ୟେସ୍ ବ୍ୟାଙ୍କ ଦୁର୍ନୀତି ମାମଲା – ୭ଟି ସ୍ଥାନରେ ଚଢ଼ାଉ କଲା ସିବିଆଇ

ସମାଜ ପୋର୍ଟାଲ ଡେସ୍କ: ୟେସ୍ ବ୍ୟାଙ୍କ ଦୁର୍ନୀତି ମାମଲାରେ ସିବିଆଇ ଆଜି ୭ଟି ସ୍ଥାନରେ ଚଢ଼ାଉ କରିଛି। ୟେସ୍ ବ୍ୟାଙ୍କ ସହପ୍ରତିଷ୍ଠାତା ରାନା କାପୁରଙ୍କ ପରିବାରକୁ ଦିୱାନ୍ ହାଉସିଙ୍ଗ୍ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ ଦ୍ୱାରା ୬ଶହ କୋଟି ଟଙ୍କାର ଅର୍ଥ ଲାଞ୍ଚ ଦିଆଯାଇଥିବାର ଅଭିଯୋଗକୁ ଭିତ୍ତିକରି ଏହି ଖାନତଲାସି କରାଯାଇଛି। ସିବିଆଇ ଅଫିସରମାନଙ୍କ କହିବା ଅନୁସାରେ, ମୁମ୍ବାଇସ୍ଥିତ ତାଙ୍କର ତିନୋଟି ବାସଭବନ ଓ କାର୍ଯ୍ୟାଳୟରେ ଏହି ଖାନତଲାସି କରାଯାଉଛି। ସିବିଆଇ ଅଭିଯୋଗ ଅନୁସାରେ, ରାନା କାପୁର ଓ DHFL ପୃଷ୍ଠପୋଷକ କପିଲ ୱାଧୱାଁ ମିଶି ଏକ ଅପରାଧ ଷଡ଼ଯନ୍ତ୍ର କରିଥିଲେ ଓ ୟେସ୍ବ୍ୟାଙ୍କ ମାଧ୍ୟମରେ DHFLକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ସିବିଆଇ ଦାୟର କରିଥିବା ଏତଲା ଅନୁସାରେ ଏହି ଦୁର୍ନୀତି ୨୦୧୮ ଏପ୍ରିଲ୍ ଓ ଜୁନ୍ ମାସ ମଧ୍ୟରେ ହୋଇଥିଲା। ସେହି ସମୟରେ ୟେସ୍ ବ୍ୟାଙ୍କ ଦୁର୍ନୀତିଗ୍ରସ୍ତ ଦିୱାନ୍ ହାଉସିଙ୍ଗ୍ ଫାଇନାନ୍ସ କର୍ପୋରେସନ୍ ଲିମିଟେଡରେ ୩ହଜାର ୭ଶହ କୋଟି ଟଙ୍କାର ସ୍ୱଳ୍ପକାଳୀନ ଡିବେଞ୍ଚରରେ ପୁଞ୍ଜି ନିବେଶ କରିଥିଲା। ପ୍ରତିବଦଳରେ ୱାଧୱାଁ ୬ଶହ କୋଟି ଟଙ୍କାର ଲାଞ୍ଚ ରାନା କାପୁର ଓ ତାଙ୍କ ପରିବାରର ସଦସ୍ୟମାନଙ୍କୁ ଦେଇଥିଲେ। ଇତିମଧ୍ୟରେ ଗତକାଲି ସି.ବି.ଆଇ. ରାନା କାପୁର୍ଙ୍କ ବିରୁଦ୍ଧରେ ଏକ ଫୌଜଦାରୀ ମାମଲା ରୁଜ୍ଜୁ କରିଛି। ରାନା କାପୁର ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜତରେ ଅଛନ୍ତି। DHFL ପୃଷ୍ଠପୋଷକ କପିଲ୍ ୱାଧୱାଁ ଓ Do it Urban Ventures (India) Limited ବିରୁଦ୍ଧରେ ମଧ୍ୟ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିବିଆଇ ସେମାନଙ୍କ ବିରୁଦ୍ଧରେ ଅପରାଧ ଷଡ଼ଯନ୍ତ୍ର, ଠକେଇ ଓ ଦୁର୍ନୀତି ଭଳି ଭାରତୀୟ ପିଙ୍ଗଳ ଆଇନ ଓ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରା ଲାଗୁ କରିଛି।