ବିଶ୍ୱ ଟେଷ୍ଟ ଚମ୍ପିଆନ୍‍ସିପ୍‍ ଫାଇନାଲରେ ଅତିରିକ୍ତ ଦିବସ, ଡ୍ର କିମ୍ବା ଟାଇ ରହିଲେ ଯୁଗ୍ମବିଜେତା

ଲଣ୍ଡନ୍‍: ଜୁନ୍‍ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥାମ୍ପ୍‍ଟନରେ ବିଶ୍ୱ ଟେଷ୍ଟ ଚମ୍ପିଆନ୍‍ସିପର ଫାଇନାଲ ମ୍ୟାଚ୍‍ ଖେଳାଯିବ। ଏହି ଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍‍ ପାଇଁ ଶୁକ୍ରବାର ଆନ୍ତର୍ଜାତିକ କ୍ରିକେଟ୍‍ ପରିଷଦ (ଆଇସିସି) ପକ୍ଷରୁ ନିୟମାବଳୀ ଘୋଷଣା କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ଫାଇନାଲ ମ୍ୟାଚ୍‍ ଅମୀମାଂସିତ କିମ୍ବା ଟାଇରହିଲେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଯୁଗ୍ମବିଜେତା ଘୋଷିତ ହେବେ। ଏହାସହ ଏହି ୫ ଦିନିଆ ଫାଇନାଲରେ ଜୁନ୍‍ ୨୩କୁ ୬ଷ୍ଠ ତଥା ଅତିରିକ୍ତ ଦିବସ ଭାବେ ରଖାଯାଇଛି।

ଆଇସିସି ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ବିଶ୍ୱ ଟେଷ୍ଟ ଚମ୍ପିଆନ୍‍ସିପ ଆରମ୍ଭ ହେବା ପୂର୍ବରୁ ୨୦୧୮ ଜୁନ୍‍ରୁ ଫାଇନାଲର ନିୟମାବଳୀ ନିର୍ଦ୍ଧାରିତ ହୋଇଥିଲେ ହେଁ ଏହା ଘୋଷଣା କରାଯାଇନଥିଲା। ବିଶ୍ୱ ଟେଷ୍ଟ ଚମ୍ପିଆନ୍‍ସିପ୍‍ର ଫାଇନାଲ ହୋଇଥିବାରୁ ଆଇସିସି ଚାହୁଁଛି ଯେ ଏହା ପୂରା ୫ ଦିନ ଖେଳାଯାଉ। କାରଣ ମ୍ୟାଚରେ ବର୍ଷା, ଖରାପ ଆଲୋକ କିମ୍ବ। ଅନ୍ୟ କୌଣସି କାରଣ ଯୋଗୁଁ ବାଧା ସୃଷ୍ଟି ହୋଇପାରେ। ନିୟମ ଅନୁସାରେ ଦୈନିକ ୯୦ ଓଭରର ଖେଳ ହେବା ଉଚିତ। ଏପରି ହେଲେ ନଷ୍ଟ ହୋଇଥିବା ସମୟ ଯୋଗୁଁ ମ୍ୟାଚରେ ଫଳାଫଳ ନ ବାହାରିବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇପାରିବ। କାରଣ ଆଇସିସି ଚାହୁଁଛି; ମ୍ୟାଚରେ ଫଳାଫଳ ବାହାରୁ। ଯଦି ନିର୍ଦ୍ଧାରିତ ସମୟରେ ୯୦ ଓଭର ସମ୍ଭବ ନହୁଏ; ଏହାକୁ ଅତିରିକ୍ତ ଦିବସକୁ ନିଆ ଯାଇପାରିବ। ତେବେ ୫ ଦିନ ବିନା ବାଧାରେ କୌଣସି ଓଭର ନଷ୍ଟ ନହୋଇ ମ୍ୟାଚ୍‍ର ଫଳାଫଳ ନ ବାହାରିଲେ ଏହାକୁ ଡ୍ର’ ବା ଅମୀମାସିଂତ ଘୋଷଣା କରାଯିବ। ଏପରି ସ୍ଥଳରେ ଉଭୟ ଦଳଙ୍କୁ ଯୁଗ୍ମବିଜେତା ଘୋଷଣା କରାଯିବ।

