ଯୁବ କଂଗ୍ରେସ ସଭାପତିଙ୍କୁ ଗୁଳି କରି ହତ୍ୟା

ପଞ୍ଜାବର ଫରୀଦକୋଟରେ ଜଣେ ଯୁବ କଂଗ୍ରେସ ସଭାପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଫରୀଦକୋଟର ଜୁବ୍‌ଲି ସିନେମା ଛକରେ ଗୁରୁବାର ଏହି ହତ୍ୟାକାଣ୍ଡ ଘଟିଛି। ଅପରାହ୍ନ ପ୍ରାୟ ୫ଟାରେ ଜିଲା ଯୁବ କଂଗ୍ରେସ ସଭାପତି ତଥା ଜିଲା ପରିଷଦ ସଦସ୍ୟ ଗୁରଲାଲ ସିଂହ ପହଲୱାନଙ୍କ ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଣୋ କରିଥିଲେ।

ସୂଚନା ଅନୁସାରେ, ଗୁରଲାଲ ସିଂହ ପହଲୱାନ ନିଜ କାରରେ ଜୁବଲି ସିନେମା ଛକ ନିକଟରେ ଥିବା ଇମିଗ୍ରେସନ କାର୍ଯ୍ୟାଳୟକୁ ଯାଇଥିଲେ। କାର୍ଯ୍ୟାଳୟରୁ ବାହାରି ସେ କାରରେ ବସିବାକୁ ଯାଉଥିବାବେଳେ ଦୁଇ ଅଜ୍ଞାତ ବ୍ୟକ୍ତି ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ପୁଲିସ ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ୧୨ରୁ ୧୩ ରାଉଣ୍ଡ ଗୁଳି ଚଳାଇଥିଲେ। ଖବର ପାଇଁ ଏସଏସପି ସ୍ବର୍ଣ୍ଣଦୀପ ସିଂହ, ଏସପି ଭୂପିନ୍ଦର ସିଂହ, ଏସପି ଡା. ବାଲକୃଷ୍ଣ, ଡିଏସପି ଜସତିନ୍ଦର ସିଂହ ଧାଲିୱାଲଙ୍କ ସମେତ ଜିଲା ପୁଲିସର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ।

ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା କୁଶଲଦୀପ ସିଂହ କିକ୍କୀ ଢିଲନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଏହାର କଡ଼ା ନିନ୍ଦା କରିଥିଲେ। ଗୁରଲାଲଙ୍କ ହତ୍ୟା ପଛରେ ପ୍ରକୃତ କାରଣ କ’ଣ ରହିଛି ତାହା ଜଣାପଡ଼ି ନାହିଁ।

Comments are closed.