କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା, ତାମିଲନାଡ଼ୁ ରାଜ୍ୟପାଳ ବନୱାରୀଲାଲଙ୍କୁ କରୋନା

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି। ରବିବାର ମଧ୍ୟରାତ୍ରିରେ ଆସିଥିବା ସୂଚନା ଅନୁସାରେ ୟେଦୁରପ୍ପା କରୋନା ସଂକ୍ରମିତ ହୋଇଥିବା ନିଜେ ସୂଚନା ଦେଇଛନ୍ତି । ଟ୍ବିଟରରେ ଏହା ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି ।

ଅନୁରୂପ ଭାବରେ ତାମିଲନାଡୁ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି । ଚେନ୍ନାଇ ଡ଼ାକ୍ତରଖାନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟପାଳଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ଏକ ଡ଼ାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି ।

ତାଙ୍କୁ ଆଜି ସକାଳେ ଚିକିତ୍ସା ନିମନ୍ତେ ଚେନ୍ନାଇର କାବେରୀ ହସ୍ପିଟାଲକୁ ନିଆଯାଇଥିଲା । ତେବେ ରାଜ୍ୟପାଳଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ଓ ତାଙ୍କୁ ‘ମାଇଲ୍ଡ଼’ ସଂକ୍ରମଣ ହୋଇଛି ବୋଲି କାବେରୀ ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି । ରାଜ୍ୟପାଳ ଶ୍ରୀ ବନୱାରୀଲାଲ ଗତ ୨୯ ତାରିଖରୁ ହୋମ ଆଇସୋଲେସନରେ ଅଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଅଛି ବୋଲି ରାଜଭବନ ସୂତ୍ରରୁ ସୂଚନା ମିଳିଛି ।

Comments are closed.