୨୦୧୯ର ଚର୍ଚ୍ଚିତ ଘଟଣାକ୍ରମ ଯାହା ବଦଳାଇ ଦେଇଥିଲା ଦେଶର ରାଜନୈତିକ ଛବି

ଭୁବନେଶ୍ବର: ଅନ୍ତିମ ପର୍ଯ୍ୟାୟରେ ବର୍ଷ ୨୦୧୯। ଆଉ ମାତ୍ର କିଛି ଦିନ ପରେ ନୂଆବର୍ଷ ୨୦୨୦ ଆରମ୍ଭ ହେବ। ତେବେ ଚାଲନ୍ତୁ ଜାଣିବା ୨୦୧୯ରେ କେଉଁ  ଚର୍ଚ୍ଚିତ ଘଟଣାକ୍ରମ ଦେଶର ରାଜନୈତିକ ପ୍ରତିଛବିକୁ ବଳଦାଇ ଦେଇଥିଲା। ଚଳିତ ବର୍ଷର କିଛି ଘଟଣାକ୍ରମ ଯାହା ସବୁଦିନ ପାଇଁ ମନେ ରହିବ।

୨୦୧୯ରେ ପୁଣିଥରେ ଲଗାତର ଦ୍ବତୀୟ ଥର ସରକାର ଗଠନ କରିଥିଲା ବିଜେପି କିନ୍ତୁ କଂଗ୍ରେସର ପରିସ୍ଥିତିରେ ସୁଧାର ଆସିନଥିଲା। ୨୦୧୯ ନିର୍ବାଚନ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧୀ। ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଥିଲା। ଅନ୍ୟପଟେ ମହାରାଷ୍ଟ୍ରରେ ବିଜେପି ସହ ଦିର୍ଘ ୩୦ ବର୍ଷର ସମ୍ପର୍କ ଭାଙ୍ଗୀ ଶିବସେନା ସରକାର ଗଠନ କରିଥିଲା।

୨୦୧୯ରେ ପୁଣିଥରେ ନରେନ୍ଦ୍ର ମୋଦୀଙ୍କ ଯାଦୁ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ ବହୁମତ ସହ ବିଜେପି ପୁଣିଥରେ ସରକାର ଗଠନ କରିଥିଲା। ବିଜେପିକୁ ୨୦୧୪ ତୁଳନାରେ ୨୦୧୯ରେ ଅଧିକ ସଫଳତା ମିଳିଥିଲା। ୨୦୧୪ରେ ୨୮୨ ସିଟ ପାଇଥିବା ବିଜେପି ୨୦୧୯ରେ ୩୦୩ ସିଟ୍ ପାଇଥିଲା। ଏଥି ସହ ନରେନ୍ଦ୍ର ମୋଦୀ ଜବାରହାର ଲାଲ୍ ଓ ଇନ୍ଦିରା ଗାନ୍ଧୀଙ୍କ ପରେ ତୃତୀୟ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଯିଏ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିଥିଲେ। ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବାରଣାସୀରେ ନିର୍ବାଚନ ଲଢି ୪ ଲକ୍ଷ ୭୯ ହଜାର ୫୦୫ ଭୋଟରେ ବିଜୟୀ ହୋଇଥିଲେ। ୨୦୧୯ରେ ମୋଦୀ ସରକାର ଜମ୍ମୁ-କାଶ୍ମୀରରୁ ୩୭୦ ଧାରର ଉଚ୍ଛେଦ କରିବାର ନିଷ୍ପତ୍ତି ନେଇଥିଲେ।

ଚଳତି ନିର୍ବାଚନରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ପ୍ରଥମ ଥର ଲୋକସଭା ନିର୍ବାଚନ ଲଢିବା ସହ ବହୁ ଭୋଟରେ ବିଜୟ ହାସଲ କରିଥିଲେ। ଶାହା ଗୁଜୁରାଟର ଗାନ୍ଧୀନଗର ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢି ବିଜୟ ଲାଭ କରିଥିଲେ। ଲୋକସଭା ନିର୍ବାଚନରେ ବିଜୟ ସହ ଦେଶର ଗୃହମନ୍ତ୍ରୀ ହୋଇଥିଲେ ଅମିତ ଶାହା।

