ଟଙ୍କା ଦିଅ, ବି.ଏଡ୍‍. ପ୍ରମାଣପତ୍ର ନିଅ

0

ଅନୁଗୋଳ,(ସୋମନାଥ ସାହୁ): ଆନ୍ଧ୍ରପ୍ରଦେଶରେ ରହିଛି ବିଶ୍ୱବିଦ୍ୟାଳୟ; କିନ୍ତୁ ଅନୁଗୋଳରେ ରହିଛି ଏଜେନ୍ସି। ଏହି ଏଜେନ୍ସି ଏବେ ଟଙ୍କା ନେଇ ବି.ଏଡ୍‌ ପ୍ରମାଣପତ୍ର ବିକ୍ରି କରୁଥିବା ଅଭିଯୋଗ ହୋଇଛି। କାରଣ ଏହି ଏଜେନ୍ସି ଜରିଆରେ ବି.ଏଡ୍‍ (ବ୍ୟାଚଲର ଡିଗ୍ରୀ ଇନ୍‍ ଏଜୁକେଶନ) ପ୍ରମାଣପତ୍ର ହାସଲ କଲେ ଜଣେ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିବାର ଯୋଗ୍ୟତା ହାସଲ କରିପାରିବେ। ଏହି ପ୍ରମାଣପତ୍ର ହାସଲ କରିବା ପାଇଁ ଯେଉଁ ସବୁ ପ୍ରକ୍ରିୟା ଅବଲମ୍ବନ କରାଯିବା କଥା ତାହା କରାଯାଉନାହିଁ।
ନିୟମ ଅନୁଯାୟୀ ଆନ୍ଧ୍ର ପ୍ରଦେଶରେ ଯେଉଁ ବିଶ୍ୱବିଦ୍ୟାଳୟ ଏହି ବି.ଏଡ୍‌ ସାର୍ଟିଫିକେଟ୍‍ ପ୍ରଦାନ କରୁଛି ତାହାର ନିର୍ଦ୍ଦିଷ୍ଟ ନିୟମ ରହିଛି। ରେଗୁଲାର ବି.ଏଡ୍‌ କରିବାକୁ ହେଲେ ଜଣେ ପିଲାକୁ ଅତିକମ୍‌ରେ ୨୦୦ଟି କ୍ଲାସ ଆଟେଣ୍ଡ କରିବାକୁ ପଡ଼ିବ। ନାମ ଲେଖା, ଫର୍ମ ପୂରଣ ଦିବସଗୁଡିକ ବାଦ୍‌ ରହିବ। ସେହିପରି ଦୂରନିରନ୍ତର ସାର୍ଟିଫିକେଟ୍‍ ପାଇଁ ବି.ଏଡ୍‌ କଲେ ୪୦ଟି ୱାର୍କସପ୍‌ରେ ଯୋଗଦେବା ନିହାତି ଦରକାର। ଏହିସବୁ ପ୍ରକ୍ରିୟା ଅବଲମ୍ବନ କଲେ ଜଣେ ବି.ଏଡ୍‌ ଯୋଗ୍ୟତା ହାସଲ କରିପାରିବେ; ହେଲେ ସେପରି କରାଯାଉନାହିଁ। ଅନୁଗୋଳ, ତାଳଚେର ଓ ଢେଙ୍କାନାଳରେ ରହିଛି କେତେକ ଏଜେନ୍ସି। ଏହି ଏଜେନ୍ସିଗୁଡିକ ଜଣେ ପ୍ରାର୍ଥୀଙ୍କ ଠାରୁ ଏକ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି। ଫଳରେ ସବୁ ବେନିୟମ କାର୍ଯ୍ୟକୁ ନିୟମରେ ପରିଣତ କରି ଦେଉଛନ୍ତି। ସେହିପରି ଯେଉଁମାନେ ଏହି ଏଜେନ୍ସି ଅଧୀନକୁ ଆସୁଛନ୍ତି ସେମାନେ ୮୦ରୁ ୯୦ ପ୍ରତିଶତ ନମ୍ବର ରଖୁଛନ୍ତି। କିନ୍ତୁ ଓଡିଶାରେ ଯେଉଁ ବିଏଡ୍‌ ପାଠ ପଢାଉଥିବା ଶିକ୍ଷାନୁଷ୍ଠାନ ରହିଛି ସେଠାରେ ପାଠ ପଢି ଛାତ୍ରଛାତ୍ରୀ ୬୦ରୁ ୭୦ ପ୍ରତିଶତ ରଖିବା କଷ୍ଟକର ହୋଇ ପଡୁଛି। ସେମାନେ ନିୟମିତ କ୍ଲାସ୍‌ କରି ଯେତିକି ନମ୍ବର ରଖୁଛନ୍ତି