୧୯ର ଶେଷ ମନ କଥା କହୁଛନ୍ତି ମୋଦୀ

ନୂଆଦିଲ୍ଲୀ: “ଆଉ ୩ ଦିନରେ ବିଦାୟ ନେବ ୨୦୧୯, ତା ପରେ ଆମେ କେବଳ ୨୦୨୦କୁ ସ୍ୱାଗତ କରିବା ସେ କଥା ନୁହେଁ, ଆମେ ନୂଆ ଦଶକରେ ପ୍ରବେଶ କରିବା…ଆପଣମାନଙ୍କୁ ସମସ୍ତଙ୍କୁ ନୂଆବର୍ଷ ୨୦୨୦ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ୨୦୧୯ର ଶେଷ ମନ କି ବାତ’ରେ ଏହି ଭଳି କିଛି ବାର୍ତ୍ତା ସହ ସ୍ୱାଗତ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଯୁବ ସମାଜ ପ୍ରସଙ୍ଗରେ କହିଛନ୍ତି, ଆଜିର ଯୁବ ସମାଜ ଜାତି ପ୍ରଥାକୁ ଦୂର କରି ଦେଶ ଗଠନରେ ଅଧିକରୁ ଅଧିକ ବ୍ରତୀ ହେବାରେ ଲାଗିଛନ୍ତି। ଦେଶର ଆଧୁନିକୀକରଣ ଓ ବିକାଶ ଦିଗରେ ଯୁବ ପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ମୋଦୀ ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଥିବା କହିଛନ୍ତି। ଆଜିର ଯୁବ ବର୍ଗ ଅଶାନ୍ତି ଓ ଦେଶ ପାଇଁ ଖରାପ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁ ନାହିଁ ବରଂ କୌଣସି ପ୍ରସଙ୍ଗ ଉପରେ ଯୁବ ପିଢ଼ି ନିଜର ମତାମତ ଉପସ୍ଥାପନ କରିବାରେ ବିଶ୍ୱାସ ରଖୁଛି ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷା ଓ ଦର୍ଶନକୁ ଲକ୍ଷ୍ୟ କରି କହିଛନ୍ତି – ଯୁବ ପିଢ଼ି ହେଉଛି ଶକ୍ତି ଓ ବିକାଶ ଅନ୍ୟ ନାଁ। ମୋଦୀ କହିଛନ୍ତି, ଆମେ ଅଲଗା ଅଲଗା ସ୍ଥାନରେ ଶିକ୍ଷା ଗ୍ରହଣ କରିଥିଲେ ମଧ୍ୟ ଯେତେବେଳେ ପୁରାତନ ଛାତ୍ର ସମ୍ମେଳନ ଅନୁଷ୍ଠିତ ହୁଏ ତାହା ଅତ୍ୟନ୍ତ ଆନନ୍ଦଦାୟକ ହୋଇଥାଏ। ଏହା ମଧ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥାଏ। ସେ କହିଛନ୍ତି ଯେ ଏହା କେବଳ ପୁରୁଣା ବନ୍ଧୁଙ୍କ ସହ ମିଳନର କଥା ତାହା ନୁହେଁ, ଏଥିରେ ମଧ୍ୟ ଆମ ସଂକଳ୍ପ ଲୁଚି ରହିଥାଏ।

