‘ଜିରୋ ନାଇଟ’ ପାଇଁ ପ୍ରସ୍ତୁତ କମିଶନରେଟ୍ ପୁଲିସ,୬ଟି ଜୋନରେ ବିଭକ୍ତ ହେଲା ଭୁବନେଶ୍ବର

ଭୁବନେଶ୍ବର: ପାଖେଇ ଆସୁଛି ନୂତନ ବର୍ଷ ୨୦୨୦। ଆଉମାତ୍ର ଦୁଇ ଦିନପ​‌ରେ ବଦଳିଯିବ କ୍ୟାଲେଣ୍ଡର। ନୂଆବର୍ଷକୁ ସ୍ବାଗତ କରିବାପାଇଁ ପ୍ରସ୍ତୁତ ହେଲେଣି ସ୍ମାଟ୍ ସିଟି ଭୁବନେଶ୍ବରବାସୀ। ଭୁବନେଶ୍ବରବାସୀଙ୍କୁ ନିଆରା ଢଙ୍ଗରେ ନୂଆବର୍ଷ ପାଳନ କରିବାର ସୁଯୋଗ ଦେବାପାଇଁ ସଜେଇ ହୋଇଗଲାଣି ଭୁବନେଶ୍ବରର ସମସ୍ତ ହୋଟେଲ ଏବଂ ବାର୍। ସୁସ୍ବାଦୁ ଖାଦ୍ୟ ସହ ବଲିଉଡ୍ କଳାକାର ଏବଂ ଡିଜେର ତାଳେତାଳେ ଝୁମିବାର ମଜା ଉଠାଇବା ପାଇଁ ରାଜଧାନୀବାସୀ ଉଚ୍ଛୁକତାର ସହ ଅନାଇବସିଛନ୍ତି।

ଆଉଇତି ମଧ୍ୟରେ ରାଜଧାନୀର ସୁରକ୍ଷା ଏବଂ ନୂଆବର୍ଷରେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ପ୍ରସ୍ତୁତ କମିଶନରେଟ୍ ପୁଲିସ। ନୂଆବର୍ଷକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ଭୁବନେଶ୍ବରକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ସମସ୍ତ ଜୋନର ଦାୟିତ୍ବରେ ଜଣେ ଜଣେ ଆଡିସିନାଲ ଡିସିପି ର‍୍ୟାଙ୍କର ଅଧିକାରୀ ରହିବେବୋଲି ଜଣାପଡିଛି। ସେହିପରି ରାଜଧାନୀର ୪୦ ଟି ଛକକୁ ସମ୍ବେଦନଶୀଳ ସ୍ଥାନଭାବେ ଚିହ୍ନଟ କରିଛି କମିଶନରେଟ୍ ପୁଲିସ। ଏହି ଛକମାନଙ୍କରେ ପୁଲିସ ପକ୍ଷରୁ ବ୍ଲକିଂ ଓ ଚେକିଂ ସହିତ ମଦ୍ୟପ ଗାଡିଚାଳକ ମାନଙ୍କୁ ଧରିବା ପାଇଁ ବ୍ୟବସ୍ଥା କରାଯାଇଛି। ମଦ୍ୟପାନ କରି ଗାଡି ଚଳାଉଥିଲେ ପୁଲିସ ପକ୍ଷରୁ ମୋଟା ଅଙ୍କର ଫାଇନ ଆଦାୟ ସହ ଗାଡି ଚାଳକଙ୍କୁ ଗିରଫ କରାଯିବ। ମଦ୍ୟପ ଡ୍ରାଇଭର ମାନଙ୍କ ଡ୍ରାଇଭିଂ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି।

୩୧ ତାରିଖ ସନ୍ଧ୍ୟାରୁ ପିସିଆର ଭ୍ୟାନ,ଥାନା ଗାଡି ଏବଂ ବାଇକ ପାଟ୍ରୋଲିଂକୁ କଡାକଡି କରାଯିବ। ସମସ୍ତ ହୋଟେଲ ଆଗ​‌ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। ଏଥିସହିତ ହୋଟେଲ ଉପରେ ସାଦା ପୋଷାକଧାରୀ ପୁଲିସ ମାନେ ନଜର ରଖିବେ। ଯେଉଁଠି କିଛି ଅଘଟଣ ଦେଖାଯିବ ପୁଲିସ ତୁରନ୍ତ ସେଥିପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ବୋଲି ଭୁବନେଶ୍ବର ଡିସିପି ଅନୁପ ସାହୁ କହିଛନ୍ତି।

 

Comments are closed.