ଜୀବନ ପାଇବ ୟେସ୍‌ ବ୍ୟାଙ୍କ

ମୁମ୍ବଇ: ୟେସ୍‌ ବ୍ୟାଙ୍କରେ ରାଷ୍ଟ୍ରାୟତ୍ତ ଭାରତୀୟ ଷ୍ଟେଟବ୍ୟାଙ୍କ ସହିତ ଆଉ ୭ ନିବେଶକ ୧୨ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରିବେ। ସମ୍ପ୍ରତି ଆର୍ଥିକ ଦୁର୍ଗତି ମଧ୍ୟରେ ଗତିକରୁଥିବା ୟେସ୍‌ ବ୍ୟାଙ୍କ ସ୍ଥିତିରେ ସୁଧାର ଆଣିବା ସକାଶେ ଏସବିଆଇ ସହିତ ଘରୋଇ ବ୍ୟାଙ୍କିଙ୍ଗ ସଂସ୍ଥା ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟା୍‍କ, ଆକ୍ସିସ ବ୍ୟାଙ୍କ ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କ ସହିତ ପୁଞ୍ଜିନିବେଶକ ରାଧାକିଶନ ଦାମାନି, ରାକେଶ ଝୁନଝୁନୱାଲା ଏବଂ ଅଜିମ ପ୍ରେମଜୀ ଟ୍ରଷ୍ଟ ହାତ ମିଳାଇଥିବା ଜଣାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଏ ସମ୍ପର୍କରେ ଦିଆଯାଇଥିବା ଏକ ପ୍ରସ୍ତାବରେ କୁହାଯାଇଛି ଯେ ଏହି ନିବେଶକମାନେ ମିଳିତ ଭାବେ ୟେସ୍‌ ବ୍ୟାଙ୍କରେ ୪୯%ରୁ ଅଧିକ ଅଂଶ ହାସଲ କରିବେ ଏବଂ ଏସବିଆଇ ସବୁଠାରୁ ଅଧିକ ୪୫% ଅଂଶ ନିଜ ପାଖରେ ରଖିବ। ଏଥିସହିତ ୟେସ୍‌ ବ୍ୟାଙ୍କର ବର୍ତ୍ତମାନ ପ୍ରଶାସକ ଭାବେ ଦାୟିତ୍ୱ ନେଇଥିବା ପ୍ରଶାନ୍ତ କୁମାରଙ୍କୁ ବ୍ୟାଙ୍କର ନୂଆ ସିଇଓ ଭାବେ ନିଯୁକ୍ତ କରିବାକୁ ଏସବିଆଇ ସୁପାରିସ କରିଛି।

ଆରବିଆଇ ନିକଟରୁ ପଠାଯାଇଥିବା ଛଅପୃଷ୍ଠାବ୍ୟାପୀ ପ୍ରସ୍ତାବରେ ଏସବିଆଇ ପ୍ରତ୍ୟେକ ନିବେଶକ କେତେ ପରିମାଣର ପୁଞ୍ଜିନିବେଶ କରିବେ ଏବଂ ଏହି ପ୍ରସ୍ତାବ କେବେ କାର୍ୟ୍ୟକାରୀ କରାଯିବ, ସେ ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଏଥିରେ ୩୦ହଜାର କୋଟି ଟଙ୍କାର ଏକକାଳୀନ ଜମା ରଖିବେ। ପ୍ରସ୍ତାବିତ ନିବେଶକମାନେ ଭବିଷ୍ୟତରେ ୟେସ୍‌ ବ୍ୟାଙ୍କରେ ଅଧିକ ନିବେଶ କରିବା ସମ୍ଭାବନା ମଧ୍ୟ ରହିଛି ବୋଲି ଏକ ସୂତ୍ରରୁ କୁହାଯାଇଛି। ଏପରିକି ଏଥିରେ ବିଦେଶୀ ନିବେଶକମାନେ ପରବର୍ତ୍ତୀ ସମୟରେ ସାମିଲ ହେବା ସମ୍ଭାବନା ରହିଥିବା ସେ କହିଛନ୍ତି। ଗୁରୁବାର ଅପରାହ୍ଣରେ ଷ୍ଟକ ଏକ୍ସଚେଞ୍ଜରେ ନିଜ ପ୍ରସ୍ତାବ ଦାଖଲକରି ଏସବିଆଇ ପକ୍ଷରୁ କୁହାଯାଇଥିଲା ଯେ ଏହା ୪୯% ଅଂଶ ଦଖଲ ପାଇଁ ୟେସ୍‌ ବ୍ୟାଙ୍କରେ ୭୨୫୦କୋଟି ଟଙ୍କା ନିବେଶ ଯୋଜନା କରିଛି। ଇତିମଧ୍ୟରେ ୟେସ୍‌ ବ୍ୟାଙ୍କ ଲିମିଟେଡର ପ୍ରତ୍ୟେକ ୧୦ଟଙ୍କା ମୂଲ୍ୟର ୭୨୫ କୋଟି ସେୟାର କ୍ରୟ ଯୋଜନାକୁ ଏସବିଆଇର କାର୍ୟ୍ୟନିର୍ବାହୀ କମିଟି ଅନୁମୋଦନ କରିଛି।

Comments are closed.