୨୯ ଏପ୍ରିଲ୍; ଗ୍ରହାଣୁ ଧକ୍କାରେ କ’ଣ ପୃଥିବୀର ଅନ୍ତ ହେବ?

ଭୁବନେଶ୍ବର : ଗ୍ରହାଣୁ ଧକ୍କାରେ ଦିନେ ପୃଥିବୀ ନଷ୍ଟ ହୋଇଯିବ, ଏଭଳି ଏକ ଭୟାନକ କଥାସମୟ ସମୟରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ତଥା ଖବରକାଗଜରେ ପ୍ରକାଶିତ ହୋଇଆସିଛି। ଆସନ୍ତା ଏପ୍ରିଲ୍ ମାସ ୨୯ ତାରିଖରେ ଏକ ଗ୍ରହାଣୁ ଧକ୍କାରେ ପୃଥିବୀ ନଷ୍ଟ ହୋଇଯିବାର ଚର୍ଚ୍ଚା ଏବେ ଯୋର ଧରିଛି । ଅନେକ ଗଣ ମାଧ୍ୟମ ତଥା ସାମାଜିକ ଗଣମାଧ୍ୟମ ଏହି ଚର୍ଚ୍ଚାକୁ ବ୍ୟାପକ କରିବାରେ ସାହାଯ୍ୟ କରୁଛନ୍ତି । ଲୋକମାନେ ଭୟଭୀତ ହେବା ସହସେମାନଙ୍କ ମନରେ ସ୍ବତଃ ପ୍ରଶ୍ନ ଆସୁଛିକି,ପ୍ରକୃତରେ କ’ଣ ଏପରି ଘଟିବ,ପୃଥିବୀର କ’ଣ ଅନ୍ତ ଏକ ଗ୍ରହାଣୁ ଧକ୍କାରେ ହୋଇଯିବ, ଇତ୍ୟାଦି ଇତ୍ୟାଦି। ସାଧାରଣଲୋକଙ୍କଠାରୁ ଆରମ୍ଭ କରି ବୈଜ୍ଞାନିକମାନେ ମଧ୍ୟ ଗ୍ରହାଣୁ ଧକ୍କା ଦ୍ବାରା ପୃଥିବୀରେ ହେବାକୁ ଥିବା ସମ୍ଭାବ୍ୟ ପ୍ରଳୟ ବିଷୟରେ ସଦା ସର୍ବଦା ଚିନ୍ତିତ ରହୁଛନ୍ତି ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦେଶକ ଡ,ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।
ଏଠାରେ ସ୍ମରଣ କରାଯାଇପାରେ ଯେ, ଆଜିକୁ ଠିକ୍ ୧୧୨ବର୍ଷ ତଳେ ୧୯୦୮ମସିହା ଜୁନ୩୦ରେ ରୁଷୀୟ ଦେଶର ସାଇବେରିଆର ତୁଙ୍ଗାସ୍କା ଅଞ୍ଚଳରେ ଏକ ଗ୍ରହାଣୁ ଖସିବା ଫଳରେ ସେଠି ପ୍ରାୟ ୨ହଜାର ବର୍ଗକିଲୋମିଟର ଅଞ୍ଚଳର ଜଙ୍ଗଲରେ ଥିବା ୮କୋଟିରୁ ଅଧିକ ଗଛ ଓ ସେଠାରେ ଥିବା ଅନେକ ପଶୁପକ୍ଷୀ ନିମିଷକ ମଧ୍ୟରେ ପୋଡି ଯାଇଥିଲେ। ଅନୁମାନକରନ୍ତୁ,ଏଭଳି ଏକ ଗ୍ରହାଣୁ ଯଦି ମୁମ୍ବାଇ ମହାନଗର ଉପରେ ଖସିବ ତେବେ ନିମିଷକ ମଧ୍ୟରେ ମହାନଗର ଟିଧ୍ଵଂସପାଇବାସହଏଠାରେବସବାସକରୁଥିବା୨୦ଲକ୍ଷରୁଅଧିକଲୋକକ୍ଷଣକମଧ୍ୟରେମରିଯିବେ।ଏଭଳି ଏକ ବିରାଟ ଧ୍ବଂସ ଲୀଳା ଘଟାଇ ଥିଲା ମାତ୍ର ୨୦୦ଫୁଟରୁ ୪୦୦ଫୁଟ ଲମ୍ବର ସାମାନ୍ୟ ଏକ ପଥୁରିଆ ପିଣ୍ଡ ବା ଗ୍ରହାଣୁ। ଏହି ସଙ୍ଘାତରୁ ଉତ୍ପନ୍ନ ହୋଇଥିବା ଶକ୍ତି ହିରୋସୀମାରେ ପଡିଥିବା ପରମାଣୁ ବୋମାର ଶକ୍ତି ଠାରୁ ପ୍ରାୟ ହଜାରେ ଗୁଣ ଅଧିକ ବୋଲି ଆକଳନ କରାଯାଇଛି।
