ଦେବୀ ଆରାଧନା

ଭାରତର ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ଅନୁଯାୟୀ ମା’ ଦୁର୍ଗାଙ୍କୁ ପୂଜା କରାଯାଇଥାଏ। କେତେକ ସ୍ଥାନରେ ଦେବୀଙ୍କ ପୂଜାକୁ ଦଶଦିନ ପାଳନ କରାଯାଉଥିବା ବେଳେ ଆଉ କେତେକ ସ୍ଥାନରେ ପାଞ୍ଚଦିନ (ମହାଷଷ୍ଠୀ, ମହାସପ୍ତମୀ, ମହାଅଷ୍ଟମୀ, ମହାନବମୀ, ବିଜୟା ଦଶମୀ) ପାଳନ କରାଯାଏ। ପାଞ୍ଚଦିନ ଧରି ପୂଜା କରାଯାଉଥିବା ସ୍ଥାନଗୁଡିକରେ ଷଷ୍ଠୀ ଦିନ ପୂଜା ପାଇଁ ସଂକଳ୍ପ କରାଯିବା ସହ ବେଲବରଣ କରନ୍ତି। ସପ୍ତମୀ ଦିନ ପ୍ରଭାତରୁ ପୂଜା ଆରମ୍ଭ ହୁଏ। ପୂଜା ସ୍ଥାନରେ ଏକ କଦଳୀ ଗଛକୁ ହଳଦିଆ ଶାଢି ପିନ୍ଧାଯାଇଥାଏ। ହିନ୍ଦୁ ଧର୍ମାନୁସାରେ କଦଳୀ ଗଛ ଶୁଭ ହୋଇଥିବାରୁ ପୂଜା ସ୍ଥାନରେ ଏହାକୁ ବିଘ୍ନରାଜ ଗଣେଶଙ୍କ ମୂର୍ତ୍ତି ନିକଟରେ ରଖାଯାଏ। ଘଟ ପୂଜା କରାଯାଉଥିବା ସ୍ଥାନରେ ମାଟି କଳସୀରେ ପବିତ୍ର ନଦୀ ଜଳ ଆଣି ପୂଜା ସ୍ଥଳରେ ରଖି ଏହି ଜଳପୂର୍ଣ୍ଣ କଳସୀକୁ ହିଁ ମା’ଙ୍କ ପ୍ରତୀକ ଭାବେ ପୂଜା କରନ୍ତି। ମା’ଙ୍କ ପୂଜାର ସବୁଦିନ ଅପେକ୍ଷା ଅଷ୍ଟମୀର ଗୁରୁତ୍ୱ ଅଧିକ। ଶାସ୍ତ୍ର ଅନୁଯାୟୀ ଏହି ଦିନ ମା’ ମହିଷାସୁରର ନିଧନ କରିଥିଲେ। ମହାଷ୍ଟମୀର ଶେଷ ୨୪ ମିନିଟ୍‍ ଏବଂ ମହାନବମୀର ଆରମ୍ଭ ୨୪ ମିନିଟ୍‍ ହେଉଛି ଦୁର୍ଗାପୂଜାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ୪୮ ମିନିଟ୍‍ରେ ସନ୍ଧି ପୂଜା ଅନୁଷ୍ଠିତ ହୁଏ। ଏହି ସମୟରେ ଦେବୀ ଦୁର୍ଗାଙ୍କୁ ଚାମୁଣ୍ଡା ରୂପରେ ପୂଜା କରାଯାଇଥାଏ। ଆଗରୁ ଏହି ଦିନ ଦେବୀଙ୍କ ପାଖରେ ବଳି ପକାଯାଉଥିଲା। ଏବେ ପଶୁବଳି ବନ୍ଦ ହୋଇ ବଦଳରେ ପାଣି କଖାରୁ, କଦଳୀ ଆଦି ବଳି ଦିଆଯାଉଛି। ମହାନବମୀ ଦିନ ଦେବୀଙ୍କର ମହା ଆରତୀ କରାଯାଏ। ମହାନବମୀରେ ଦେବୀଙ୍କ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ଶେଷରେ ବିଜୟା ଦଶମୀ ଦିନ ସକାଳୁ ଦେବୀଙ୍କ ନିକଟରେ ଶୀତଳ ଭୋଗ ଲାଗି କରି ଦେବୀଙ୍କ ବିସର୍ଜନ ପୂଜା କରାଯାଏ। ଦଶମୀ ଦିନ ସନ୍ଧ୍ୟା ବା ତା’ ପରଦିନ ସକାଳୁ ଦେବୀଙ୍କ ମୂର୍ତ୍ତି ପଟୁଆରରେ ନିଆଯାଇ ବିସର୍ଜନ କରନ୍ତି।
