ମହାନଦୀକୁ ଡେଇଁ ଯୁବକ ନିଖୋଜ, ଦମକଳ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

ବାଙ୍କୀ : କଟକ ଜିଲ୍ଲା ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ୍ରୁ ଜଣେ ଯୁବକ ମହାନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣକ ମହାନଦୀକୁ ଡେଇଁ ପଡ଼ିଥିଲେ। ଯୁବକ ଜଣକ ସୁଣ୍ଠିପାଳ ଗାଁର ବନମାଳୀ ରାଉତ(୨୫)ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଯୁବକ ଜଣକ ଘରକୁ ଫେରିଥିଲେ। ଏହାପରେ ଘରେ ଖାଇ ପିଇ ଶୋଇଥିଲେ। ହେଲେ ବିଳମ୍ବିତ ରାତିରେ ବାଇକ୍ ଧରି ସେ ମହାନଦୀ ବ୍ରିଜ୍କୁ ଆସିଥିଲେ। ବ୍ରିଜ୍ ଉପରେ ବାଇକ୍, ଚପଲ ରଖି ମହାନଦୀକୁ ଡେଇଁ ପଡ଼ିଥିଲେ। କେଉଁ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ। ଆଜି ସକାଳେ ପୁଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ଯୁବକଙ୍କ କୌଣସି ପତ୍ତା ମିଳିପାରିନାହିଁ।