ଆମେ ଜାଣିଛେ ଯେ ଅନେକଗୁଡ଼ିଏ ଗ୍ରହାଣୁ ମଙ୍ଗଳ ଓ ବୃହଷ୍ପତି ଗ୍ରହକକ୍ଷ ମଧ୍ୟରେ ସୂର୍ଯ୍ୟକୁ ପରିକ୍ରମା କରୁଛନ୍ତି। ଏମାନଙ୍କ ସଂଖ୍ୟା ଲକ୍ଷ ଲକ୍ଷ ଓ ଆକାରରେ ୧ମିଟରରୁ ଆରମ୍ଭ ହୋଇ କେତେ ଶହ କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ। ସବୁଠାରୁ ବଡ ପିଣ୍ଡ ସେରେସର ବ୍ୟାସ ପ୍ରାୟ ୧୦୦୦କିଲୋମିଟର ଓ ଏହାକୁ ଆମେ ଏବେ ବାମନ ଗ୍ରହ ଭାବରେ ନାମିତ କରିଛୁ। ଲକ୍ଷ ଲକ୍ଷ ସଂଖ୍ୟାରେ ରହିଥିବା ଏହି ଗ୍ରହାଣୁଗୁଡିକ ବେଳେ ବେଳେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ବାରା ପୃଥିବୀଆଡକୁ ଆକର୍ଷିତ ହୋଇଥାନ୍ତି। ସେଗୁଡିକମଧ୍ୟରୁ ୯୯ପ୍ରତିଶତ ପୃଥିବୀ ପୃଷ୍ଠରେ ପଡିବା ପୂର୍ବରୁ ବାୟୁମଣ୍ଡଳରେ ପୋଡିପାଉଁଶ ହୋଇଯାଇଥାଏ। ପ୍ରତ୍ୟେକଦିନ ଏଭଳି ଶହ ଶହ ଜଳୁଥିବା ଗ୍ରହାଣୁଗୁଡିକୁ ରାତିଆକାଶରେ ଆମେ ଉଲ୍‌କାଭାବରେ ଦେଖିଥାଉ। ଏଗୁଡିକ ପୃଥିବୀର କୌଣସିକ୍ଷତି କରନ୍ତି ନାହିଁ। କିନ୍ତୁ ବଡ ଆକାରର ଗ୍ରହାଣୁଗୁଡିକ ପୃଥିବୀରେ ପଡିଲେ ବିପୁଳ କ୍ଷୟକ୍ଷତି ଘଟାଇବାର ସମ୍ଭାବନା ରହିଛି।
୨୦୨୦ ମସିହା ମାର୍ଚ୍ଚ ୫ ତାରିଖ ସୁଧା ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନଙ୍କ ଦ୍ବରା ପୃଥିବୀ ନିକଟରେ ଥିବା ୨୦ କୋଟିରୁ ଅଧିକ ଏପରି ପିଣ୍ଡମାନ ଠାବ କରାଯାଇ ସେମାନଙ୍କ ଆକାର, ଗଠନ ତଥା କକ୍ଷ ପଥ ଗଣନା କରାଯାଉଛି ଓ ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା କୁଆକଳନ କରାଯାଇ ସେମାନଙ୍କ ତାଲିକା ପ୍ରସ୍ତୁତ କରାଗଲାଣି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ହଜାରଟି ଏପରି ପିଣ୍ଡ ଠାବ କରାଯାଇଛି ଯାହାକି ଭବିଷ୍ୟତରେ ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ରହିଛି ଓ ସେସବୁଗୁଡିକର ଗତିବିଧି ଉପରେ କଡା ନଜର ରଖାଯାଇଛି।
ପ୍ରକୃତରେ ଏକ ବଡ-ବହୁତ ବଡ ଗ୍ରହାଣୁ ଏପ୍ରିଲ୍ ମାସ ଶେଷରେ ପୃଥିବୀର ନିକଟତର ହେବ। ଏହାର ନାମଗ୍ରହାଣୁ(୫୨୭୬୮) ୧୯୯୮ ଓଆର୍୦୨, ଯାହାକୁ ୧୯୯୮ ମସିହାରେ ଆବିଷ୍କାର କରାଯାଇଥିଲା। ଏପ୍ରିଲ୍ ୨୯ ତାରିଖ ଭାରତୀୟ ସମୟ ଅପରାହ୍ଣ ୦୪:୨୮ରେ ଏହା ପୃଥିବୀର ସବୁଠାରୁ ନିକଟତର ହେବ। ସେତେବେଳେ ଏହାର ଦୂରତା, ପ୍ରାୟ ୬ ନିୟୁତ କିଲୋମିଟର ଅର୍ଥାତ୍‌ ପୃଥିବୀ-ଚନ୍ଦ୍ର ଦୂରତାର ପ୍ରାୟ ୧୬ ଗୁଣ ରହିବ। ଏହା ଚଳିତ ବର୍ଷ ପୃଥିବୀର ନିକଟତମ ହେଉଥିବା ସବୁଠାରୁ ବଡ ଗ୍ରହାଣୁ ଅଟେ। ଏହାର ହାରାହାରି ବେଗ ଘଣ୍ଟା ପ୍ରତି ୩୧,୩୨୦ କିମି ରହିଛି। ଆକଳନ ଅନୁଯାୟୀ, ଏହା ୧୮୦୦ ମିଟର ଚଉଡା ଏବଂ ୪ କିଲୋମିଟର ଲମ୍ବା ଅଟେ ଯାହା ହିମାଳୟ ପର୍ବତ ଠାରୁ ୧୦ ଗୁଣ ବଡ।