ନବରାତ୍ର ଶବ୍ଦରୁ ସ୍ୱତନ୍ତ୍ର ନଅ ରାତିର ଭାବନା ମନକୁ ଆସେ। ଏ ସମୟରେ ଶକ୍ତିକୁ ନ’ ରୂପରେ ଉପାସନା କରାଯାଏ। ରାତ୍ରି ଶବ୍ଦ ସିଦ୍ଧିର ପ୍ରତୀକ। ଭାରତରେ ମୁନିଋଷିମାନେ ପର୍ବ ଓ ଉପାସନାରେ ଦିନ ଅପେକ୍ଷା ରାତିକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେଥିପାଇଁ ଦୀପାବଳି, ହୋଲିକା ଦହନ, ଶିବରାତ୍ରି ଓ ନବରାତ୍ରି ପରି ଉତ୍ସବ ରାତିରେ ହିଁ ପାଳିତ ହୁଏ। ବର୍ଷରେ ଦୁଇଥର ନବରାତ୍ରି ପାଳନର ବିଧାନ ରହିଛି। ବିକ୍ରମ ସମ୍ବତର ପ୍ରଥମ ଦିନ ଅର୍ଥାତ୍‍ ଚୈତ୍ରମାସ ଶୁକ୍ଳପକ୍ଷ ପ୍ରତିପଦାଠାରୁ ନଅ ଦିନ ଅର୍ଥାତ୍‍ ନବମୀ ପର୍ଯ୍ୟନ୍ତ ଏବଂ ଏହାର ଠିକ୍‍ ଛଅମାସ ପରେ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦାରୁ ମହାନବମୀ ଅର୍ଥାତ୍‍ ବିଜୟାଦଶମୀର ପୂର୍ବଦିନ ପର୍ଯ୍ୟନ୍ତ। ତେବେ ସିଦ୍ଧି ଓ ସାଧନା ଦୃଷ୍ଟିରୁ ଶାରଦୀୟ ନବରାତ୍ର ଅଧିକ ମହତ୍ତ୍ୱପୂର୍ଣ୍ଣ। ନଅଦିନ ପୂଜାରେ ମା’ଦୁର୍ଗାଙ୍କୁ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ରୂପେ ପୂଜା କରାଯାଏ। ଚଳିତବର୍ଷ କରୋନା ମହାମାରୀର ପ୍ରକୋପ ଭିତରେ ସମଗ୍ର ବିଶ୍ୱବାସୀ ଦୁଃଖଦ ପରିସ୍ଥିତିକୁ ସାମ୍‌ନା କରୁଥିବାବେଳେ ମା’ ଦଶଭୁଜାଙ୍କ କୃପାଛାୟା ତଳେ ସୁଖ ଓ ସମୃଦ୍ଧି ସମଗ୍ର ବିଶ୍ୱବାସୀଙ୍କୁ ପ୍ରାପ୍ତ ହେଉ- ଏହା ହିଁ କାମନା।

ଡା. ଅର୍ଚ୍ଚନା ମିଶ୍ର,

ସହକାରୀ ପ୍ରଫେସର, ଶରୀରତତ୍ତ୍ୱ ବିଭାଗ, ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜ,

କଟକ, ମୋ : ୮୨୪୯୭୯୯୯୦୬

Comments are closed.