ମହଙ୍ଗା ପଡିଲା ନକଲି ପିସ୍ତଲରେ ଅସଲି ପ୍ରେମ ନିବେଦନ – ଥାନାରେ ଯୁବକ

ସମ୍ବଲପୁର: ସମ୍ବଲପୁରରେ ନକଲି ପିସ୍ତଲ ଦେଖାଇ ଯୁବତୀଙ୍କୁ ପ୍ରେମ ନିବେଦନ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ କେନ୍ଦ୍ରପଡା ଜିଲାର ଜଣେ ଯୁବତୀ ପାଠ ପଢ଼ୁଛନ୍ତି। ଶୁକ୍ରବାର ଦିନ ପ୍ରାୟ ୧୧ଟାରେ ସବୁ ଦିନ ଭଳି ବିଶ୍ୱବିଦ୍ୟାଳୟରୁ କ୍ଲାସ ସାରି ସେ ଫେରୁଥିବା ବେଳେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଦ୍ୱାର ସମ୍ମୁଖରେ ତାଙ୍କ ଜିଲାର ଜଣେ ଯୁବକଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ଯୁବକ ଜଣକ ଅର୍ଦ୍ଧ ସୈନିକ ବଳରେ କାର୍ଯ୍ୟରତ ଥିବା ବେଳେ ପୂର୍ବରୁ ଯୁବତୀଙ୍କ ସହିତ ତାଙ୍କର ଚିହ୍ନା ପରିଚୟ ଥିଲା। ପୂର୍ବରୁ ପରିଚିତ ଯୁବକଙ୍କ ସହିତ ଦେଖା ହେବାରୁ ଯୁବତୀ ଜଣକ କଥାବାର୍ତ୍ତା ହୋଇଥିଲେ। କିନ୍ତୁ ଯୁବକ ଜଣ ତାଙ୍କୁ ଅଚାନକ ପ୍ରେମ ନିବେଦନ କରିବା ସହିତ ବିବାହର ପ୍ରସ୍ତାବ ଦେଇଥିଲେ। କିନ୍ତୁ ଯୁବତୀ ଜଣକ ମନା କରିଦେବାରୁ ଦୁଇ ଜଣଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏହି ସମୟରେ ଯୁବକ ଜଣକ ନିଜ ପାଖରେ ରଖିଥିବା ଏକ ପ୍ଲାଷ୍ଟିକ ପିସ୍ତଲ (ପ୍ଲାଷ୍ଟିକ ଲାଇଟର ପିସ୍ତଲ) ଦେଖାଇ ଧମକ ଦେଇଥିଲେ। ଏଣୁ ଯୁବତୀ ଜଣକ ଅତ୍ୟନ୍ତ ଡରି ଯାଇ ପାଟି କରିଥିଲେ। ତେଣୁ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଅଟକି ଯାଇ ଯୁବକ ଜଣକୁ କାବୁ କରି ଭଲ ଉତ୍ତମ ମଧ୍ୟମ ଦେଇଥିଲେ।

ପରେ ଟାଉନ ଥାନା ପୁଲିସ ଘଟଣାସ୍ଥଳକୁ ଆସି ଯୁବକଙ୍କୁ ସାଥିରେ ନେଇ ଯାଇଥିଲା। ଏ ନେଇ ଟାଉନ ଥାନାଧିକାରୀ ରମେଶ ଚନ୍ଦ୍ର ଦୋରା କହିଛନ୍ତି ଯେ, ଯୁବକ ଜଣକ ନାମ ରଘୁନାଥ ସେଠୀ ଏବଂ ସେ କେନ୍ଦ୍ରପଡା ଜିଲାର ନିବାସୀ ଅଟନ୍ତି। ଯୁବକ ଦାବୀ କରିଛନ୍ତି ଯେ ତାଙ୍କ ସହ ଯୁବତୀଙ୍କର ପୂର୍ବରୁ ପ୍ରେମ ସର୍ମ୍ପକ ରହିଛି ଏବଂ ସେ ତାଙ୍କୁ ବିବାହ କରିବା ପାଇଁ ଇଚ୍ଛୁକ। ତେବେ ସମ୍ବଲପୁରକୁ ପାଠ ପଢ଼ିବାକୁ ଆସିବା ପରେ ଯୁବତୀ ଜଣକ ବଦଳି ଯାଇଥିବାରୁ ସେ ବ୍ୟତିବ୍ୟସ୍ତ ହୋଇ ସମ୍ବଲପୁର ଆସିଛନ୍ତି ବୋଲି କହିଛନ୍ତି। ଏ ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଯୁବକ ଜଣକ ଅର୍ଦ୍ଧ ସୈନିକ ବଳରେ ଟ୍ରେନି ଭାବରେ କାର୍ଯ୍ୟରତ ଥିବା କହିଥିବାରୁ ତାହା ଉପରେ ତଦନ୍ତ ଚାଲିଛି। ଯୁବକ ଜଣଙ୍କୁ ଅଟକ ରଖାଯାଇ ଏହି ଘଟଣା ସର୍ମ୍ପକରେ ତଦନ୍ତ ଚାଲୁ ରହିଛି ବୋଲି ଅଧିକାରୀ ଦୋରା କହିଛନ୍ତି।

Comments are closed.