ବିନା କ୍ଲାସ୍‌ କରି କେବଳ ଟଙ୍କା ଦେଇ ଅନ୍ୟ ପ୍ରାର୍ଥୀମାନେ ଅଧିକ ନମ୍ବର ରଖୁଛନ୍ତି। ଫଳରେ ଚାକିରି କ୍ଷେତ୍ରରେ ସେମାନେ ଅଗ୍ରାଧିକାର ପାଉଛନ୍ତି। ତେଣୁ ବିନା କ୍ଲାସରେ ପ୍ରାର୍ଥୀମାନେ କିପରି ଏତେ ନମ୍ବର ରଖୁଛନ୍ତି ତାହାକୁ ନେଇ ଅନେକ ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି।
ଏହାକୁ ନେଇ ଜିଲା ପ୍ରଶାସନରେ ମଧ୍ୟ ଅଭିଯୋଗ ହୋଇଛି; ହେଲେ ପ୍ରଶାସନିକ ଅଧିକାରୀମାନେ ନୀରବତା ଅବଲମ୍ବନ କରିଛନ୍ତି ବୋଲି ଜଣେ ଛାତ୍ରୀ କହିଛନ୍ତି। ତାଙ୍କ କହିବାନୁଯାୟୀ, ଏହି ଏଜେନ୍ସିଗୁଡିକ ଉପରେ ଜିଲା ପ୍ରଶାସନ ଚାହିଁଲେ ରୋକ ଲଗାଇ ପାରିବ। ଏହି ଏଜେନ୍ସିଗୁଡିକ ଉପରେ ଚଢ଼ଉ କରାଗଲେ ସେମାନେ ଭୟଭୀତ ହେବେ। କାରଣ ସେମାନଙ୍କର ବୈଧ କାଗଜପତ୍ର ନାହିଁ; ହେଲେ ପ୍ରଶାସନ ସେପରି କୌଣସି ପଦକ୍ଷେପ ନେଉନାହିଁ। ପ୍ରଶାସନ କାହିଁକି ଏ ଦିଗରେ ନିରବତା ଅବଲମ୍ବନ କରୁଛି ତାହା ମୁଖ୍ୟ ପ୍ରଶ୍ନ ବୋଲି ଛାତ୍ରୀ ଜଣକ କହିଛନ୍ତି।
ସେ କହିଛନ୍ତି ୨୦୧୮ରେ ଶିକ୍ଷା ସହାୟକ ପରୀକ୍ଷାରେ ଓଡିଶାରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନୁଷ୍ଠାନରେ ବିଏଡ୍‌ କରିଥିବା ଛାତ୍ରୀଛାତ୍ର ଖୁବ୍‌ କମ୍‌ ସଂଖ୍ୟାରେ ଚାକିରି ପାଇଲେ। କିନ୍ତୁ ଏହି ସବୁ ଏଜେନ୍ସି ମାଧ୍ୟମରେ ରାଜ୍ୟ ବାହାରେ ବିନା କ୍ଲାସ କରିଥିବା ପ୍ରାର୍ଥୀମାନେ ଅଧିକ ସଂଖ୍ୟାରେ ଚାକିରି ପାଇଲେ। ବିନା କ୍ଲାସ କରି ସେମାନେ ପ୍ରମାଣପତ୍ର ହାତେଇ ଥିବାରୁ ପିଲାଙ୍କୁ ଠିକ୍‌ ଭାବେ ପାଠ ପଢ଼ାଇ ପାରିବେ ନାହିଁ। କାରଣ ସେ ତାଲିମ୍‌ ସେମାନେ ପାଇଲେ ନାହିଁ। ଏହାଦ୍ୱାରା ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳା ଯିବାକୁ ପଥ ପରିଷ୍କାର ହେଉଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପଚାରିବାରୁ ଅନୁଗୋଳ ଏଡିଏମ୍‌ ତପନ କୁମାର ଶତପଥୀ କହିଛନ୍ତି ଯେ ଏହି ଘରୋଇ ସଂସ୍ଥା ଉପରେ ପ୍ରଶାସନର କୌଣସି ନିୟନ୍ତ୍ରଣ ନାହିଁ।

Leave A Reply