ଜହ୍ନ ଯାତ୍ରା ପାଇଁ ବାନ୍ଧବୀ ଖୋଜୁଛନ୍ତି ଜାପାନୀ ବ୍ୟବସାୟୀ

ଟୋକିଓ : ଜହ୍ନକୁ ଯିବା ପାଇଁ ବାନ୍ଧବୀଙ୍କ ସନ୍ଧାନ କରୁଛନ୍ତି ଜଣେ ଜାପାନୀ ଯୁବକ । ଏହି ୪୪ବର୍ଷୀୟ ଯୁବକଙ୍କ ନାଁ ୟାସୁକୁ ମାଏଜାୱା। ତାଙ୍କର ଅନ୍‌ଲାଇନ୍‌ ପୋଷାକ ବ୍ୟବସାୟ ରହିଛି। ସଫ୍ଟବ୍ୟାଙ୍କ ଗୋଷ୍ଠୀ ସହିତ ତାଙ୍କର ‘ଜୋଜୋ ଆଇଏନ୍‌ସି’ ବ୍ୟବସାୟ ସଂଯୋଜିତ। ମାଏଜାୱା ଚନ୍ଦ୍ରକୁ ସାଙ୍ଗରେ ନେବା ପାଇଁ ଖୋଜୁଥିବା ବାନ୍ଧବୀଙ୍କ ବୟସ ୨୦ ହୋଇଥିବ ଓ ସେ ଅବିବାହିତ ଥିବା ଆବଶ୍ୟକ ବୋଲି ସର୍ତ୍ତ ରଖିଛନ୍ତି। ମାଏଜାୱାଙ୍କ ଚନ୍ଦ୍ର ଯାତ୍ରା କାର୍ଯ୍ୟକ୍ରମ ଏକ ଟିଭି ବୃତ୍ତଚିତ୍ର (ଡକ୍ୟୁମେଣ୍ଟାରୀ) କାର୍ଯ୍ୟକ୍ରମର ଅଂଶବିଶେଷ। ‘ଫୁଲ୍‌ ମୁନ୍‌ ଲଭର୍ସ’ ଶୀର୍ଷକ ଏହି ବୃତ୍ତଚିତ୍ର ଆବେମା ଟିଭିରେ ପ୍ରସାରଣ ହେବ। ଏତଦ୍‌ବ୍ୟତୀତ ‘ଡିୟର ମୁନ୍‌’ ଶୀର୍ଷକ ପ୍ରକଳ୍ପରେ ସେ ଚିତ୍ରତାରକାଙ୍କୁ ନେଇ ବିମାନରେ ବୃତ୍ତଚିତ୍ର ପ୍ରସ୍ତୁତ କରିବା ଯୋଜନା ରଖିଛନ୍ତି। ଏଥିପାଇଁ ସୁଯୋଗ୍ୟ ଯୁବତୀଙ୍କ ଦରଖାସ୍ତ ଆହ୍ବାନ କରୁଛି। ତାଙ୍କୁ ଆବଶ୍ୟକ ହେଲେ ଜୀବନସାଥୀ କରିବି। ତାଙ୍କ ସହିତ ବାହ୍ୟଜଗତରୁ ବିଶ୍ବଶାନ୍ତି ପାଇଁ ଆମର ପ୍ରେମକୁ ଉତ୍ସର୍ଗ କରିବି। ୨୦୨୩ରେ ମୁଁ ଏଲୋନ୍‌ ମସ୍କଙ୍କ ସ୍ପେସ୍‌-ଏକ୍ସ ଘରୋଇ ଚନ୍ଦ୍ର ଅଭିଯାନରେ ସାମିଲ ହୋଇ ଚନ୍ଦ୍ରକୁ ଯିବାର ଯୋଜନା ରଖିଛି, ସେ ମୋର ସହଯାତ୍ରୀ ହେବେ।’ ବିଶ୍ବଶାନ୍ତି ପାଇଁ କାର୍ଯ୍ୟ କରିବା ସହ ମହାକାଶକୁ ଯିବା ପାଇଁ ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥିନୀ ଆବେଦନ କରିବାକୁ ମାଏଜାୱା ୱେବ୍‌ସାଇଟ୍‌ରେ ସୂଚନା ଦେଇଛନ୍ତି। ଚଳିତ ମାସ ୧୭ ହେଉଛି ଆବେଦନର ଶେଷ ତାରିଖ। ମାର୍ଚ୍ଚ ସୁଦ୍ଧା ମାଏଜାୱା ତାଙ୍କର ବାନ୍ଧବୀ ମନୋନୟନ ପ୍ରକ୍ରିୟା ଚୂଡ଼ାନ୍ତ କରିବେ ବୋଲି ଏଥିରେ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ମାଏଜାୱା ଜାପାନୀ ଚଳଚ୍ଚିତ୍ର ଅଭିନେତ୍ରୀ ୨୭ବର୍ଷିଆ ଆୟାମି ଗୋରିକିଙ୍କ ସହିତ ସମ୍ପର୍କ ରଖିଥିଲେ। ନିକଟରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ଘଟିଛି।

Comments are closed.