ପୁରୀରେ ଯୁବକଙ୍କୁ ହତ୍ୟା

ପୁରୀ : ରବିବାର ରାତିରେ ପୁରୀରେ ଜଣେ ଯୁବକଙ୍କୁ କେତେକ ବ୍ୟକ୍ତି ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି। ତାଙ୍କ ନାମ ଜିତେନ୍ଦ୍ର ପୁରୋହିତ (୪୦) ଏବଂ ଘର ବାସେଳୀସାହି ଓଡ଼ିଆମଠ ନିକଟରେ। ଜିତେନ୍ଦ୍ର ବଡ଼ପୋଖରୀ ଯାଗାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ୫ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଜିଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଜିତେନ୍ଦ୍ରଙ୍କ ସହ ଆକ୍ରମଣକାରୀଙ୍କର ପୂର୍ବରୁ ବିବାଦ ରହିଥିଲା। ମକଦ୍ଦମା ପ୍ରତ୍ୟାହାର ପାଇଁ ସେମାନେ ଜିତେନ୍ଦ୍ରଙ୍କୁ ଧମକ ଦେଇଥିଲେ। ସେଥିରେ ରାଜି ନ ହେବାରୁ ରବିବାର ମାରଣାସ୍ତ୍ରରେ ହାଣି ତାଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ମୁଣ୍ଡ, ହାତ ଓ ବେକରେ ଗଭୀର କ୍ଷତ ରହିଛି। ଆକ୍ରମଣ ପରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ଦୁର୍ବୃତ୍ତମାନେ ଆକ୍ରମଣ କରିବା ସମୟରେ ଜୀବନ ବଞ୍ଚାଇବାକୁ ଜିତେନ୍ଦ୍ର ଉଦ୍ୟମ କରିଥିଲେ। ତାଙ୍କ ଚିତ୍କାର ଶୁଣି ଆଖପାଖ ଅଞ୍ଚଳର କିଛି ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। ଲୋକଙ୍କୁ ଦେଖି ଦୁର୍ବୃତ୍ତମାନେ ସେଠାରୁ ଖସି ପଳାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ବାସେଳୀସାହି ଥାନା ପୁଲିସ ସେଠାରେ ପହଞ୍ଚିଛି।ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।

Comments are closed.