ମଲ୍ଲଯୋଦ୍ଧା ରବିକୁମାର ; କୃଷି କ୍ଷେତ୍ରରୁ ଅଲିମ୍ପିକ୍‌ସ ପଦକ

ଟୋକିଓ : ନିଷ୍ଠା, ଆଗ୍ରହ ଓ ଏକାଗ୍ରତା ଥିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଦୂର ହୁଏ ନାହିଁ। ଯାହାକୁ ଅନେକ କ୍ରୀଡ଼ାବିତ୍‌ ପୂର୍ବରୁ ମଧ୍ୟ ପ୍ରତିପାଦିତ କରିଛନ୍ତି। ଏହି ତାଲିକାରେ ସାମିଲ ହୋଇଛନ୍ତି ଆଉ ଜଣେ ଭାରତୀୟ କ୍ରୀଡ଼ାବିତ୍‌ ମଲ୍ଲଯୋଦ୍ଧା ରବି କୁମାର ଦହିୟା କୃଷି କ୍ଷେତ୍ରରୁ ଅଲିମ୍ପିକ୍‌ସ ପଦକ ଜିତିବା ନିଶ୍ଚିତ କରି ଦେଶ ପାଇଁ ସୁନାମ ଆଣିବା ସହିତ ଯୁବ ମଲ୍ଲଯୋଦ୍ଧାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ରବି। ଅଲିମ୍ପିକ୍‌ସରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି ମଲ୍ଲଯୋଦ୍ଧା ରବିକୁମାର ଦହିୟା । ୫୭ କିଗ୍ରା ଫ୍ରିଷ୍ଟାଇଲ ବର୍ଗରେ ରବି ଫାଇନାଲରେ ପହଞ୍ଚିଛନ୍ତି। ଫାଇନାଲରେ ରବି ସ୍ବର୍ଣ୍ଣ ପଦକ ଲାଗି ରୁଷିଆନ ଅଲିମ୍ପିକ୍‌ସ କମିଟିର ଜାଭୁର ଉଗୁଉଭେଙ୍କୁ ଭେଟିବେ। ରବି ଫାଇନାଲରେ ଯଦି ବି ପରାଜିତ ହୁଅନ୍ତି; ତେବେ ରୌପ୍ୟ ପଦକ ହାସଲ କରିବେ। ରବି ଫାଇନାଲରେ ବିଜୟୀ ହୋଇ ସ୍ବର୍ଣ୍ଣ ପଦକ ଜିତିଲେ ଭାରତୀୟ କୁସ୍ତି ପାଇଁ ନୂଆ ଇତିହାସ ସୃଷ୍ଟି କରିବେ। କାରଣ ଅଲିମ୍ପିକ୍‌ସରେ ଭାରତ ପାଇଁ କୁସ୍ତିରେ ଏପର୍ଯ୍ୟନ୍ତ କେହି ସ୍ବର୍ଣ୍ଣ ପଦକ ବିଜୟୀ ହୋଇନାହାନ୍ତି। ୧୦ ବର୍ଷ ବୟସରୁ ରବି ଦହିୟା କୁସ୍ତି ଅଭ୍ୟାସ ଆରମ୍ଭ କରିଥିଲେ। ପିତା ରାକେଶ ଦହିୟା କୃଷକ ଭାବେ କାର୍ଯ୍ୟକରନ୍ତି। ରବି କୁମାର ପିତାଙ୍କୁ ଚାଷ କ୍ଷେତ୍ରରେ ସହଯୋଗ କରିବା ସହିତ ପ୍ରତିଦିନ ତାଙ୍କ ଗ୍ରାମ ନାହିରିରୁ ଫଳ ଓ କ୍ଷୀର ନେଇ ଷ୍ଟାଡ଼ିୟମ ପାଖକୁ ଆସିଥାନ୍ତି । ସେଠାରେ ଫଳ ଓ କ୍ଷୀର ଦେଇ କୁସ୍ତି ଅଭ୍ୟାସ କରି ଘରକୁ ଫେରିଥାନ୍ତି। କୁସ୍ତି ପ୍ରତି ଆଗ୍ରହ ରଖିଥିବା ରବି ପଛଘୁଞ୍ଚା ନଦେଇ ଆଗକୁ ବଢି ଚାଲିଥିଲେ। ରାଜ୍ୟ ଓ ଜାତୀୟ ପ୍ରତିଯୋଗିତାରେ ସଫଳତା ପରେ ୨୦୧୫ ଜୁନିୟର ବିଶ୍ବ କୁସ୍ତି ପ୍ରତିଯୋଗିତାରେ ୫୫ କିଗ୍ରା ଫ୍ରିଷ୍ଟାଇଲ ବର୍ଗରେ ରୌପ୍ୟ ପଦକ ଜିତି ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତୀ ସମୟରେ ରବି ୨୦୧୮ରେ ଆୟୋଜିତ ୨୩ ବର୍ଷରୁ କମ୍‌ ବିଶ୍ବ କୁସ୍ତି ପ୍ରତିଯୋଗିତାର ୫୭ କିଗ୍ରା ବର୍ଗରେ ରୌପ୍ୟ,୨୦୧୯ ବିଶ୍ବ କୁସ୍ତି ଚମ୍ପିଆନସିପ୍‌ର ୫୭ କିଗ୍ରା ବର୍ଗରେ ରୌପ୍ୟ, ୨୦୨୦ ଓ ୨୦୨୧ ଏସିଆନ କୁସ୍ତି ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ।

Comments are closed.