୨୫ରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ: ଚଳିତ ବର୍ଷ କୋଭିଡ୍‍ କଟକଣା ମଧ୍ୟରେ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଅନୁଷ୍ଠିତ ହେବ। ଚଳିତ ମାସ ୨୫ତାରିଖ, ମାଘମାସ ଶୁକ୍ଳ ଚତୁର୍ଦ୍ଦଶୀ ଠାରୁ ତିନିଦିନ ବ୍ୟାପୀ ଯୋରନ୍ଦା ମାଘ ମେଳା ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଯୋରନ୍ଦା ମାଘମେଳାର ପ୍ରମୁଖ ଆକର୍ଷଣ ଝାଡଦୀପ, ଗାଦୀ ମନ୍ଦିର ଓ ଶୂନ୍ୟ ମନ୍ଦିର ସମେତ ବିଭିନ୍ନ ଉପାସନା ପୀଠରେ ବିଧିମତେ ଅନୁଷ୍ଠିତ ହେବ। ମାତ୍ର ସବୁ ମନ୍ଦିର ଓ ଉପାସନା ପୀଠର ନୀତିସେବକ ସନ୍ନ୍ୟାସୀମାନଙ୍କର କୋଭିଡ୍‍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଢେଙ୍କାନାଳ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ବୁଧବାର ସଦ୍ଭାନବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ ଦ୍ୱାରା ଜାରି ଫେବୃଆରୀର କୋଭିଡ୍‍ ଏସ୍ଓ ପି ଅନୁଯାୟୀ ଗାଦୀ ମନ୍ଦିରରେ ୫୦୦ରୁ ଅଧିକ ଲୋକଙ୍କ ସମାଗମକୁ ବୈଠକରେ ବାରଣ ହୋଇଛି। ମହିମା ଗାଦୀର ବିଭିନ୍ନ ସନ୍ନ୍ୟାସୀ, ସାଧୁ ଓ ଭକ୍ତମାନେ ମେଳାର ଦୁଇଦିନ ପୂର୍ବରୁ ଯୋରନ୍ଦା ଠାରେ କୋଭିଡ୍‍ ପରୀକ୍ଷା କରିବାକୁ କୁହାଯାଇଛି। ଯେଉଁ ସନ୍ନ୍ୟାସୀ ବା ଭକ୍ତମାନେ ବାହାରୁ ଆସିବେ, ସେମାନେ ଦୁଇଦିନ ପୂର୍ବରୁ ପହଞ୍ଚିଲେ ତାଙ୍କର ମାଗଣାରେ କୋଭିଡ୍‍ ପରୀକ୍ଷା କରାଯାଇ ପାରିବ। ମାତ୍ର ୨୫ତାରିଖ ସକାଳୁ ପହଞ୍ଚିଥିବା ଶ୍ରଦ୍ଧାଳୁମାନେ କୋଭିଡ୍‍ ନେଗେଟିଭ୍‍ ରିପୋର୍ଟ ନେଇ ଆସିଲେ ମନ୍ଦିର ପ୍ରବେଶ ଅନୁମତି ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଜିଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଥିବା ବେଳେ ଯେପରି କରୋନା ସଂକ୍ରମଣର ସମ୍ଭାବନା ରହିବ ନାହିଁ, ସେଥିପାଇଁ କୋଭିଡ୍‍ ପ୍ରୋଟୋକଲ ମାନିବା ପାଇଁ ଜିଲାପାଳ ନିର୍ଦେଶ ଦେଇଛନ୍ତି।

ତେବେ ଯୋରନ୍ଦା ମାଘମେଳାରେ ସପ୍ତାହବ୍ୟାପୀ ହେଉଥିବା ଜନସମାଗମକୁ ଚଳିତ ବର୍ଷ କରୋନା ଯୋଗୁଁ ମାତ୍ର ୩ ଦିନରେ ସମସ୍ତ ନୀତି, ନିୟମ, ପରମ୍ପରା ଓ ସଂସ୍କୃତି ଆଧାରରେ ଶେଷ କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ମେଳାରେ କୌଣସି ଅପେରା, ଦୋଳି, ଅସ୍ଥାୟୀ ସିନେମା, କଣ୍ଢେଇ ନାଚ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ ହେବନାହିଁ। ମେଳାକୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତମାନେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା ଓ ପରିଷ୍କାର ପରିଚ୍ଛିନ୍ନତା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ନିର୍ଦେଶ ରହିଛି। ମନ୍ଦିର ବେଢ଼ା ମଧ୍ୟକୁ ଏକକାଳୀନ ୫୦ ଶ୍ରଦ୍ଧାଳୁଙ୍କୁ ସର୍ବାଧିକ ୧୦ମିନିଟ୍‍ ପାଇଁ ଅନୁମତି ମିଳିବ। ସେହିପରି ମେଳାରେ ସୀମିତ ସଂଖ୍ୟକ ଦୋକାନ ଖୋଲାଯିବ। ବାହାର ଜିଲାରୁ ଆସୁଥିବା ମହିମା ଧର୍ମାବଲମ୍ବୀ, ବ୍ୟବସାୟୀ ଓ ଅଂଚଳବାସୀଙ୍କର ୨୪ତାରିଖ ସୁଦ୍ଧା ଆଣ୍ଟିଜେନ୍‍ ଟେଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି। ୨୫ତାରିଖ ପରଠାରୁ ବାହାରୁ ଆସୁଥିବା ସଂଦିଗ୍ଧ ଅସୁସ୍ଥ ମାନଙ୍କର ଆଣ୍ଟିଜେନ୍‍ ଟେଷ୍ଟ କରାଯିବ। ତେଣୁ ବାହାରୁ ଆସୁଥିବା ସାଧୁ, ସନ୍ଥ ଓ ମହିମା ଧର୍ମର ଅନୁଗାମୀମାନେ ୭ଦିନ ମଧ୍ୟରେ ହୋଇଥିବା କରୋନା ଟେଷ୍ଟ ନେଗେଟିଭ୍‍ ରିପୋର୍ଟ ସାଥିରେ ଆଣିବାକୁ ପରାମର୍ଶ ଦିଆଯାଇଛି।

ମେଳା ଅବସରରେ କରୋନା ପଜିଟିଭ୍‍ ଚିହ୍ନଟ ମାନଙ୍କୁ ସଂଗରୋଧରେ ରଖାଯାଇ ଚିକିତ୍ସା କରାଯିବ। ମେଳାରେ କିଣାବିକା ସମୟରେ ପ୍ରତ୍ୟେକ ବ୍ୟକ୍ତି ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା ଓ ସ୍ୱଚ୍ଛତା ପ୍ରତି ସର୍ବାଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପର୍ୟ୍ୟାପ୍ତ ପାନୀୟ ଜଳ ଯୋଗାଣ, ଆଲୋକ ବ୍ୟବସ୍ଥା, ପରିମଳ, କୂଅ ପୋଖରୀ ବିଶୋଧନ, ଭ୍ରାମ୍ୟମାଣ ପାଇଖାନା ବ୍ୟବସ୍ଥା ଓ ଅସ୍ଥାୟୀ ଶୌଚାଳୟ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି। ମେଳାରେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅସ୍ଥାୟୀ ଶିବିର ଆୟୋଜନ କରାଯିବ। ଗାଡି ପାର୍କିଂ, ଯାନବାହାନ ନିୟନ୍ତ୍ରଣ ଓ ପୁଲିସ୍‍ ମୂତୟନକୁ କଡ଼ାକଡ଼ି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାଶ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିନୟ କୃଷ୍ଣ କାମିଲା, ବନଖଣ୍ଡ ଅଧିକାରୀ ପ୍ରକାଶ ଚନ୍ଦ୍ର ଗୋଗିନେନି, ଜଲା ମୁଖ୍ୟ ଚିକିତ୍ସାଧିକାରୀଣୀ ସୁଜାତାରାଣୀ ମିଶ୍ର, ଯୋରନ୍ଦା ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ସତ୍ୟମହିମା ଧର୍ମ ଧାମ ପରିଚାଳନା ସମିତିର ବାବା ଦୀନବନ୍ଧୁ ଦାସ, କୌପୀନଧାରୀ ମହିମା ସମାଜ ସଭାପତି ବାବା ରଘୁନାଥ ଦାସଙ୍କ ସମେତ ସନ୍ନ୍ୟାସୀ ବିଜୟ ଦାସ, ଇନ୍ଦ୍ରମଣି ଦାସ, ସୁଶାନ୍ତ ଦାସ ଓ ଜିଲା ଆପାତକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମାଝି, ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରା, ଗଁଦିଆ ବିଡିଓ ଶିବ ଶଙ୍କର ମିଶ୍ର, ଡିଆଇବି ଡିଏସ୍ପିୱ ଯୋଗେଶ୍ୱର ଓରାମ, ଉପଜିଲାପାଳଙ୍କ କାର୍ୟ୍ୟାଳୟର ସହକାରୀ ଜିଲାପାଳ ହରିହର ପଞ୍ଚୁଆତି ପ୍ରମୁଖ ଯୋଗ ଦେଇଥିଲେ। ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.