ସ୍ୱାମୀ ବିବେକାନନ୍ଦ କନ୍ୟାକୁମାରୀର ଯେଉଁ ପ୍ରସ୍ଥର ଉପରେ ସାଧନା କରିଥିଲେ, ଏବେ ତାହାକୁ ୫୦ ବର୍ଷ ପୂରିବାକୁ ଯାଉଛି। ଗତ ୫ ଦଶନ୍ଧି ହେବ ସେହି ପ୍ରସ୍ଥର ଖଣ୍ଡ ଆମ ପାଇଁ ଗର୍ବ ଓ ଗୌରବ ହୋଇ ରହିଛି। କନ୍ୟାକୁମାରୀ ସାରା ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ର ହୋଇପାରିଛି ବୋଲି ମୋଦୀ ମନ କି ବାତରେ କହିଛନ୍ତି। ସବୁ ଧର୍ମ, ସବୁ ବର୍ଗ ଓ ଆଧ୍ୟାତ୍ମିକତାରେ ବିଶ୍ୱାସ କରୁଥିବା ମଣିଷ ପାଇଁ ତାହା ତୀର୍ଥସ୍ଥଳୀ ପାଲଟିଛି ବୋଲି ସେ କହିଛନ୍ତି। ଯୁବ ପିଢ଼ି କନ୍ୟାକୁମାରୀର ସେହି ସ୍ମାରକୀ ସ୍ଥଳକୁ ବୁଲିବାକୁ ଯିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ପୁଣି ଥରେ ଅଗଷ୍ଟ ୧୫ରେ ଲାଲକିଲ୍ଲାରେ ଭାରତର ଜନସାଧାରଣଙ୍କୁ କହିଥିବା କଥା ମନେ ପକାଇଛନ୍ତି। ଆମେ ସ୍ଥାନୀୟ ଉତ୍ପାଦନର ବିକ୍ରିରେ ନିଜକୁ ସାମିଲ କରି ପାରିବା। ସେ କହିଛନ୍ତି ଯେ ଆମେ ଯଦି ଆମ ଲୋକଙ୍କ ଓ ଆମ ଅଞ୍ଚଳରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ପ୍ରୋତ୍ସାହନ ଦେବା ତେବେ ଉଭୟ ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଅଭୂତପୂର୍ବ ବିକାଶ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ସଂକଳ୍ପ କରିବା ଯେ ୨୦୧୨ ବେଳକୁ ସ୍ୱାଧୀନତାର ୭୫ ବର୍ଷ ପୂରଣ ହେଉଥିବ ତେଣୁ ଆଜିଠାରୁ ୨୦୧୨ ପର୍ଯ୍ୟନ୍ତ ଆମେ ସମସ୍ତେ ଆମ ଲୋକଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ସାମଗ୍ରୀ ଅଧିକରୁ ଅଧିକ କ୍ରୟ କରିବା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତରେ ଜାମ୍ମୁ, କାଶ୍ମୀର ଏବଂ ଲଦାଖରେ ଆରମ୍ଭ ହୋଇଥିବା କୌଶଳ ବିକାଶ ଯୋଜନା ‘ହିମାୟତ’ ସମ୍ପର୍କରେ ଚର୍ଚ୍ଚା କରିଛନ୍ତି। ଯୁବ ପିଢ଼ିକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ହୋଇଥିବା ବେଳେ ଏଥିରେ ଅଧିକରୁ ଅଧିକ ଯୁବକ ସାମିଲ ହେଉଥିବା ମୋଦୀ କହିଛନ୍ତି। ୧୫ରୁ ୩୫ବର୍ଷ ମଧ୍ୟରେ ଯୁବ ଗୋଷ୍ଠୀ ଯେଉଁମାନେ ବିଗତ ଦିନ ମାନଙ୍କରେ ଶିକ୍ଷା ଗ୍ରହଣ କରି ପାରି ନାହାନ୍ତି, ସେମାନଙ୍କୁ କୌଶଳ ବିକାଶ ଯୋଜନା ସହାୟକ ହେଉଥିବା ମୋଦୀ କହିଛନ୍ତି।

ମୋଦୀ ତାଙ୍କ ଉଦବୋଧନରେ ବିହାର ପଶ୍ଚିମ ଚମ୍ପାରନର ଭୈରବଗଞ୍ଜରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରର ତାରିଫ କରି କହିଛନ୍ତି, ଯେ ସେହି ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳୁଥିବା ଅନେକ ପ୍ରକାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସରକାର କରିନାହାନ୍ତି ବରଂ ତାହା ସେଠାରେ ଥିବା ଏକ ସ୍କୁଲର ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କରାଯାଇଛି। ତାର ନାଁ ରଖାଯାଇଛି ‘ସଂକଳ୍ପ ୮୫’ କାରଣ ତାହା ୧୯୮୫ ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆରମ୍ଭ କରାଯାଇଛି।

ମୋଦୀ ମନ କି ବାତରେ ଉତ୍ତରପ୍ରଦେଶର ଫୁଲପୁରର ଏକ ମହିଳା ଗୋଷ୍ଠୀକୁ ପ୍ରଶଂସା କରି କହିଛନ୍ତି, ସେହି ମହିଳା ଗୋଷ୍ଠୀର ସଦସ୍ୟାମାନେ ଅନ୍ୟମାନଙ୍କ ପାଇଁ ଆଜି ପ୍ରେରଣାର ଉତ୍ସ ହୋଇପାରିଛନ୍ତି। ଯଦି ସମସ୍ତେ ମିଳିମିଶି ଏକ ଲକ୍ଷ୍ୟ ନେଇ କାର୍ଯ୍ୟ କରିବେ ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ଓ ସଫଳ ମଧ୍ୟ ହେବ। ସେହି ଗୋଷ୍ଠୀର ମହିଳାମାନେ ଚପଲ ତିଆରି କରନ୍ତି ଓ ସେହି ଚପଲ ସବୁ ସ୍ଥାନୀୟ ଲୋକମାନଙ୍କର ବହୁତ ପସନ୍ଦ ବୋଲି ମୋଦୀ କହିଛନ୍ତି।

Comments are closed.