ଶୀତରେ ପରଟା : ସୁସ୍ୱାଦୁ ଓ ସ୍ୱାସ୍ଥ୍ୟକର

ଶୀତଦିନେ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବାକୁ ବେଶ ସ୍ୱାଦିଷ୍ଟ ଲାଗିଥାଏ । ଏସବୁ ଖାଦ୍ୟ ମଧ୍ୟରେ କିଛି ସ୍ୱତନ୍ତ୍ର ପରଟା ରହିଛି ,ଯାହାକୁ ଖାଇବାକୁ ସଭିଏଁ ବେଶ ପସନ୍ଦ କରିଥାଆନ୍ତି । ଜାଣନ୍ତୁ ..
ସେଭଳି ଏକ ସ୍ୱାଦିଷ୍ଟ ପରଟା ହେଉଛି ରସୁଣ ପରଟା। ଶୀତଦିନେ ରସୁଣ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ରସୁଣ ପରଟା କିପରି ପ୍ରସ୍ତୁତ କରାଯାଏ
ପ୍ରସ୍ତୁତି ପ୍ରଣାଳୀ : ଆପଣ ପ୍ରଥମେ ରସୁଣକୁ ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ ଏଥିରେ କଞ୍ଚାଲଙ୍କା କାଟି କରି ମିଶାନ୍ତୁ। ବର୍ତ୍ତମାନ ଏଥିରେ ଲୁଣ ଏବଂ ଜୁଆଣି ଭଲ ଭାବେ ମିଶାନ୍ତୁ।
ଏବେ ଏକ ପାତ୍ରରେ ଅଟା,ଲୁଣ, ଗରମ ମସଲା, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଭଲ ଭାବେ ମିଶାଇ ପାଣି ପକାଇ ଚକଟା ପ୍ରସ୍ତୁତ କରନ୍ତୁ। ଚକଟିବା ପରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରି ପୁରୀ ଆକାରର ବେଲନ୍ତୁ। ବେଲିବା ପରେ ଏଥିରେ ଅଳ୍ପ ଘିଅ ଲଗାଇ ପୂର୍ବ ପ୍ରସ୍ତୁତ ରସୁଣକୁ ପୁର ଭଳି ଭର୍ତ୍ତି କରି ଗୁଳା କରି ପରଟା ଆକୃତିର ବେଲନ୍ତୁ। ଏହାପରେ ଗ୍ୟାସ ଲଗାଇ ତାୱା ଗରମ କରି ବେଲିଥିବା ପରଟାକୁ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରସୁଣ ପରଟା।

ସ୍ୱାଦିଷ୍ଟ ପିଆଜ ପରଟା
ଆବଶ୍ୟକ ସାମଗ୍ରୀ
ଅଟା – ୨କପ
ଲୁଣ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
କୋରା ଚିଜ –୧କପ
କଟା ପିଆଜ – ୧ଟି
କଟା କଞ୍ଚା ଲଙ୍କା – ୨ଟି
ଗୋଲମରିଚ ଗୁଣ୍ଡ – ଅଳ୍ପ
ଘିଅ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ଅଟା, ଲୁଣ, ତେଲ, ପାଣି ପକାଇ ଭଲ ଭାବେ ନରମ କରି ଚକଟି ଦିଅନ୍ତୁ। ଚକଟା ଅଟା ଉପରେ ସାମାନ୍ୟ ତେଲ ଲଗାଇ ଏକ କପଡ଼ା ଘୋଡ଼ାଇ ୨୦ ମିନିଟ ରଖି ଦିଅନ୍ତୁ। ଏବେ ଆଉ ଏକ ପାତ୍ରରେ ପିଆଜ, ଚିଜ, କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ, ଲୁଣ, ପକାଇ ଗୋଳାଇ ପୁର ପ୍ରସ୍ତୁତ କରି ରଖନ୍ତୁ। ଏବେ ଚକଟି ଥିବା ଅଟାକୁ ପୁଣି ଧୀରେ ଚକଟି ଗୁଳା କରି ଦିଅନ୍ତୁ। ଏବେ ଗୁଳାକୁ ଛୋଟ ଆକୃତିର କରି ତା ମଧ୍ୟରେ ପ୍ରସ୍ତୁତ ପୁରକୁ ରଖି ଚାରି ପାଖରୁ ମୋଡ଼ି ପରଟା ଆକାରର ବେଲି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ତାୱା ଗରମ କରନ୍ତୁ। ତାୱା ଗରମ ହେବା ପରେ ପରଟାକୁ ଘିଅ ପକାଇ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ପିଆଜ ପରଟା ।

