ଯୋଗାଇବାକୁ ୨୦୦୫ରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୧୯୮ଟି ନିଅଣ୍ଟିଆ ବ୍ଳକରେ ୨୦୦୫ରୁ ୨୦୧୦ ମଧ୍ୟରେ ୩୫ଭାଗ ଜଳସେଚନ ପାଇଁ ବିଭିନ୍ନ ବିଭାଗରୁ ୯୧୮୭.୧୪କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇ ରାଜ୍ୟରେ ଅଧିକ ୧୦୧୦୪୨୮ ହେକ୍ଟର ଚାଷ ଜମିରେ ସେଚ ସୁବିଧା ସୃଷ୍ଟି କରାଯିବାର ଲକ୍ଷ୍ୟ ରହିଥିଲା। କିନ୍ତୁ ବାସ୍ତବରେ ଏହି ସମୟ ସୁଦ୍ଧା ୬୦୪୪.୬୬କୋଟି ଟଙ୍କା ବିନିଯୋଗ କରାଯାଇ ୨୫୪୮୯୪ ହେକ୍ଟର ଜମିକୁ ଜଳସେଚନ ସୁବିଧା ସୃଷ୍ଟି କରାଯାଇଥିଲା। ମୁଖ୍ୟତଃ ଜମି ଅଧିଗ୍ରହଣ, ପୁନର୍ବସତି ଓ ଥଇଥାନ, ଜଙ୍ଗଲ ଓ ପରିବେଶ ମଞ୍ଜୁରି ଓ କିଛି ବ୍ଳକରେ ଭୌଗୋଳିକ ଅବସ୍ଥିତି ଜନିତ କାରଣରୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣରେ ବାଧା ସୃଷ୍ଟି ହୋଇଥିଲା।

Comments are closed.