ସଡ଼କ ଦୁର୍ଘଟଣାରେ ଯୁବ କଷ୍ଟ୍ୟୁମ୍‍ ଡିଜାଇନର୍‌ଙ୍କ ମୃତ୍ୟୁ

ଭୁବନେଶ୍ୱର : କଟକ-ଭୁବନେଶ୍ବର ଜାତୀୟ ରାଜପଥର ହଂସପାଳ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ଜଣେ କଷ୍ଟ୍ୟୁମ୍‍ ଡିଜାଇନର୍‌ଙ୍କ ଦୁଃଖଦ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ କଟକ ଏସ୍‍ସିବି ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଜୀ-ସାର୍ଥକରେ ପ୍ରସାରିତ ‘ଜୀବନସାଥୀ’, ‘ମହାଦେବୀ’, ‘ଦିବ୍ୟଦୃଷ୍ଟି’ ପ୍ରଭୃତି ଧାରାବାହିକରେ କାର୍ଯ୍ୟ କରୁଥିବା ପିଣ୍ଟୁ ସାହୁ (୨୨) ଶୁକ୍ରବାର ରାତିରେ ଭୁବନେଶ୍ୱରରୁ କଷ୍ଟ୍ୟୁମ୍‍ ସାମଗ୍ରୀ ଧରି କଟକ ଅଭିମୁଖେ ସ୍କୁଟିରେ ଫେରୁଥିଲେ। ହଂସପାଳ ନିକଟରେ ଅନ୍ୟଜଣେ ସ୍କୁଟି ଚାଳକ ଅବିନାଶ ପ୍ରଧାନଙ୍କ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ପିଣ୍ଟୁ ଛିଟ୍‍କି ପଡ଼ିବା ସହ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପାହାଳ ଫାଣ୍ଡି ପିସିଆର୍‍ ପହଞ୍ଚି ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା।

ସେଠାରେ ଅବିନାଶଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିବାରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପିଣ୍ଟୁଙ୍କ ନିଜ ଘର ଖୋର୍ଦ୍ଧା ଜିଲା ଚିଲିକା ଅଞ୍ଚଳରେ। ସେ ଦୀର୍ଘ ୫/୬ ବର୍ଷ ଧରି ବିଭିନ୍ନ ଧାରାବାହିକରେ କଷ୍ଟ୍ୟୁମ୍‍ ଡିଜାଇନର୍‌ ଭାବେ କାର୍ଯ୍ୟ କରି ଆସୁଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ହସ୍ପିଟାଲରେ ବିଭିନ୍ନ ଧାରାବାହିକର କଳାକାର, ନିର୍ଦେଶକ, ଟେକ୍ନିସିଆନ ପହଞ୍ଚିଥିବାବେଳେ ପିଣ୍ଟୁଙ୍କ ପରିବାର ସଦସ୍ୟ ପହଞ୍ଚି ନଥିବା ଜଣାପଡ଼ିଛି। ଗୁରୁତର ଆହତ ଅବିନାଶଙ୍କ ଘର ଭୁବନେଶ୍ୱର ଜୟଦେବ ବିହାର ନ୍ୟୁ ଏଲ୍‍ଆଇସି କଲୋନୀ ଅଞ୍ଚଳରେ। ପୁଲିସ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ପିଣ୍ଟୁ ଜଣେ ମେଳାପୀ ଓ ପରୋପକାରୀ ଯୁବକ ହୋଇଥିବାରୁ ତାଙ୍କ ଆକସ୍ମିକ ବିୟୋଗ ଛୋଟ ପରଦାରେ ଶୋକର ଛାୟା ଖେଳାଇ ଦେଇଛି ବୋଲି ‘ଜୀବନସାଥୀ’ର ନିର୍ଦେଶକ ଅଜୟ ସିଂହ କହିଛନ୍ତି।

Comments are closed.