ପାଳଙ୍ଗ ମୂଳା ପରଟା

ମୂଳା ଗୋଟିଏ
ପାଳଙ୍ଗ ପତ୍ର ୧ ବିଡ଼ା
ଲୁଣ ୧ଛୋଟ ଚାମଚ
ଘିଅ ୧ ଛୋଟ ଚାମଚ
ହେଙ୍ଗୁ ଚିମୁଟାଏ
ଅଟା ୨କପ୍
ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପାଳଙ୍ଗ ପତ୍ରକୁ ଭଲରେ ଧୋଇ ରଖିବେ। ଏବେ ମୂଳାକୁ ଧୋଇ ଛୋଟଛୋଟ ଖଣ୍ଡରେ କାଟନ୍ତୁ। ମୂଳା ଓ ପାଳଙ୍ଗକୁ ଗ୍ରାଇଣ୍ଡରରେ ଭଲରେ ବାଟିବେ। ଗୋଟିଏ ବଡ଼ ପାତ୍ରରେ ଅଟାରେ ସମସ୍ତ ସାମଗ୍ରୀ ମୂଳା-ପାଳଙ୍ଗ ବଟା ମିଶାଇ ଉଷୁମ ପାଣିରେ ଚକଟନ୍ତୁ। ଅଟା ଚକଟା ହେବା ପରେ ଘୋଡ଼ାଇ ୧୦ମିନିଟ୍ ରଖିଦେବେ। ଚୁଲାରେ ତାୱା ଗରମ କରି ଏବେ ପରଟା ବେଲି ସେକନ୍ତୁ। ତେଲ କିମ୍ବା ଘିଅ ଯେଉଁଥିରେ ମଧ୍ୟ ପରଟା ସେକି ପାରିବେ। ପ୍ରୋଟିନ୍, ଭିଟାମିନ୍ସ ଭରପୂର ଏଇ ପରଟା ନିୟମିତ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼େ।

ଗାଜର ପରଟା

ଆବଶ୍ୟକ ସାମଗ୍ରୀ
ଅଟା – ୨କପ
ଲୁଣ – ଆବଶ୍ୟକ ପରିମାଣରେ
ପାଣି – ୧କପ
ବଟର – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
କୋରା ଗାଜର – ୫ଟି
କୋରା ଅଦା – ଅଳ୍ପ
କଟା ପିଆଜ – ୨ଟି
କଟା କଞ୍ଚାଲଙ୍କା – ୨ଟି
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଆମଚୁର ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବାପରେ ଅଦା, କୋରା ଗାଜର, ପିଆଜ, ଲୁଣ, କଞ୍ଚାଲଙ୍କା, ଜିରା ଗୁଣ୍ଡ, ଆମଚୁର ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଭାଜି ଦିଅନ୍ତୁ। ଭାଜିବା ପରେ ଏହି ମିଶ୍ରଣକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଏକ ପାତ୍ରରେ ଅଟା, ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଚକଟିବା ପରେ ଛୋଟ ଛୋଟ ଗୁଳା ଆକୃତିର କରନ୍ତୁ। ଏହାପରେ ଗୁଳାକୁ ଅଳ୍ପ ବେଲି ତା’ମଧ୍ୟରେ ମିଶ୍ରଣକୁ ଭରି ପୁଣି ପରଟା ଆକୃତିର ବେଲି ଦିଅନ୍ତୁ। ଏବେ ଗ୍ୟାସରେ ତାୱା ବସାଇ ବଟରରେ ବେଲି ଥିବା ପରଟାକୁ ଭଲ ଭାବେ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗାଜର ପରଟା। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

ବନ୍ଧାକୋବି ପରଟା

ବନ୍ଧାକୋବି – ଆବଶ୍ୟକ ପରିମାଣରେ
ଅଦା, ରସୁଣ – ଆବଶ୍ୟକ ପରିମାଣରେ
କଞ୍ଚା ଲଙ୍କା – ୨ଟି
ଜିରା ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଅଟା – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ବନ୍ଧାକୋବିକୁ କାଟି ରଖନ୍ତୁ। ଏବେ ଅଦା, ରସୁଣ ଓ କଞ୍ଚାଲଙ୍କାକୁ ଏକାଠି ବାଟି ସେଥିରେ ଜିରା ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡକୁ ମିଶାଇ ଏହାକୁ ବନ୍ଧାକୋବି ସହ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଅଟା ପକାଇ ପାଣି ଦେଇ ଚକଟି ଦିଅନ୍ତୁ। ଅଟା ଚକଟି ସାରିବା ପରେ ନରମ ହେବା ପାଇଁ ଏହାକୁ ଏକ କପଡ଼ାରେ ଘୋଡ଼ାଇ କିଛି ସମୟ ରଖି ଦିଅନ୍ତୁ। କିଛି ସମୟ ପରେ ଛୋଟ ଛୋଟ ଗୁଳା କରି ପରଟା ବେଲନ୍ତୁ। ଏବେ ଗ୍ୟାସ ଲଗାଇ ତାୱା ଗରମ କରନ୍ତୁ। ତାୱା ଗରମ ହେବା ପରେ ପରଟାକୁ ପକାଇ ଏହାର ଦୁଇପଟକୁ ତେଲ ପକାଇ ଭଲ ଭାବେ ସେକନ୍ତୁ। ସେକିବା ପରେ ଏକ ପାତ୍ରକୁ କାଢି ଦହି କିମ୍ବା ଚଟଣି ସହ ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.