ଏଠି ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ କରି ଦିଆଯାଇ ପାରେ ଯେ ଏହି ଗ୍ରହାଣୁ ଏବଂ ପୃଥିବୀ ମଧ୍ୟରେ ଧକ୍କା ହେବାର କୌଣସି ସୁଯୋଗ ବା ସମ୍ଭାବନା ନାହିଁ। ଏହା ସତ୍ୟ ଯେ ଏହାକୁ ଏକ ସମ୍ଭାବ୍ୟ ବିପଜ୍ଜନକ ଗ୍ରହାଣୁ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ପୃଥିବୀ ନିକଟକୁ ଆସୁଥିବା ଏପରି ବସ୍ତୁକୁ ଅନେକ ସଂସ୍ଥା ନଜର ରଖିଛନ୍ତି। ଏଭଳି ଏକ ମହାବିପଦରୁ କିପରି ପୃଥିବୀକୁ ସୁରକ୍ଷିତ ରଖାଯାଇ ପାରିବ ସେ ବିଷୟରେ ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନେ ଅନବରତ ପ୍ରୟାସ ଜାରି ରଖିଛନ୍ତି।
୧୯୪ ଟି ଦେଶର ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନେ ମିଳିତ ଭାବରେ ପୃଥିବୀ ପ୍ରତି ବିପଦ ଥିବା ସବୁ ପିଣ୍ଡ ଉପରେ ଗବେଷଣା କରିବା ସହ ସେମାନେ ଯେପରି ପୃଥିବୀର କୌଣସି କ୍ଷତି କରି ପାରିବେ ନାହିଁ ସେଥିପାଇଁ ଯତ୍ନବାନ ଅଛନ୍ତି। ଏଭଳି ଘଟଣା ଘଟିବାର ଅନେକ ସମୟ ପୂର୍ବରୁ କିପରି ଏହାର ସୂଚନା ମିଳି ପାରିବ ସେଥିପାଇଁ ଅନେକ ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକ ଏହିଭଳି ଗ୍ରହାଣୁମାନଙ୍କୁ ଠାବ କରି ସେମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି। ଗ୍ରହାଣୁ ତଥା ଧୂମକେତୁମାନଙ୍କ ଗତିବିଧି ଉପରେ ଅନେକ ଦେଶର ବୈଜ୍ଞାନିକମାନେ ମିଳିତ ଭାବରେ ଗବେଷଣା କରିବା ସହ ପରସ୍ପରର ସହଯୋଗିତାରେ ତଥ୍ୟ ଆଦାନ ପ୍ରଦାନ କରି ଦିନକୁ ଦିନ ନୂଆ ଆବିଷ୍କାରମାନ କରିବାରେ ଲାଗିଛନ୍ତି। ଆସନ୍ତା କିଛି ବର୍ଷ ମଧ୍ୟରେ ଏପରି କୌଣସି ପିଣ୍ଡ ଦ୍ବାରା ପୃଥିବୀ ପ୍ରତି କିଛି ବିପତ୍ତି ନାହିଁ ତେଣୁ ସେଥିପାଇଁ ଆମର ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦେଶକ ଡ,ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments are closed.