ବିଶ୍ବକୁ ମାନ୍ଦାବସ୍ଥା ମାଡ଼

ଦିନକରେ ନିବେଶକ ହରାଇଲେ ୬.୭୧ ଲକ୍ଷ କୋଟି

ନୂଆଦିଲ୍ଲୀ : ବିଶ୍ବକୁ ଏବେ ଘାରିଛି ଗୁରୁତର ଆର୍ଥିକ ମାନ୍ଦାବସ୍ଥା ଡ଼ର। ପ୍ରଥମେ ଏ କ୍ଷେତ୍ରରେ ଅତିମାରୀ କରୋନା ଆଣିଥିଲା ସଙ୍କଟ। ଏବେ ଏହାକୁ ଅଧିକ ଉତ୍କଟ କରିଛି ଗତ ୮୫ ଦିନ ଧରି ଲାଗି ରହିଥିବା ଋଷ-ୟୁକ୍ରେନ ଘମାଘୋଟ ଯୁଦ୍ଧ। ସ୍ଥିତି ଏଭଳି ହୋଇଛି ଯେ ଶାନ୍ତିର ବାଟ ବାହାରିପାରୁନି କି ଯୁଦ୍ଧ ଥମିବାର ନାଁ ନେଉନି। ଅପରପକ୍ଷରେ ଏଥିଯୋଗୁଁ ସାରା ବିଶ୍ୱରେ ଏବେ ଗୁରୁତର ପ୍ରଭାବିତ ହୋଇଛି ଯୋଗାଣ ବ୍ୟବସ୍ଥା। ପେଟ୍ରୋଲଜାତ ସାମଗ୍ରୀଠାରୁ ଆରମ୍ଭ କରି ଖାଇବା ତେଲ, ଅଟା, ଗ୍ୟାସ ଓ ଅନ୍ୟ ସାମଗ୍ରୀ ଯୋଗାଣ ଗୁରୁତର ବାଧାପ୍ରାପ୍ତ ହୋଇଛି। ଏପରି କି ବିତ୍ତଶାଳୀ ରାଷ୍ଟ୍ର ଆମେରିକା ସମେତ ପୂରା ବିଶ୍ୱ ଏବେ ଜଟିଳ ମାନ୍ଦାବସ୍ଥା ଆଡକୁ ମୁହାଁଇଛି। ଭାରତ ମଧ୍ୟ ଏଥିରେ ସଙ୍କଟ ଭିତରକୁ ଠେଲିହୋଇଯାଇଛି। ପରିସ୍ଥିତି ଏଭଳି ଏଥିରୁ ମୁକୁଳିବା କଠିନ ବ୍ୟାପାର। ସାଧାରଣତଃ କୌଣସି ଦେଶର ମୋଟ ଜାତୀୟ ଉତ୍ପାଦ ହାର(ଜିଡିପି) କ୍ରମାଗତ ହ୍ରାସ ପାଇଲେ ତାହାକୁ ଆର୍ଥିକ ମାନ୍ଦାବସ୍ଥା କୁହାଯାଇଥାଏ। ଖୁଚୁରା ବଜାରରେ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତି ବଢିଥାଏ। ଅାର୍ଥିକ ମାନ୍ଦାବସ୍ଥା ପଛରେ ରହିଛି ପ୍ରମୁଖ ୫ଟି କାରଣ। ଅତୀତରେ ଅର୍ଥାତ୍ ୧୯୩୦ରେ ବିଶ୍ୱର ଅତ୍ୟନ୍ତ ଜଟିଳ ମାନ୍ଦାବସ୍ଥା ସୃଷ୍ଟି ହୋଇଥିଲା। ଏପରି କି ନୂତନ ଜ୍ଞାନକୌଶଳର ବଜାର ପ୍ରବେଶ ଓ ଶ୍ରମବଜାରରେ ବେକାରୀ ସମସ୍ୟା ଯୋଗୁଁ ୧୯୯୧ ମସିହାରେ ମଧ୍ୟ ସମୁଚ୍ଚୟ ବିଶ୍ବ ଆର୍ଥିକ ମାନ୍ଦାବସ୍ଥାର ଶିକାର ହୋଇଥିଲା। ଏପରିକି ନିକଟ ଅତୀତରେ ଅର୍ଥାତ୍ ୨୦୦୯ ଓ ୨୦୧୪ରେ ମଧ୍ୟ ବୈଶ୍ବିକ ମାନ୍ଦାବସ୍ଥା ଦେଖାଦେଇଥିଲା। ମାତ୍ର ପରବର୍ତ୍ତୀ ପଦକ୍ଷେପ ଯୋଗୁଁ ଏହି ସ୍ଥିତିକୁ ଭାରତ ସମେତ ବହୁ ରାଷ୍ଟ୍ର ମୁକାବିଲା କରିବାରେ ସମର୍ଥ ହୋଇଥିଲେ। ଏବେ କିନ୍ତୁ ବୈଶ୍ବିକ ସ୍ଥିତି ପୂରା ବଦଳିଯାଇଛି। ୨୦୧୮-୧୯ରୁ ଆରମ୍ଭ ହୋଇଥିବା ଆମେରିକା-ଚୀନ୍‌ ବାଣିଜ୍ୟିକ ଲଢେଇ ଓ ପାରସ୍ପରିକ ବ୍ୟାବସାୟିକ କଟକଣା ଏବଂ ୨୦୧୯ ଡିସେମ୍ବର ଆଡ଼କୁ ମହାମାରୀ କରୋନାର କ୍ରମାଗତ ଲହର ଯୋଗୁଁ ସାରା ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ଖାଇ ଭିତରକୁ ଠେଲି ହୋଇଯାଇଛି। ଏଥିଯୋଗୁଁ ବୈଶ୍ବିକ ସ୍ତରରେ ଦୀର୍ଘଦିନ ଧରି ଲକ୍‌ଡାଉନ୍‌ ଓ ସଟ୍‌ ଡାଉନ୍‌ ଯୋଗୁଁ ଶିଳ୍ପସଂସ୍ଥା ବନ୍ଦ ହେବାରୁ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି।
କରୋନା ସଂକ୍ରମଣ ହ୍ରାସ ପାଇବା ବେଳକୁ ରୁଷ୍‌ର ୟୁକ୍ରେନ୍‌ ଉପରେ ଅଘୋଷିତ ଯୁଦ୍ଧ ଘୋଷଣା ଏବଂ କ୍ରିୟାନ୍ବୟନ ଆର୍ଥିକ ମାନ୍ଦାବସ୍ଥା ସ୍ଥିତି ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଋଷ-ୟୁକ୍ରେନ୍‌ ଯୁଦ୍ଧ କାରଣରୁ ସାରା ବିଶ୍ୱରେ ଅତ୍ୟାବଶ୍ୟକ ସାମଗ୍ରୀର ସଙ୍କଟ ସୃଷ୍ଟି ହୋଇଛି। ରୁଷ୍‌ ସମେତ ନାଟୋ ରାଷ୍ଟ୍ରଙ୍କ ରୁଷ୍‌ ଉପରେ ଆର୍ଥିକ ଓ ବାଣିଜ୍ୟିକ କଟକଣା ତୈଳ ଉତ୍ପାଦନକୁ ପ୍ରଭାବିତ କରିଛି। ଫଳରେ ପେଟ୍ରୋଲ, ଡିଜେଲର ଦରବୃଦ୍ଧି ଯୋଗୁଁ ପରିବହନ ମୂଲ୍ୟ ଅହେତୁକ ବଢିଛି। ଭାରତ ସମେତ ଅଧିକାଂଶ ରାଷ୍ଟ୍ରରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢିଛି। ଭାରତରେ ମୁଦ୍ରାସ୍ଫୀତି ୨୦୨୨ ଆର୍ଥିକ ବର୍ଷରେ ୮.୭ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିୟମ ଅନୁଯାୟୀ ମୁଦ୍ରାସ୍ଫୀତି ସର୍ବାଧିକ ୬ ପ୍ରତିଶତ ମଧ୍ୟରେ ରହିବା କଥା। ଏହି ସୀମା ପର୍ଯ୍ୟନ୍ତ ସ୍ଥିତିକୁ ଆରବିଆଇ ସମ୍ଭାଳିବା କ୍ଷମତା (ଟଲରାନ୍ସ ଲିମିଟ୍‌) ରହିଛି; ମାତ୍ର ଏପ୍ରିଲ ୨୦୨୨ ଅର୍ଥାତ୍ ଚତୁର୍ଥ ତ୍ରୈମାସିକ ସ୍ତରରେ ମୁଦ୍ରାସ୍ଫୀତି ୭.୭୯ ପ୍ରତିଶତରେ ପହଞ୍ଚିବା ଆର୍ଥିକ ମାନ୍ଦାବସ୍ଥାର ଗୁରୁତର ସ୍ଥିତିକୁ ଦର୍ଶାଉଛି। ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସଇ) ଓ ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନଏସଇ) ଭଳି ସେୟାର ବଜାର ନିମ୍ନଗାମୀ ହୋଇଛି। ବୈଶ୍ବିକ ମାନ୍ଦାବସ୍ଥା କାରଣରୁ ଗୁରୁବାର ବିଏସଇର ସମ୍ବେଦୀ ସୂଚକାଙ୍କ ୧୪୧୬ ପଏଣ୍ଟ ଅର୍ଥାତ୍ ୨.୬୧ ପ୍ରତିଶତ ହ୍ରାସ ଓ ନିଫ୍ଟିରେ ୪୩୧ ପଏଣ୍ଟ ଅର୍ଥାତ୍ ୨.୬୫ ପ୍ରତିଶତ ହ୍ରାସ ଘଟିବାରୁ ଦିନକରେ ନିବେଶକମାନେ ୬.୭୧ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। କେବଳ ସେତିକି ନୁହେଁ; ବୈଶ୍ବିକ ସ୍ଥିତିରେ ଏବେ ୧.୬ ଟ୍ରିଲିୟନ୍ ଡଲାର ଆର୍ଥିକ କ୍ଷତି ଘଟିଥିବା ବିଶ୍ବବ୍ୟାଙ୍କ ରିପୋର୍ଟରୁ ଜଣାପଡିଛି।
