୪୯ ଆସନ ବିଶିଷ୍ଟ ଓଡ଼ିଶା ବିଧାନ ପରିଷଦ ସଂକଳ୍ପ ପାରିତ:

ଭୁବନେଶ୍ୱର: ଗୁରୁବାର ବିଧାନସଭାରେ ବିଧାନ ପରିଷଦ ଗଠନ ନେଇ ଉପସ୍ଥାପିତ ସଙ୍କଳ୍ପ ବହୁମତରେ ପାରିତ ହୋଇଛି। ସଙ୍କଳ୍ପ ଉପରେ ଆଲୋଚନା ବେଳେ ନିଜ ଦଳର ଲୋକଙ୍କୁ ଥଇଥାନ କରିବା ପାଇଁ ସରକାର ବିଧାନ ପରିଷଦ ଗଠନ ନେଇ ଯୋଜନା କରୁଥିବା ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଅଭିଯୋଗ କରିଥିଲେ। ବିଧାନ ପରିଷଦ ଗଠନର ଆବଶ୍ୟକତା ନଥିବା ପ୍ରକାଶ କରି ଏହାକୁ ବିରୋଧ କରିବା ସହ ସେମାନେ କକ୍ଷତ୍ୟାଗ କରିଥିଲେ। ସଙ୍କଳ୍ପ ପାରିତ କରିବାକୁ ଏହା ସପକ୍ଷରେ ଦୁଇ ତୃତୀୟାଂଶ ସଦସ୍ୟଙ୍କ ମତ ରହିବା ଆବଶ୍ୟକ ଥିବାରୁ ବାଚସ୍ପତି ଭୋଟଦାନ ପାଇଁ ସଦସ୍ୟଙ୍କୁ କହିଥିଲେ। ବିରୋଧୀ ଅନୁପସ୍ଥିତ ଥିବାବେଳେ ଗୃହରେ ଉପସ୍ଥିତ ୧୦୪ ଜଣ ସଦସ୍ୟ ସଙ୍କଳ୍ପ ସପକ୍ଷରେ ଭୋଟ ଦେଇଥିଲେ। ବିପକ୍ଷରେ କୌଣସି ଭୋଟ ପଡ଼ିନଥିଲା। ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତଦାନ କରିଥିଲେ।
ବିଧାନ ପରିଷଦ ସଙ୍କଳ୍ପ ଉପରେ ଦୀର୍ଘ ତିନି ଘଣ୍ଟା ଧରି ଆଲୋଚନା ହୋଇଥିଲା। ସଙ୍କଳ୍ପ ଉପସ୍ଥାପନ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ କହିଥିଲେ, ରାଜ୍ୟରେ ଥିବା ଆଇନ ପ୍ରଣୟନ ବ୍ୟବସ୍ଥାକୁ ଏହା ଅଧିକ ସୁଦୃଢ଼ କରିବ। ସୁଶାସନ ଓ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ଏକ ଉତ୍ତମ ଓ ବ୍ୟାପକ ବିଧି ବ୍ୟବସ୍ଥା ପ୍ରତିଷ୍ଠା ଦିଗରେ ଓଡ଼ିଶା ବିଧାନ ପରିଷଦ ଗଠନର ଭୂମିକା ଗୁରୁତ୍ବପୂର୍ଣ୍ଣ। ବିଧାନ ପରିଷଦ
ଗଠନ ପାଇଁ ସମ୍ବିଧାନର ୧୬୯(୧)ର ବ୍ୟବସ୍ଥା ଅନୁଯାୟୀ ବିଧାନସଭା ଦ୍ବାରା ଏହା ପାରିତ ହେବାର ଆବଶ୍ୟକତା ରହିଛି। ସେ ସଙ୍କଳ୍ପ ଉପସ୍ଥାପନ କରି ବିଧାନ ପରିଷଦ ଗଠନ ସମ୍ପର୍କରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ ଅନ୍ୟ କେତେକ ରାଜ୍ୟ ଭଳି ଓଡ଼ିଶାରେ ଏକକ ବିଧାନମଣ୍ଡଳ ବ୍ୟବସ୍ଥା ପ୍ରଚଳିତ ଅଛି। ଏହି ବ୍ୟବସ୍ଥାରେ ରାଜ୍ୟ ସ୍ବାର୍ଥ ପାଇଁ ଆବଶ୍ୟକ ପଡୁଥିବା ଆଇନ ପ୍ରଣୟନ କାର୍ୟ୍ୟ ସୂଚାରୁ ରୂପେ ସମ୍ପାଦିତ ହୋଇ ଆସୁଛି। ଆମ ରାଜ୍ୟରେ କେତେକ ଗୁରୁତ୍ବପୂର୍ଣ୍ଣ ସମସ୍ୟାର ଶାଣିତ ଆଲୋଚନା, ସୁଶାସନ ଏବଂ ଜନକଲ୍ୟାଣ ପାଇଁ ବିଧାନ ପରିଷଦର ଆବଶ୍ୟକତା ରହିଛି। ଏହାଦ୍ବାରା ରାଜ୍ୟ ସମ୍ବଳିତ ବିଭିନ୍ନ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ହୋଇପାରିବ। ବିଧାନ ପରିଷଦରେ ବିଧାନସଭାରେ ପାରିତ ବିଧେୟକଗୁଡ଼ିକର ଅଧିକ ତର୍ଜମା କରାଯାଇ ପାରିବ। ଏସବୁର ଯାଞ୍ଚ ମଧ୍ୟ ହୋଇପାରିବ।