୨୦୧୯ କଂଗ୍ରେସ ପାଇଁ ଏତେ ଶୁଭଙ୍କର ନଥିଲା। କାରଣ ଲୋକସଭା ନର୍ବାଚନରେ କଂଗ୍ରେସ ପରାଜୟର ସାମ୍ନା କରିବା ପରେ ଅଧ୍ୟକ୍ଷ ଥବା ରାହୁଲ ଗାନ୍ଧୀ ପଦରୁ ଇସ୍ତଫା ଦେଇଥିଲେ। ରାହୁଲ ଗାନ୍ଧୀ ୪ ପୃଷ୍ଠା ବିଶିଷ୍ଟ ଇସ୍ତଫା ପତ୍ର ଲେଖି ଟ୍ବିଟର ପେଜରେ ଶେଆର କରିଥିଲେ। କିନ୍ତୁ କଂଗ୍ରେସର ନେତାମାନେ ତାଙ୍କ ଇସ୍ତଫାକୁ ଗ୍ରହଣ କରିନଥିଲେ। ଏଥି ପାଇଁ କଂଗ୍ରେସର କାର୍ୟ୍ୟକର୍ତ୍ତାମାନେ ରାହୁଲଙ୍କ ବାସଭବନ ଆଗରେ ଧାରଣାରେ ମଧ୍ୟ ବସିଥିଲେ। କିନ୍ତୁ ରାହୁଲ ତାଙ୍କ ଜିଦରେ ଅଟଳ ରହିଲେ। ଶେଷରେ ସୋନିଆ ଗାନ୍ଧୀଙ୍କ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ପଡିଲା।

 

ଅଚାନକ ୨୦୧୯ରେ କଂଗ୍ରେସରେ ସାମିଲ ହୋଇଯାଇଥିଲେ ପ୍ରିୟଙ୍କା। ବହୁଦିନ ଧରି କଂଗ୍ରେସର କାର୍ୟ୍ୟକର୍ତ୍ତା ପ୍ରିୟଙ୍କାଙ୍କୁ ଦଳରେ ସାମିଲହେବାପାଇଁ ଅନୁରୋଧ କରୁଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ପ୍ରିୟଙ୍କାଙ୍କୁ ମହାସଚିବ ନିଯୁକ୍ତ କରାଯାଇ ଉତ୍ତର ପ୍ରଦେଶର ଦାୟିତ୍ବ ଦିଆଯାଇଥିଲା। ନିର୍ବାଚନ ସମୟରେ ପ୍ରିୟଙ୍କା ଖୁବ ସକ୍ରିୟ ରହିବା ସହ ବହୁତ ରାଲି କରିଥିଲେ। ପ୍ରିୟଙ୍କାଙ୍କ ପାଇଁ ଚଳିତ ବର୍ଷ ରାଜନୈତିକ ଅଭିଜ୍ଞତା ମହତପୂର୍ଣ୍ଣ ରହିଥିଲା।

 

୨୦୧୮ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହୋଇଥିଲା। ଯେଉଁଥିରେ ବିଜେପି ବହୁମତ ହାସଲରୁ ଅଳ୍ପ ଦୂରରେ ରହିଯାଇଥିଲା। ୨୨୪ ଆସନ ବିଶିଷ୍ଟ ବିଧାନସଭାରୁ ବିଜେପିକୁ ମିଳିଥିଲା ୧୦୪ ଆସନ। ବିଏସ ୟେଦୁରପ୍ପା ସରକାର ଗଠନ କରିଥିଲେ କିନ୍ତୁ ବହୁମତ ସାବ୍ୟସ୍ତ ପୂର୍ବରୁ ୧୨ ମଇ ୨୦୧୮ରେ ଇସ୍ତଫା ଦେଇଥିଲେ। ଏହା ପରେ କଂଗ୍ରେସ-ଜେଡିଏସ ମେଣ୍ଟକରି କର୍ଣ୍ଣାଟକରେ ସରକାର ଗଠନ କରିଥିଲେ। ଏଚଡି.କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହି ମେଣ୍ଟ ସରକାର ଅଧିକ ଦିନ ତିଷ୍ଠି ରହିନଥିଲା। ସରକାର ଉପରେ ସଙ୍କଟ ମାଡି ଆସିଥିଲା। ଜେଡିଏସ ଏବଂ କଂଗ୍ରେସ କେତେକ ବିଧାୟକ ବିଦ୍ରୋହି ହୋଇଯିବା ପରେ ସରକାର ଭାଙ୍ଗିବା ପରିସ୍ଥିତିକୁ ଆସିଯାଇଥିଲା। ୨୦୧୯ ଜୁଲାଇରେ କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟରେ କଂଗ୍ରେସ-ଜେଡିଏସ ମେଣ୍ଟ ବିରୋଧରେ ୧୦୫ ଭୋଟ ମିଳିଥିବା ବେଳେ ସପକ୍ଷରେ ୯୯ ଭୋଟ ମିଳିଥିଲା। ଏହାପରେ କର୍ଣ୍ଣାଟକରେ ପୁଣିଥରେ ବିଜେପି ସରକାର ଗଠନ କରିଥିଲା। ବିଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୯ ଡିସେମ୍ବରରେ କର୍ଣ୍ଣାଟକରେ ୧୬ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ପୁଣି ବାଜିମାତ କରିବା ସହ ୧୨ ଟି ଆସନ ହାସଲ କରିଥିଲା।