ଅନୁରୂପ ଭାବେ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ବ୍ୟାପାର ବିଭାଗ ରିପୋର୍ଟର ଆକଳନ କହୁଛି ବୈଶ୍ବିକ ମୁଦ୍ରାସ୍ଫୀତି ୬.୭ ପ୍ରତିଶତ ରହିବ। ୨୦୧୦-୨୦୨୦ ତୁଳନାରେ ଏହା ଦୁଇ ଗୁଣରୁ ଅଧିକ ଆଡ଼କୁ ମୁହାଁଇବା ଉଦ୍‌ବେଗର ବିଷୟ। ଆମେରିକାରେ ମଧ୍ୟ ମୁଦ୍ରାସ୍ପୀତି ହାର ୮.୫ ପ୍ରତିଶତ ରହିଛି; ଯାହାକି ୪୧ ବର୍ଷରେ
ସର୍ବାଧିକ ସ୍ତରରେ ଥିବା ଜଣାପଡିଛି। କରୋନା କାଳରେ ବିଭିନ୍ନ ରାଷ୍ଟ୍ର ଏକାଧିକ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ବଜାରକୁ ପ୍ରଚୁର ଅର୍ଥ ପ୍ରବେଶ କରାଇଥିବାରୁ ସାମଗ୍ରୀଗୁଡିକର ଦରବୃଦ୍ଧି ଘଟିଛି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ଆରବିଆଇ ରେପୋ ରେଟ୍‌ ବଢାଇଥିବାବେଳେ ବ୍ୟାଙ୍କ୍‌ଗୁଡିକ ଜମାସ୍ଥିତିକୁ ବଢାଇବା ଲାଗି ସୁଧହାର ବୃଦ୍ଧି କରିଛନ୍ତି। ମହଙ୍ଗା ମାଡ଼ରୁ ମୁକୁଳିବା ଲାଗି ବ୍ୟାଙ୍କଗୁଡିକ ଏହା କରିଛନ୍ତି। ଏହା ଫଳରେ ବଜାରରୁ ଅଧିକ ଅର୍ଥ ବ୍ୟାଙ୍କ ଜରିଆରେ ପ୍ରବେଶ କରିପାରିବ। କେବଳ ଆରବିଆଇ ନୁହେଁ; ଆମେରିକାର ଫେଡରାଲ ରିଜର୍ଭ ବ୍ୟାଙ୍କ ମଧ୍ୟ ଅନୁରୂପ ପଦକ୍ଷେପ ନେଇଛି। ତେବେ ଏହା ଜମାକାରୀଙ୍କ ଲାଗି ସୁବିଧାଜନକ ଥିଲେ ହେଁ ବ୍ୟାଙ୍କରୁ ଋଣ ନେଇଥିବା ଗ୍ରାହକଙ୍କ ଉପରେ ବୋଝ ବଢାଇବ। କାରଣ କେବଳ ଜମା ନୁହେଁ; ଋଣ କ୍ଷେତ୍ରକୁ ମଧ୍ୟ ଏହି ସୁଧହାର ବୃଦ୍ଧି ପ୍ରଭାବିତ କରିବ। ଏଥିଯୋଗୁଁ ସାଧାରଣ ନାଗରିକଙ୍କଠାରୁ ବଡ଼ ବଡ଼ କର୍ପୋରେଟ୍‌ ହାଉସ୍‌ ମଧ୍ୟ ଅଧିକ ଋଣବାବଦ ଅଧିକ ସୁଧ ଭରିବେ।
ଗୋଟିଏ ପଟେ ଆମେରିକା ଓ ଚୀନ୍‌ ଭଳି ବିକଶିତ ଓ ଭାରତ ପରି ବିକାଶଶୀଳ ରାଷ୍ଟ୍ରଗୁଡିକ ଏଭଳି ସ୍ଥିତିର ସାମ୍ନା କରୁଥିବାବେଳେ ଅତ୍ୟଧିକ ଋଣ ବୋଝ ଯୋଗୁଁ ପଡୋଶୀ ଶ୍ରୀଲଙ୍କା, ପାକିସ୍ତାନ ଓ ନେପାଳ ଭଳି ରାଷ୍ଟ୍ରଗୁଡିକର ଅର୍ଥନୀତି ସଂପୂର୍ଣ୍ଣ ଭୁଶୁଡି ପଡିଛି। ଶ୍ରୀଲଙ୍କାରେ ପରିସ୍ଥିତି ଏଭଳି ହୋଇଛି ଯେ ସେଠାରେ ଗୁରୁତର ଖାଦ୍ୟ, ଇନ୍ଧନ ଓ ଶକ୍ତି ସଙ୍କଟ ସୃଷ୍ଟି ହୋଇଛି।

Comments are closed.