ବିକାଶ ନାଁରେ ନଷ୍ଟ ହେଉଛି ପରିବେଶ, ଥୁଣ୍ଟା ଗଛ ଦେଖି କାନ୍ଦୁଛି ଧରା

କାଶୀପୁର: ଆଜି ବିଶ୍ୱ ପରିବେଶ ଦିବସ। ଏହି ଦିବସକୁ ପାଳନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତ ଚାଲିିଛି କିନ୍ତୁ କାହାରି ଆନ୍ତରିକତା ଥିବା ମନେ ହେଉନାହିଁ। ପ୍ରକୃତି ସୁରକ୍ଷାର ଚିନ୍ତା ଆଉ ନାହିଁ। ସଭିଏଁ ଆଗାମୀ ପିଢିର କଥା ମନରୁ ଭୁଲି ଗଲେଣି। ବିକାଶ ନାମରେ ସୂର୍ୟ୍ୟ ଉଦୟ ଠାରୁପୁଣି ରାତି ପାହିବା ପର୍ୟ୍ୟନ୍ତ ମଣିଷ ପରିବେଶ ସହ ଖେଳି ଚାଲିଛି। ଆଉ ପରିବେଶ ଦିବସ ଆସିଲେ ନାରାବାଜି ଓ ସ୍ଲୋଗାନରେ ଗ୍ରାମ ଠାରୁ ସହର ପର୍ୟ୍ୟନ୍ତ ପ୍ରକମ୍ପିତ ହେଉଛି।

ରାୟଗଡା ଜିଲାର କାଶୀପୁର ବ୍ଲକର ଜଳବାୟୁ ଓ ଜଳାଭାବକୁ ଦେଖିଲେ ପରିବେଶ କେତେ ନଷ୍ଟ ହୋଇଛି ବେଶ ଅନୁମାନ କରିହେବ। ରାୟଗଡା ଜିଲାର କାଶୀପୁର ବ୍ଲକକୁ ଏକଦା ଶୈଳନିବାସ କୁହା ଯାଉଥିଲା। ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ, ଜଙ୍ଗଲ ସଂରକ୍ଷଣ ଆଦି ବାର୍ତ୍ତା ସମସ୍ତେ ଦେଉଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ପାଳନ ହେଉନଥିବାରୁ ଏହା ପ୍ରହସନରେ ପରିଣତ ହେଉଛି। ବୃକ୍ଷରୋପଣ ତ ଦୂର କଥା ବୃକ୍ଷ ନଷ୍ଟକୁ ମଧ୍ୟ ରୋକିବାରେ ବିଫଳ ହେଉଛନ୍ତି। ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବୃକ୍ଷରୋପଣ ହେଉଛି କିନ୍ତୁ ବାସ୍ତବ ଚିତ୍ର କଣ ସମସ୍ତେ ଜାଣନ୍ତି। ବଣଜଙ୍ଗଲ ନଷ୍ଟ ଯୋଗୁ ବନ୍ୟଜନ୍ତୁ ଓ ସରୀସୃପ ଗ୍ରାମମୁଖୀ ହେଉଛନ୍ତି। ଏକଦା ରାୟଗଡା ଜିଲ୍ଲର କାଶୀପୁର ବ୍ଲକ ଥଣ୍ଡା ପରିବେଶ ଓ ପ୍ରାକୃତିକ ସୌନ୍ଦର୍ୟ୍ୟ ପାଇଁ ପ୍ରସିଦ୍ଧ ଥିବା କାଶୀପୁର ଏବେ ଉତ୍ତପ୍ତ ହୋଇଯାଉଥିବାରୁ ଏହାକୁ ନେଇ ପରିବେଶବିତ ମାନେ ଚିନ୍ତା ପ୍ରକଟ କରୁଛନ୍ତି। ବ୍ୟାପକ ଖଣି ଖନନ, ପୋଡୁଚାଷ, ଜଙ୍ଗଲ ଲୁଟ, ରାସ୍ତାଘାଟ ସମ୍ପ୍ରସାରଣ ପାଇଁ ବ୍ୟାପକ ଜଙ୍ଗଲ କଟା, ବୃଦ୍ଧିପାଉଥିବା ଜଙ୍ଗଲ ଜମି ଜବରଦଖଲ ଆଦି କାରଣରୁ ବ୍ଲକର ଜଙ୍ଗଲ ଓ ପରିବେଶ ସଙ୍କଟରେ ରହିଛି। ଏହାର କୁ-ପ୍ରଭାବ ମଣିଷ, ପଶୁପକ୍ଷୀ, ଜୀବଜଗତ ଉପରେ ପଡୁଛି।

ସନ୍ତୁଳିତ ପରିବେଶ ବିଗିଡି ଯାଉଥିବା ବେଳେ ଏହାର ପ୍ରଭାବରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେଉଛି । ବର୍ଷାରେଅନିୟମିତତା, ଆବଶ୍ୟକତା ଠାରୁ କମ ବେଶୀ ବର୍ଷା ଯୋଗୁଁ ଚାଷ ତଥା ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡୁଛି। ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ଆଗଭଳି ଘଞ୍ଚ ଜଙ୍ଗଲ ନାହିଁ। ବହୁ ଝରଣା, ନଦୀନାଳ ଲୁପ୍ତ ହୋଇଯାଉଥିବା ବେଳେ ଅନ୍ୟ ସବୁ ସଙ୍କଟରେ ରହିଛି। ଫଳରେ ଜଳାଭାବ ଦେଖାଦେଉଛି। ପ୍ରାକୃତିକ ଜଙ୍ଗଲକୁ କୃତ୍ରିମ ଜଙ୍ଗଲ ଦ୍ୱାରା ଭରଣା କରାଯାଇପାରୁନାହିଁ। ଫଳରେ ଜଙ୍ଗଲର ଘନତ୍ୱ ହ୍ରାସ ପାଉଛି। ସେହିପରି ଜଙ୍ଗଲର ସୁରକ୍ଷା କରାଗଲେ ପ୍ରାକୃତିକ ଜଙ୍ଗଲ ଆପେ ଆପେ ସୃଷ୍ଟି କରାଯାଇପାରିବ ବୋଲି ପରିବେଶବିତ ମାନେ ମତବ୍ୟକ୍ତ କରୁଛନ୍ତି।ତେବେ ଶତକଥା ଯେ, ଆଜି ବିଶ୍ବ ପରିବେଶ ଦିବସରେ ନିଜକୁ ଜ୍ଞାନୀ ଗୁଣି ଓ ବୁଦ୍ଧିଜୀବୀ ବୋଲାଉଥିବା ମୁଣ୍ଡିଆଳମାନେ ହାତରେ ବ୍ୟାନର ପ୍ଲାକାର୍ଡ ଧରି ମୁଖ୍ୟ ରାସ୍ତାରେ ବୁଲିବେ। ସଚେତନତାର ନାରାବାଜି କରିବେ। ମୁଖ୍ୟ ଅତିଥିମାନଙ୍କ ସହ ଫଟୋ ଉତ୍ତୋଳନ କରିବେ। ଦିବସ ସରିଲେ ସବୁ ଭୁଲିଯାଉଥିବା ଅନେକାଶଂରେ ପରିଲକ୍ଷିତ ହୋଇଛି।

Comments are closed.