ଏବେ ସାତଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ବିଧାନ ପରିଷଦ ବ୍ୟବସ୍ଥା ରହିଛି। ରାଜ୍ୟ ସରକାରଙ୍କ ଦ୍ବାରା ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର ଓ ତେଲେଙ୍ଗାନା ରାଜ୍ୟ ଗସ୍ତ କରି ସଂପୃକ୍ତ ରାଜ୍ୟଗୁଡ଼ିକରେ ବିଧାନ ପରିଷଦ କାର୍ୟ୍ୟକାରିତାର ଅନୁଧ୍ୟାନ କରିଥିଲେ। ସେମାନେ ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ସୁପାରିସ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି ପ୍ରସ୍ତାବ ଗତ ୨୪ ତାରିଖ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି।
ଓଡ଼ିଶାରେ ବିଧାନ ପରିଷଦ ଗଠନ ହେଲେ ଏହାର ସଭ୍ୟ ସଂଖ୍ୟା ୪୯ ରହିବ। ଏହାର ଏକ ତୃତୀୟାଂଶ ଅର୍ଥାତ ୧୬ ଜଣ ବିଧାନସଭାର ସଦସ୍ୟଙ୍କ ଦ୍ବାରା ନିର୍ବାଚିତ ହେବେ। ସେହିପରି ଆଉ ଏକ ତୃତୀୟାଂଶ ଅର୍ଥାତ ୧୬ଜଣ ଜିଲା ପରିଷଦ, ପଞ୍ଚାୟତ ସମିତି ଓ ସହରାଞ୍ଚଳ ଲୋକପ୍ରତିନିଧିଙ୍କ ଦ୍ବାରା ନିର୍ବାଚିତ ହେବେ। ୪ଜଣ ସଦସ୍ୟ ରାଜ୍ୟରେ ତିନି ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ଥିବା ସ୍ନାତକମାନଙ୍କୁ ନେଇ ଏକ ଇଲେ​‌େ​‌କ୍ଟାରାଲ କଲେଜ ମାଧ୍ୟମରେ ଏବଂ ୪ଜଣ ମାଧ୍ୟମିକ ଓ ତଦୁର୍ଦ୍ଧ୍ବ ବିଦ୍ୟାଳୟରେ ୩ବର୍ଷର ଅଭିଜ୍ଞତା ଥିବା ଶିକ୍ଷକଙ୍କୁ ନେଇ ଗଠିତ ଇଲେ​‌େ​‌କ୍ଟାରାଲ କଲେଜ ମାଧ୍ୟମରେ ନିର୍ବାଚିତ ହେବେ। ଅବଶିଷ୍ଟ ୯ ଜଣ କଳ, ସମବାୟ ଓ ସାମାଜିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଏବଂ ଏହି କ୍ଷେତ୍ରରେ କାର୍ୟ୍ୟରତ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ରାଜ୍ୟପାଳଙ୍କ ଦ୍ବାରା ମନୋନୀତ ହେବେ। ଏହିସବୁ ବର୍ଗର ବ୍ୟକ୍ତିମାନେ ସେମାନଙ୍କ ଅନୁଭୂତି ଓ ଅଭିଜ୍ଞତା ମାଧ୍ୟମରେ ଆଇନ ପ୍ରଣୟନ ବେଳେ ସୁଚିନ୍ତିତ ମତବ୍ୟକ୍ତ କରିପାରିବେ।
