ପରକୀୟା ପ୍ରୀତି ଅପରାଧ ନୁହେଁ: ସୁପ୍ରିମକୋର୍ଟ

0
763

ନୂଆଦିଲ୍ଳୀ: ବ୍ୟଭିଚାର ବା ପରକୀୟା ପ୍ରୀତି ଅପରାଧ ନୁହେଁ। ଗୁରୁବାର ସୁପ୍ରିମକୋର୍ଟ ଏହି ଯୁଗାନ୍ତକାରୀ ରାୟ ଦେଇଛନ୍ତି। ଏଥିସହିତ ୧୮୬୦ ମସିହାରୁ ଚାଲି ଆସିଥିବା ଦୀର୍ଘ ୧୫୦ ବର୍ଷ ପୁରୁଣା ବ୍ୟଭିଚାର ନିରୋଧ ଆଇନ୍‍କୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୪୯୭ ଅକାମୀ ହୋଇଛି। ଭାରତୀୟ ଫୌଜଦାରୀ ଦଣ୍ଡବିଧି ସଂହିତା ୧୯୮କୁ ମଧ୍ୟ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି।
ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏ ସମ୍ପର୍କିତ ଆଗତ ମାମଲାର ଶୁଣାଣି ପରେ ଗତ ଅଗଷ୍ଟ ମାସରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି।
ରାୟ ପଢ଼ିବା ଅବସରରେ ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି ଯେ ଯଦି ପରକୀୟା ପ୍ରୀତି ନେଇ କୌଣସି ଅଭିଯୋଗ ଆସେ ତେବେ ସେହି ଆଧାରରେ ପତି ପତ୍ନୀ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ। ସେହି ପ୍ରମାଣକୁ ଛାଡ଼ପତ୍ର ମାମଲାର ବିଚାର ପାଇଁ ଆଧାର ରୂପେ ଗ୍ରହଣ କରାଯାଇପାରିବ। କିନ୍ତୁ ଅପରାଧ ରୂପେ ବିବେଚନା କରାଯାଇପାରିବ ନାହିଁ। ଯେଉଁ ଆଇନ୍‍ ମହିଳାଙ୍କ ଆତ୍ମସମ୍ମାନ, ପ୍ରତିଷ୍ଠା ଓ ସମାନତା ପ୍ରତି ଆଞ୍ଚ ଆଣୁଛି ତାହା କଦାପି ସାମ୍ବିଧାନିକ ହୋଇ ନ ପାରେ। ପତି ତାଙ୍କ ପତ୍ନୀଙ୍କ ମାଲିକ ନୁହନ୍ତି।
ସୂଚନାଯୋଗ୍ୟ, ଆଇପିସିର ଧାରା ୪୯୭ ଅନୁଯାୟୀ ପରକୀୟା ପ୍ରୀତି ପାଇଁ ପୁରୁଷଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‍ ଦଣ୍ଡର ବ୍ୟବସ୍ଥା ଥିବା ବେଳେ ମହିଳାଙ୍କୁ କେବଳ ଏକ ବସ୍ତୁ ବା ସମ୍ପତ୍ତି ରୂପେ ବିବେଚନା କରାଯାଉଛି। ଏକ ସୁସ୍ଥ ସାମାଜିକ ପରମ୍ପରା, ବୈବାହିକ ସମ୍ପର୍କର ପବିତ୍ରତା ଓ ପାରିବାରିକ ଶାନ୍ତି ବଜାୟ ରଖିବା ପାଇଁ ଆଇପିସି ଧାରା ୪୯୭କୁ ବଳବତ୍ତର ରଖିବାକୁ କେନ୍ଦ୍ର ସରକାର ଯୁକ୍ତି ଉପସ୍ଥାପନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି।

କିଏ କଣ କହିଲେ

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଚାରପତି ଆର ଏଫ୍‍ ନରିମାନ୍‍, ବିଚାରପତି ଏ ଏମ ଖାନ୍‍ୱିଲକର, ୱାଇ ଭି ଚନ୍ଦ୍ରଚୂଡ଼ ଓ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠର ସମସ୍ତ ସଦସ୍ୟ ଆଇପିସିର ଧାରା ୪୯୭ ଉଚ୍ଛେଦ ସପକ୍ଷରେ ମତ ଦେଇଥିଲେ। ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟରେ ସବୁ ସଦସ୍ୟଙ୍କ ମତୈକ ରହିଥିଲା। ତେବେ ସଦସ୍ୟମାନେ ସେମାନଙ୍କ ନିଜସ୍ୱ ଶୈଳୀରେ ପ୍ରସଙ୍ଗକୁ ତର୍ଜମା କରଛନ୍ତି।

