ଦିଲ୍ଲୀରେ ବିଶ୍ବର ସର୍ବବୃହତ୍‌ କରୋନା ହସ୍ପିଟାଲ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ଜନିତ ସ୍ଥିତି ସାଙ୍ଘାତିକ ଥିବା ବେଳେ ଆକ୍ରାନ୍ତଙ୍କୁ ଚିକିତ୍ସା ସୁବିଧା ପ୍ରଦାନ ଲାଗି ଏଠାରେ ବିଶ୍ବର ସର୍ବବୃହତ କୋଭିଡ-୧୯ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ୧୦,୦୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲକୁ ଉଦ୍‌ଘାଟନ କରିଛନ୍ତି। ରାଧାସ୍ବାମୀ ସତସଙ୍ଗସ୍ଥିତ ଏହି ହସ୍ପିଟାଲକୁ ସର୍ଦାର ପଟେଲଙ୍କ ନାମ ଅନୁସାରେ ସର୍ଦାର ବଲ୍ଲଭଭାଇ ପଟେଲ କୋଭିଡ-୧୯ ହସ୍ପିଟାଲ ଭାବେ ନାମିତ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହଯୋଗରେ ଦିଲ୍ଲୀରେ ପ୍ରତିଷ୍ଠିତ ଏହି ହସ୍ପିଟାଲ ମହାମାରୀ ମୁକାବିଲାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ବୈଜଲ କହିଛନ୍ତି। ହସ୍ପିଟାଲର ଉଦ୍‌ଘାଟନ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହାକୁ ପରିଦର୍ଶନ କରିଥିଲେ। ହସ୍ପିଟାଲ ତିଆରି ପାଇଁ କେଜରିୱାଲ କେନ୍ଦ୍ର ସରକାର ବିଶେଷ କରି ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉପରାଜ୍ୟପାଳ ଏହି ହସ୍ପିଟାଲର ଶଯ୍ୟା, ଅମ୍ଳଜାନ ସିଲିଣ୍ଡର, ଭେଣ୍ଟିଲେଟର, ଆଇସିୟୁ ଏବଂ ମେଡିକାଲ କର୍ମଚାରୀମାନଙ୍କ ସମ୍ବନ୍ଧରେ ସମୀକ୍ଷା ମଧ୍ୟ କରିଛନ୍ତି। ଦିଲ୍ଲୀ ସରକାର ଏହାକୁ ପ୍ରଶାସନିକ ସମର୍ଥନ ଯୋଗାଇ ଦେଇଥିବା ବେଳେ ଇଣ୍ଡୋ-ତିବ୍ବତୀୟ ସୀମାନ୍ତ ପୁଲିସ (ଆଇଟିବିପି) ଏହି କେନ୍ଦ୍ରକୁ ‘ଅପରେସନ କରୋନା ୱାରିଅର’ ନାମରେ ପରିଚାଳନା କରୁଛନ୍ତି। ରବିବାର ସୁଦ୍ଧା ଏଠାକୁ ୨୦ ଜଣ କୋଭିଡ-୧୯ ରୋଗୀ ଏଠାକୁ ଆସିଛନ୍ତି। ଏହି କୋଭିଡ କେନ୍ଦ୍ରଟି ୧୭୦୦ ଫୁଟ ଲମ୍ବ ଏବଂ ୭୦୦ ଫୁଟ ଓସାର। ଯାହା ମଧ୍ୟରେ ୨୦ଟି ଫୁଟବଲ ପଡିଆ ସହିତ ସମାନ। ଏଠାରେ ଶଯ୍ୟା ସଂଖ୍ୟା ୧୦,୨୦୦କୁ ବୃଦ୍ଧି କରାଯାଇପାରେ ବୋଲି ଆଇଟିବିପି ପକ୍ଷରୁ କୁହାଯାଇଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପରିଷଦ (ଡିଆରଡିଓ) ଏହାକୁ ୧୨ଦିନରେ ତିଆରି କରିଛି। ଏହି ହସ୍ପିଟାଲରେ ଦୁଇଟି ବିଭାଗ ରହିଛି। ପ୍ରଥମତଃ କୋଭିଡ କେୟାର କେନ୍ଦ୍ର (ସିସିସି) ଯେଉଁଠାରେ ଲକ୍ଷଣ ରହିତ କରୋନା ପଜିଟିଭ ଚିକିତ୍ସିତ ହେବେ। ଅନ୍ୟଟି ଡେଡିକେଟେଡ କୋଭିଡ ହେଲ୍‌ଥ କେୟାର (ଡିସିଏଚସି)। ଏଠାରେ ଲକ୍ଷଣ ଥିବା କୋଭିଡ-୧୯ ରୋଗୀଙ୍କୁ ଭର୍ତ୍ତି କରାଯିବ।
ସିସିସିରେ ୯୦% ଶଯ୍ୟା ରହିବ ଏବଂ ବାକି ଶଯ୍ୟା ଡିସିଏଚସିରେ ରହିବ। ୧୦୦୦ରୁ ଅଧିକ ଡାକ୍ତର, ନର୍ସ ଏବଂ ଆଇଟିବିପିର ପାରାମେଡିକାଲ କର୍ମଚାରୀ ତଥା ସିଏପିଏଫ ଯବାନ ନିଯୁକ୍ତ ହେବେ। କରୋନା ମହାମାରୀ କାରଣରୁ ଭୟଭୀତ ହୋଇପଡିଥିବା ବା ଚାପଗ୍ରସ୍ତ ହୋଇଥିବା ଲୋକଙ୍କ ସହାୟତା ନିମନ୍ତେ ଆଇଟିବିପିର ମହାନିର୍ଦେଶକ ଏସଏସ ଦେଶୱାଲ ମଧ୍ୟ ସେଠାରେ ଉପସ୍ଥିତ ରହିବେ। ଏଠାରେ ଇଲେ‌େ‌କ୍ଟ୍ରାନିକ ଯାନ ଏବଂ ଆମ୍ବୁଲାନ୍ସର ସୁବିଧା ରହିବ।

Comments are closed.