ପୂର୍ବତନକେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତାଙ୍କ ପି.ଚିଦାମ୍ବରମଙ୍କ ପାଇଁ ୨୦୧୯ ବର୍ଷ ଶୁଭଙ୍କର ନଥିଲା। କାରଣ ଚଳିତ ବର୍ଷ ଆଇଏନଏସ୍କ ମିଡିଆ ଦୁର୍ନିତି ମାମାଲାରେ ଇଡି ଏବଂ ସିବିଆଇ ଦ୍ବାରା ଗିରଫ ହୋଇଥିଲେ। ସିବିଆଇ ୨୦୧୯ ଅଗଷ୍ଟ ୨୧ ତାରିଖରେ ତାଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଏହାପରେ ଏହି ମାମଲାରେ ତାଙ୍କୁ ତିହାର ଜେଲକୁ ପଠାଇ ଦିଆଯାଇଥିଲା। ୧୯ ଅକ୍ଟୋବରରେ ଆଇଏନଏସ୍କ ମିଡିଆ ମାମଲାରେ ଚିଦାମ୍ବରମଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଔପଚାରିକ ରୂପେ ଗିରଫ କରିଥିଲା। ଦିଲ୍ଲୀର ଏକ ଅଦାଲତ ଆଇଏନଏସ୍କ ମିଡିଆ ମାମାଲାରେ ଇଡିକୁ ପି.ଚିଦାମ୍ବରମଙ୍କୁ ଜେରା କରିବା ପାଇଁ ଆଦେଶ ଦେଇଥିଲେ। କୋର୍ଟ କହିଥିଲେ ଜେରା ପରେ ଯଦି ଇଡିକୁ ଲାଗିବ ତାଙ୍କୁ ଗିରଫ କରିବା ଉଚିତ ତେବେ କୋର୍ଟଙ୍କ ଆଦେଶ ନେଇ ତାଙ୍କୁ ଗିରଫ କରିପାରିବ। ବହୁଥର ଚିଦାମ୍ବରମ ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଥିଲା। ଶେଷରେ ୪ ଡିସେମ୍ବରରେ ତାଙ୍କୁ ଜାମିନ ମିଳିଥିଲା। ୧୦୬ ଦିନ ଜେଲରେ ରହିବା ପରେ ବାହାରକୁ ଆସିଥିଲେ ଚିଦାମ୍ବରମ।

