ଚୀନ ସ୍ମାର୍ଟ ଫୋନ ସାଓମିକୁ କଳା ତାଲିକାଭୁକ୍ତ କଲା ଆମେରିକା; ଚୀନା ସେନା ସହ ସମ୍ପର୍କ ଅଭିଯୋଗ

କମ୍ପାନୀ ଦେଲା ସଫେଇ- ଚୀନ ସେନା ସହ କୌଣସି ସମ୍ପର୍କ ନାହିଁ

ନୂଆଦିଲ୍ଲୀ: ଚୀନ ସ୍ମାର୍ଟ ଫୋନ୍ ସାଓମିକୁ କଳାତାଲିକାଭୁକ୍ତ କରିଛି ଆମେରିକା । କମ୍ପାନୀର ଚୀନ ସେନା ସହ ସମ୍ପର୍କ ଥିବା ଓ ଗ୍ରାହକଙ୍କ ତଥ୍ୟ କମ୍ପାନୀ ଚୀନ ସେନାକୁ ହସ୍ତାନ୍ତର କରୁଥିବା ଅଭିଯୋଗ କରି ଆମେରିକା ଏହି ପଦକ୍ଷେପ ଗ୍ରହଣ କରିଛି । ସାଓମି ସହ ଆହୁରି କିଛି ଚୀନା ମୋବାଇଲ କମ୍ପାନୀ ଉପରେ ମଧ୍ୟ ଆମେରିକା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଅନ୍ୟପକ୍ଷରେ ଆମେରିକାର ଅଧିକାରୀଙ୍କ ଦ୍ୱାରା କଳା ତାଲିକାଭୁକ୍ତ ହେବା ପରେ ଚୀନ୍ ସ୍ମାର୍ଟଫୋନ୍ କମ୍ପାନୀ ସାଓମି ଚୀନ ସେନା ସହ ସମ୍ପର୍କ ଅଭିଯୋଗକୁ ଅସ୍ବୀକାର କରିଛି । କମ୍ପାନୀର ମୁଖପାତ୍ର କହିଛନ୍ତି  ସାଓମି ସବୁବେଳେ ଆଇନକୁ  ପାଳନ କରିଆସୁଛି ଏବଂ ଏହାର ବ୍ୟବସାୟ ପରିଚାଳନା କରୁଥିବା ପ୍ରାଧିକରଣର ନିୟମ ଏବଂ ନିୟମାବଳୀକୁ ପାଳନ କରୁଛି। ନାଗରିକ ଏବଂ ବାଣିଜ୍ୟିକ ବ୍ୟବହାର ପାଇଁ ଏହା ଉତ୍ପାଦ ଏବଂ ସେବା ଯୋଗାଉଛି ବୋଲି କମ୍ପାନୀ ଦୋହରାଇଛି ବୋଲି ସାଓମି ମୁଖପାତ୍ର କହିଛନ୍ତି।

ଗତ ବର୍ଷ ଆପଲକୁ ଅତିକ୍ରମ କରି ବିଶ୍ୱର ତୃତୀୟ ବୃହତ୍ତମ ସ୍ମାର୍ଟଫୋନ ନିର୍ମାତା ଭାବେ ପରିଣତ ହୋଇଥିବା ସାଓମି ଚୀନ ମିଲିଟାରୀ ବାହିନୀ ଦ୍ବାରା ନିୟନ୍ତ୍ରିତ ହେଉଥିବା ଅଭିଯୋଗ କରି ପେଣ୍ଟାଗନ ଶୁକ୍ରବାର ଏହାକୁ କଳା ତାଲିକାଭୁକ୍ତ କରିଛି । ଏହା ସହ ପେଣ୍ଟାଗନ ଆଉରି ୯ଟି କମ୍ପାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି । 

Comments are closed.