ବିଧାନ ପରିଷଦ ଏକ ସ୍ଥାୟୀ ଗୃହ ହିସାବରେ କାର୍ୟ୍ୟ କରିବ। ଯାହାର ଏକ ତୃତୀୟାଂଶ ସଭ୍ୟ ପ୍ରତି ଦୁଇବର୍ଷରେ ଅବସର ନେବେ। ବର୍ତ୍ତମାନ ପାଇଁ ଭୁବନେଶ୍ବରସ୍ଥିତ ସର୍ଦ୍ଦାର ପଟେଲ ହଲ(ପୁରୁଣା ବିଧାନ ସୌଧ)ରେ ଏହା କାର୍ୟ୍ୟକ୍ଷମ ହୋଇପାରିବ। ଓଡ଼ିଶା ବିଧାନସଭା ସମ୍ମିଳନୀକକ୍ଷର ତଳ ମହଲାକୁ ଉଭୟ ଗୃହର ମିଳିତ ବୈଠକରେ ରାଜ୍ୟପାଳଙ୍କ ଅଭିଭାଷଣ ନିମନ୍ତେ ମୁଖ୍ୟ କକ୍ଷ ଭାବେ ବ୍ୟବହାର କରାଯାଇପାରିବ। ବିଧାନ ପରିଷଦ ପାଇଁ ବାର୍ଷିକ ପ୍ରାୟ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଥିଲେ।
ଆଲୋଚନାରେ ଭାଗ ନେଇ କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ, ରାଜ୍ୟରେ ଶିକ୍ଷକ, ଡାକ୍ତରଙ୍କ ଅଭାବ ରହିଛି। ଦୁର୍ନୀତିରେ ଜଡ଼ିତ ଲୋକଙ୍କ ଥଇଥାନ ପାଇଁ ସରକାର ଏଭଳି ସଙ୍କଳ୍ପ ଆଣିଛନ୍ତି। ଅର୍ଥାଭାବରୁ ଶିକ୍ଷକଙ୍କ ସମସ୍ୟା ସମାଧାନ କରିପାରୁନାହାନ୍ତି। ସରକାର ୭୫ହଜାର କୋଟି ଟଙ୍କା ଋଣ କରିଥିବା ବେଳେ ପୁଣି ୩୫ କୋଟି ଟଙ୍କା ବ୍ୟୟ କରିବାରେ ଯଥାର୍ଥତା ନାହିଁ। ଚାଷୀଙ୍କୁ ପେନସନ ଦେଲେ ଆମେ ସଙ୍କଳ୍ପକୁ ସମର୍ଥନ କରିବୁ କହିଥିଲେ। କଂଗ୍ରେସର ପ୍ରଫୁଲ୍ଲ ମାଝି, ଜାକବ ପ୍ରଧାନ ପ୍ରମୁଖ ବିଧାନ ପରିଷଦ ଗଠନକୁ ବିରୋଧ କରି ଏହା କେବଳ ବିଜେଡି ଦଳୀୟ ନେତାଙ୍କୁ ଥଇଥାନ ପାଇଁ କରୁଥିବା ପ୍ରକାଶ କରିଥିଲେ।
ବିଧାନ ପରିଷଦ ଗଠନ ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ସନ୍ଦେହଜନକ ଥିବା ପ୍ରକାଶ କରି ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଏହାକୁ ବିରୋଧ କରୁଥିବା କହିଥିଲେ। ରାଜ୍ୟର ଋଣ ଭାର ବଢ଼ି ଚାଲିଥବା ବେଳେ ଏବାବଦରେ ଅଧିକ ଅର୍ଥ ଖର୍ଚ୍ଚର ଆବଶ୍ୟକତା ନଥିବା ପ୍ରକାଶ କରିଥିଲେ। ବିଧାନ ପରିଷଦ ଗଠନ ପାଇଁ ତରବରିଆ ଭାବେ ନିଷ୍ପତ୍ତି ନନେଇ ନିର୍ବାଚନ ପର ପର୍ୟ୍ୟନ୍ତ ଅପେକ୍ଷା କରାଯିବା ଉପରେ ଗୁରୁତ୍ବ ଦେଇଥିଲେ। ବିଜେପିର ରବିନାରାୟଣ ନାୟକ ଓ ପ୍ରଦୀପ ପୁରୋହିତ ସଙ୍କଳ୍ପକୁ ବିରୋଧ କରିଥିଲେ।
ଶାସକ ସଦସ୍ୟ ବେଦ ପ୍ରକାଶ ଅଗ୍ରୱାଲ, ଶଶିଭୂଷଣ ବେହେରା, ପ୍ରମିଳା ମଲ୍ଲିକ, ଅରୁଣକୁମାର ସାହୁ, ସୁଦାମ ମାର୍ଣ୍ଡି, ଅମର ପ୍ରସାଦ ଶତପଥୀ ଓ ସମୀରରଞ୍ଜନ ଦାଶ ପ୍ରମୁଖ ସଙ୍କଳ୍ପକୁ ସମର୍ଥନ କରି ଏହାଦ୍ବାରା ଗଣତାନ୍ତ୍ରିକ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ବୋଲି କହିଥିଲେ।

Comments
Loading...