ମହାରାଷ୍ଟ୍ର ବିଧାନସଭାକୁ ନେଇ ଚଳିତ ବର୍ଷ ଚର୍ଚାର କେନ୍ଦ୍ରବିନ୍ଦୁ ଥିଲା। କାରଣ ଐତିହାସିକ ରୂପେ ଶିବସେନା ଦିର୍ଘ ୩୦ ବର୍ଷ ପରେ ବିଜେପି ହାତ ଛାଡିଥିଲା। ନିର୍ବାଚନରେ ମେଣ୍ଟକରି ଲଢୁଥିବା ବିଜେପି ଏବଂ ଶିବସେନା ବହୁମତ ହାସଲ କରିଥିଲେ। କିନ୍ତୁ ଶିବସେନା ମୁଖ୍ୟମନ୍ତ୍ରୀ ପଦରେ ୫୦-୫୦ ଫର୍ମୁଲା ପାଇଁ ବିବାଦ ଆରମ୍ଭ ହୋଇଥିଲା। ଏହାପରେ ରାଜନୌତିକ ଘଟଣାକ୍ରମରେ ଏନସିପିର ପ୍ରମୁଖ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ବିଜେପି ସହ ହାତ ମଶାଇଥିଲେ ଏବଂ ରାତାରାତି ସରକାର ଗଠନ କରିଥିଲେ। ଏହାପରେ ମହାରାଷ୍ଟରେ ଜୋରଦାର ରାଜନୌତିକ ହଙ୍ଗାମା ଦେଖାଦେବା ସହ ଆରୋପ-ପ୍ରତ୍ୟାରୋପ ବଢି ଚାଲିଥିଲା। କିନ୍ତୁ ସରକାର ବହୁମତ ସାବ୍ୟସ୍ତ କରିବା ପର୍ୟ୍ୟନ୍ତ ତିଷ୍ଠି ରହିପାରିନଥିଲା। ଅଜିତ ପାୱାର ଏନସିପିର ବିଧାୟକ ମାନଙ୍କୁ ଏକାଠି କରିପାରିଲେ ନାହିଁ। ଯାହା ଫଳରେ ଭାଙ୍ଗିଯାଇଥିଲା ଦେବେନ୍ଦ୍ର ଫଡନବିସଙ୍କ ସରକାର। ଏହାପରେ ଶିବସେନା-କଂଗ୍ରେସ ଏବଂ ଏନସିପି ମେଣ୍ଟ କରି ସରକାର ଗଠନ କରିଥିଲେ। ଉଦ୍ଧବ ଠାକରେ ହୋଇଥିଲେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ। ପ୍ରଥମ ଥର ପାଇଁ ଠାକରେ ପରିବାର କେହି ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ।

୨୦୧୯ରେ ମଧ୍ୟ ଚର୍ଚାରେ ରହିଥିଲେ ମମତା ବାନାର୍ଜୀ। ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ ବିବାଦ ଚର୍ଚାକୁ ଜୋରଦାର କରିଥିଲା। ଚଳିତ ବର୍ଷ ସାରା ବିଜେପି ଏବଂ ଟିଏମସି କର୍ମକର୍ତ୍ତାଙ୍କ ମଧ୍ୟରେ କେତେକ ସ୍ଥାନରେ ମାଡପିଟ ଏବଂ ହିସାଂ ଦେଖାଦେଇଥିଲା। ଯେଉଁଥିରେ କେତେକ କାର୍ୟ୍ୟକର୍ତ୍ତାଙ୍କ ଜୀବନ ମଧ୍ୟ ଯାଇଥିଲା। ସବୁଠୁ ଅଧିକ ବିବାଦ ଦେଖାଦେଇଥିଲା ଯେତେବେଳେ ୟୁନିର୍ଭସିଟିରେ ଇଶ୍ବର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୃତ୍ତିକୁ ଭାଙ୍ଗି ଦିଆଯାଇଥିଲା। ସେହି ସମୟରେ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ କେଶରି ନାଥ ତ୍ରିପାଠୀ। ତାଙ୍କ କାର୍ୟ୍ୟକାଳ ଜୁଲାଇ ୨୩ରେ ଶେଷ ହୋଇଥିଲା। ଏହାପରେ ଜଗଦୀପ ଧାନକର ପଶ୍ଚିମବଙ୍ଗର ରାଜ୍ୟପାଳ ହୋଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳଙ୍କ ବିବାଦ ବଢିଥିଲା। କେତେକ ସ୍ଥାନରେ ଏହି ବିବାଦ ସାମ୍ନାକୁ ଆସିଛି ଯେଉଁଠି ଦୁହେଁ ଦୁହିଁଙ୍କ ଉପରେ ଆରୋପ-ପ୍ରତ୍ୟାରୋପ ମଧ୍ୟ କରିଥିଲେ। ଯେଉଁ କାର୍ୟ୍ୟକ୍ରମରେ ଦୁହେଁ ଏକାଠି ହେଉଥିଲେ ସେଠାରେ ଅଭିବାଦନ ମଧ୍ୟ କରୁନଥିଲେ। ବର୍ତ୍ତମାନ ପର୍ୟ୍ୟନ୍ତ ଏହି ବିବାଦ ଜାରି ରହିଛି।

