ଏସ୍‍ସିଓ ଶିଖର ସମ୍ମିଳନୀରେ ଜିନପିଙ୍ଗଙ୍କୁ ଭେଟିବେ ମୋଦୀ

ବେଜିଂ : କିର୍ଗିଜସ୍ଥାନର ରାଜଧାନୀ ବିଶକେକରେ ଜୁନ୍‍ ୧୩ରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‍ସିଓ) ଶିଖର ସମ୍ମିଳନୀ ଅବସରରେ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ। ସପ୍ତଦଶ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରଚଣ୍ଡ ବିଜୟ ପରେ ଏହା ହେବ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ବୈଠକ। ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଲୁ କାଂଗ ରବିବାର ଏହି ସୂଚନା ଦେଇଛନ୍ତି।
ଲୁ କାଂଗ କହିଛନ୍ତି ଯେ ଏସ୍‍ସିଓ ଶିଖର ସମ୍ମିଳନୀ ପାଇଁ ଜିନପିଙ୍ଗ ଜୁନ୍‍ ୧୨ରୁ ୧୬ ପର୍ଯ୍ୟନ୍ତ କିର୍ଗିଜସ୍ଥାନରେ ରହିବେ। ଏସ୍‍ସିଓ ଶିଖର ସମ୍ମିଳନୀ ଜୁନ୍‍ ୧୩ରେ ଆରମ୍ଭ ହେବ ଓ ୧୪ରେ ଶେଷ ହେବ। ଚୀନ ନେତୃତ୍ୱାଧୀନ ୮ ସଦସ୍ୟ ବିଶିଷ୍ଟ ଏସ୍‍ସିଓ ବିଶେଷ କରି ଆର୍ଥିକ ଓ ସୁରକ୍ଷା ପ୍ରସଙ୍ଗ ଉପରେ ଆଧାରିତ। ଜିନପିଙ୍ଗ ଜୁନ୍‍ ୧୨ରେ କିର୍ଗିଜସ୍ଥାନକୁ ରାଜକୀୟ ଯାତ୍ରାରେ ଯିବେ ଓ ଏସ୍‍ସିଓ ଶିଖର ସମ୍ମିଳନୀରେ ଭାଗ ନେବେ। ତବେ ମୋଦୀ ଏବଂ ଜିନପିଙ୍ଗ ମଧ୍ୟରେ ଏସ୍‍ସିଓ ଶିଖର ସମ୍ମିଳନୀରେ ସାକ୍ଷାତ ଆଲୋଚନା ହୋଇପାରେ ବୋଲି ଗତ ସପ୍ତାହରେ ଚୀନରେ ଥିବା ଭାରତ ରାଷ୍ଟ୍ରଦୂତ ବିକ୍ରମ ମିସ୍ତ୍ରୀ ସୂଚନା ଦେଇଥିଲେ। ଏହି କ୍ରମରେ ଏସ୍‍ସିଓ ଶିଖର ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ହେବ ବୋଲି ଚୀନ ପକ୍ଷରୁ ସରକାରୀ ଭାବେ କୁହାଯାଇଛି।

Comments are closed.