କରୋନା କାଳରେ ଅକ୍ସିମିଟର ଓ ଥର୍ମୋମିଟର ଦୁର୍ନୀତି: ତଦନ୍ତ ଲାଗି ଏସଆଇଟି ଗଠନ କଲେ ଯୋଗୀ ସରକାର

କୋଭିଡ଼-୧୯ ମହାମାରୀ ସମୟରେ କେବଳ ଯେ ଓଡ଼ିଶାରେ କରୋନା କିଟ୍ କ୍ରୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ତାହା ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ଅନୁରୂପ ଅଭିଯୋଗ ହୋଇଛି । ଖୋଦ ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶରେ କୋଭିଡ଼ କାଳରେ ଅକ୍ସିମିଟର ଓ ଥର୍ମୋମିଟର କିଣାରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । କିଛି  ଜିଲାପାଳ ଓ ବରିଷ୍ଠ ଆଇଏଏସ ଅଧିକାରୀ ଏଥିରେ ସମ୍ପୃକ୍ତ ଥିବା ଆପ୍ ସାଂସଦ ସଞ୍ଜୟ ସିଂହ ଅଭିଯୋଗ କରିଛନ୍ତି । ଧାର୍ଯ୍ୟ ଦରଠାରୁ ୫ ଗୁଣ ଅଧିକ ମୂଲ୍ୟରେ ଏହି ସାମଗ୍ରୀ କ୍ରୟ କରାଯାଇଥିବା ନେଇ ସୂଚନା ମିଳିବା ପରେ କିଛି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସଞ୍ଜୟ ସିଂହ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ପୃକ୍ତ ଥିବା ଅଭିଯୋଗ ଆଣିବା ପରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ପୁରା ଘଟଣାର ତଦନ୍ତ ନିମନ୍ତେ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି । ୧୦ ଦିନ ମଧ୍ୟରେ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

ମୁଖ୍ୟ ସଚିବ ପାହ୍ୟାର ଅଧିକାରୀ ରେଣୁକା କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ତଦନ୍ତକାରୀ ଦଳରେ ଶିକ୍ଷା ବିଭାଗ ସଚିବ ଅମିତ୍ ଗୁପ୍ତା, ନଗର ବିକାଶ ସଚିବ ବିକାଶ ଗୋଠଲୱାଲ ସଦସ୍ୟ ରହିଛନ୍ତି । ସମଗ୍ର ଉତ୍ତରପ୍ରଦେଶରେ ଏହି ୩ ଅଧିକାରୀ ବେଶ୍ ସଚ୍ଚୋଟ ଅଧିକାରୀ ଭାବରେ ଜଣାଶୁଣା । ମୁଖ୍ୟମନ୍ତ୍ରୀ ଏହି ଅଧିକାରୀମାନଙ୍କୁ ଘଟଣାର ତଦନ୍ତରେ ପୁରା ସ୍ବାଧୀନତା ଦେଇଛନ୍ତି ଓ ନିରପେକ୍ଷ ଭାବରେ ତଦନ୍ତ ନିମନ୍ତେ ନିର୍ଦେଶ ଦେଇଛନ୍ତି ।

Comments are closed.