ଚଳିତ ବର୍ଷ ଆନ୍ଧ୍ରପ୍ରଦେଶରେ ରାଜନୈତିକ କ୍ଷେତ୍ରରେ ବଡ ଉଥାନପତ୍ତନ ହୋଇଥିଲା। ଏକା ସାଙ୍ଗରେ ହୋଇଥିବା ଲୋକସଭା ଓ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ଜଗମୋହନ ରେଡ୍ଡିଙ୍କ ନାଁ ଚର୍ଚାକୁ ଆସିଥିଲା। ୪୬ ବର୍ଷୀୟ ୱାଇଏସଆର କଂଗ୍ରେସ ମୁଖ୍ୟ ଜଗମୋହନ ରେଡ୍ଡି ଆନ୍ଧ୍ରରୁ ଚନ୍ଦ୍ରବାବୁ ନାଇଡୁଙ୍କ ସରକାରଙ୍କୁ ହରାଇଥିଲା। ଆନ୍ଧ୍ରପ୍ରଦେଶ ନିର୍ବାଚନରେ ଜଗମୋହନ ରେଡ୍ଡିଙ୍କ ଯାଦୁରେ ୱାଇଏସଆର କଂଗ୍ରେସ ୨୫ ଆସନ ବିଶିଷ୍ଟ ଲୋକସଭା ଆସନରୁ ୨୨ ଟିରେ ବିଜୟ ହାସଲ କରିଥିଲା। ସେହିପରି ବିଧାନସଭା ନିର୍ବାଚନରେ ତେଲୁଗୁ ଦେଶମ ପାର୍ଟୀକୁ ହରାଇ ସରକାର ଗଠନ କରିଥିଲା। ୱାଇଏସଆର କଂଗ୍ରେସ ୧୭୫ ଆସନରୁ ୧୫୧ ଆସନରେ ବିଜୟ ହାସଲ କରିଥିଲା। ନିର୍ବାଚନରେ ଜବରଦସ୍ତ ବିଜୟ ପରେ ଜଗମୋହନ ରେଡ୍ଡି ମୁଖ୍ୟମନ୍ତ୍ରୀ ହୋଇଥିଲେ।

୨୦୦୪ରେ ପ୍ରଥମ ଥର ନବଜୋତ ସିଂହ ସିଦ୍ଧୁ ଅମୃତସରରୁ ବିଜେପି ଟିକେଟରେ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିଥିଲେ। କିନ୍ତୁ ୨୦୧୭ରେ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଥିଲେ ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ବଧାନସଭା ନିର୍ବାଚନରେ ବିଜୟ ହାସଲ କରିଥିଲେ। କିନ୍ତୁ ସବୁଠୁ ବଡ ଚର୍ଚାର ବିଷୟ ଥିଲା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂହଙ୍କ ସହ ତାଙ୍କର ତିକ୍ତତା। ତିକ୍ତତା ପରେ ମଧ୍ୟ ପଞ୍ଜାବରେ ମନ୍ତ୍ରୀ ପଦ ପାଇଥିଲେ ସିଦ୍ଧୁ। ନବଜୋତ ସିଂହ ସିଦ୍ଧୁ ପଞ୍ଜାବର ସହର ବିକାଶ ମନ୍ତ୍ରୀ ହୋଇଥିଲେ। ଏହପରେ ମଧ୍ୟ ଅମରେନ୍ଦ୍ର ସିଂହ ଏବଂ ସିଦ୍ଧୁଙ୍କ ମଧ୍ୟରେ ତିକ୍ତତା କମିନଥିଲା। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂହ  କହିଥିଲେ ଯେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ପଦ ଆବଶ୍ୟକ। ଦୁହିଁଙ୍କୁ ମଧ୍ୟରେ ତିକ୍ତତା ବଢିବା କାରଣରୁ ଶେଷରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନବଜୋତ ସିଂହ ସିଦ୍ଧୁ।

Comments are closed.