ଭାରତୀୟ ଦଳ ଘରୋଇ ଟେଷ୍ଟମ୍ୟାଚ୍‍ ଏସ୍‍ଜି ଟେଷ୍ଟ ବଲ୍‍ରେ ଖେଳିଥାଏ। ନ୍ୟୁଜିଲାଣ୍ଡ କୁକାବୁରା ବଲ୍‍ରେ ଘରୋଇ ଟେଷ୍ଟ ଖେଳାଯାଏ। ତେବେ ଜୁନ୍‍ ୧୮ରୁ ଆରମ୍ଭ ହେବାକୁ ଥିବା ଫାଇନାଲ ମ୍ୟାଚ୍‍ ଡ୍ୟୁକ୍‍ ବଲ୍‍ରେ ଖେଳାଯିବ। ଏହାସହ ଆଉ ୩ଟି ନିମୟରେ ଆଇସିସି ପରିବର୍ତ୍ତନ ଆଣିଛି। ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳା ଯାଇଥିବା ସିରିଜରେ ଏହି ନିୟମ ଲାଗୁ କରା ଯାଇଥିଲା। ଦୁଇ ବ୍ୟାଟ୍‍ସମ୍ୟାନ୍‍ ଦ୍ରୁତ ରନ୍‍ ନେବା ବେଳେ ପ୍ରତିପକ୍ଷ ଫିଲ୍‍ଡର ଯଦି ବଲ୍‍କୁ ଷ୍ଟମ୍ପ୍‍ରେ ବଜାଇଥାଆନ୍ତି; ତେବେ ଫିଲ୍‍ଡିଂ ଦଳର ଅପିଲ କିମ୍ବା ଅମ୍ପାୟାରଙ୍କ ରିଭ୍ୟୁ ଆବଶ୍ୟକ ନାହିଁ। ପରବର୍ତ୍ତୀ ବଲ୍‍ ବୋଲିଂ ପୂର୍ବରୁ ୩ୟ ଅମ୍ପାୟାର ନିଜଆଡୁ ରନ୍‍ଆଉଟ୍‍ କି ନଟ୍‍ଆଉଟ୍‍ ନିଷ୍ପତ୍ତି ନେବେ। ଏଲ୍‍ବିଡବ୍ଲ୍ୟୁ ଡିଆର୍‍ଏସ୍‍ ପୂର୍ବରୁ ଫିଲ୍‍ଡିଂ ଦଳର ଅଧିନାୟକ କିମ୍ବା ସମ୍ପୃକ୍ତ ବ୍ୟାଟ୍‍ସମ୍ୟାନ୍‍ ପ୍ରଥମ ଅମ୍ପାୟାରଙ୍କଠାରୁ ବୁଝିବେ ଯେ ବ୍ୟାଟ୍‍ସମ୍ୟାନ ପ୍ରକୃତରେ ବଲ୍‍କୁ ଖେଳିବାର ପ୍ରୟାସ କରିଥିଲେ କି ନାହିଁ। ଏଲ୍‍ବିଡବ୍ଲ୍ୟୁ ଡିଆର୍‍ଏସ୍‍ ବେଳେ ଷ୍ଟମ୍ପ୍‍ର ଉଚ୍ଚତାକୁ ଏହାର ଶୀର୍ଷ ପର୍ଯ୍ୟନ୍ତ କରାଯାଇଛି। କେବଳ ଷ୍ଟମ୍ପ୍‍ର ଉପର ଭାଗରେ ବଲ୍‍ ବାଜୁଥିଲେ ଏହା ଅମ୍ପାୟାର୍ସ କଲ୍‍ ହେବ; ଅନ୍ୟଥା ବ୍ୟାଟ୍‍ସମ୍ୟାନ୍‍ ଆଉଟ ଘୋଷିତ ହେବେ।

Comments are closed.