ବୌଦ୍ଧ : ସର୍ବବୃହତ ରାକ୍ଷୀବାନ୍ଧି ବିଶ୍ୱ ରେକର୍ଡ କରିବାରେ ସଫଳ

ବୌଦ୍ଧ : ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ, ଇକୋ କ୍ଲବ, ଏବଂ ଉଭିଦ ବିଜ୍ଞାନ ତରଫରୁ ଯେଉଁ ୧୪ଫୁଟ ଚଉଡାର ସର୍ବବୃହତ ରାକ୍ଷୀ ତିଆରି କରି ଏକ ବିଶାଳ ବୃକ୍ଷରେ ବନ୍ଧାଯାଇ ବିଶ୍ୱ ରେକର୍ଡ କରିବା ପାଇଁ ପ୍ରୟାସ କରାଯାଇଥିଲା । ତେବେ ତାହାକୁ ସ୍ୱୀକୃତି ପ୍ରଦାନ କରିଛି ଗୁଜୁରାଟର ୱାର୍ଲଡ ରେକର୍ଡ ଇଣ୍ଡିଆ ସଂସ୍ଥା । ସେହି ସଂସ୍ଥା ତରଫରୁ ନିକଟରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟକୁ ପ୍ରମାଣପତ୍ର ଓ ସ୍ବର୍ଣ୍ଣ ପଦକ ପ୍ରଦାନ କରିଛନ୍ତି । ଏହି ବୃହତ ରାକ୍ଷୀର ପରିକଳ୍ପନା ତଥା ମୁଖ୍ୟ ନିର୍ମାତା ଅଧ୍ୟାପକ ପ୍ରବୀର କୁମାର ଦାସଙ୍କୁ ମଧ୍ୟ ପ୍ରମାଣପତ୍ର ଓ ସ୍ବର୍ଣ୍ଣ ପଦକ ସଂସ୍ଥା ତରଫରୁ ପ୍ରଦାନ କରାଯାଇଛି । ଦୀର୍ଘ ୧୦ ଦିନ ପରିଶ୍ରମ କରି ମହାବିଦ୍ୟାଳୟର ବଟାନିକାଲ ଗାର୍ଡେନର ବାଉଁଶ, ଅଦରକାରୀ କାଗଜପତ୍ର ପଟି, ସୁତୁଲି, ଡ୍ରଇଁ ସିଟ, ପତ୍ର ଇତ୍ୟାଦି ଜୈବିକ ପଦାର୍ଥ ବ୍ୟବହାର କରି ଏହି ରାକ୍ଷୀ ନିର୍ମାଣ କରାଯାଇ ବୃକ୍ଷର ସୁରକ୍ଷା ଏବଂ ସବୁଜିମା ସୃଷ୍ଟି ପାଇଁ ସଚେତନ କରାଯାଇଥିଲା । ଏଥିରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ, ଅଧ୍ୟାପକ, ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ । ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୃକ୍ଷ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ସଫଳ ରୂପାୟନ କରାଯାଇଥିଲା । ସ୍ୱୀକୃତି ପ୍ରମାଣପତ୍ର ପାଇବା ପରେ ବୌଦ୍ଧ ଜିଲାପାଳ ଶ୍ରୀମିଶ୍ର ତାଙ୍କ ପ୍ରକୋଷ୍ଠରେ ଅଧ୍ୟାପକ ଶ୍ରୀ ଦାସ ଏବଂ ସହଯୋଗୀ ଶିକ୍ଷକ ବସନ୍ତ ସାହୁଙ୍କୁ ସମ୍ବର୍ଦ୍ଧନା କରିବା ସହ ବୌଦ୍ଧ ଜିଲାର ନାମ ବିଶ୍ୱ ରେକର୍ଡରେ ସ୍ଥାନିତ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।

Comments are closed.