ପ୍ରଧାନ ବିଚାରପତି ଦୀପକ ମିଶ୍ର ଓ ଏ ଏମ୍‍ ଖାନ୍‍ୱିଲ୍‍କର:

ପରକୀୟା ପ୍ରୀତି ଅପରାଧ ନୁହେଁ। କିନ୍ତୁ ପରକୀୟ ପ୍ରୀତି ଯୋଗୁଁ ଯଦି କୌଣସି ମର୍ମାହତ ପତି କିମ୍ବା ପତ୍ନୀ ଆତ୍ମହତ୍ୟା କରନ୍ତି ତେବେ ଉପଯୁକ୍ତ ସାକ୍ଷୀ ଓ ପ୍ରମାଣ ଆଧାରରେ ପତି କିମ୍ବା ପତ୍ନୀଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ଦାୟୀ କରାଯାଇପାରିବ। ପରକୀୟା ପ୍ରୀତି ନିରୋଧ ଆଇନ ସ୍ୱେଚ୍ଛାଚାରୀ। ଏହି ଆଇନ ମହିଳାଙ୍କ ବ୍ୟକ୍ତିଗତ ଅଧିକାରକୁ କ୍ଷୁର୍ଣ୍ଣ କରୁଛି।

ବିଚାରପତି ଆର ଏଫ୍‍ ନରିମାନ:

କେବଳ ମହିଳାଙ୍କୁ ପୀଡ଼ିତା ଭାବେ ବିବେଚନା କରିବାର ସମୟ ଅତିବାହିତ। ଜଣେ ପୁରୁଷ କୌଣସି ବିବାହିତାଙ୍କ ସହିତ ପରକୀୟା ସମ୍ପର୍କ ରଖିଲେ ତାହା ଅପରାଧ ନୁହେଁ। ଆଇପିସି ଧାରା ୪୯୭ ସମ୍ବିଧାନ ବିରୋଧୀ।

ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼:

ବ୍ୟଭିଚାର ବା ପରକୀୟା ପ୍ରୀତିକୁ ଅପରାଧ ରୂପେ ବିବେଚନା କରିବା ବହୁକାଳରୁ ପ୍ରଚଳିତ ଏକ ରୁଢ଼ିବାଦୀ ମାନସିକତା। ଆଇପିସିର ଧାରା ୪୯୭ ଅନୁଯାୟୀ ପତ୍ନୀମାନେ ପତିଙ୍କ ଅସ୍ଥାବର ସମ୍ପତ୍ତି। ଆଇନର ଏହି ତର୍ଜମା ଓ ବିଚାରଧାରା ମହିଳାଙ୍କ ଆତ୍ମସମ୍ମାନ ଓ ପ୍ରତିଷ୍ଠା ଉପରେ କୁଠାରଘାତ କରୁଛି। ବିବାହ ପରେ ମହିଳାଙ୍କ ଇଚ୍ଛା ଓ ସ୍ୱାଧୀନତା ସଂକୁଚିତ ହେଉଛି। ଯୌନକ୍ରିୟାକୁ ଇଚ୍ଛାଠାରୁ ଅଲଗା କରାଯାଇପାରିବ ନାହିଁ। କିନ୍ତୁ ୪୯୭ ଧାରା ଏ କ୍ଷେତ୍ରରେ ମହିଳାଙ୍କୁ ବାରଣ କରୁଛି। ତେଣୁ ଏହା ଅସାମ୍ବିଧାନିକ।

ବିଚାରପତି ଇନ୍ଦୁ ମାଲହୋତ୍ରା:

୪୯୭ ଧାରା ଅସମ୍ବିଧାନିକ। ପତିଙ୍କ ଛତ୍ରଛାୟା ତଳେ ପତ୍ନୀ ରହିବ – ଏହି ମାନସିକତା ପରିହାର୍ଯ୍ୟ। ପରକୀୟା ପ୍ରୀତି ପାଇଁ କେବଳ ପୁରୁଷଙ୍କୁ ଦାୟୀ କରାଯାଇପାରିବ ନାହିଁ।