ଆଜି ବିଶ୍ୱ ବ୍ରେଲ୍‍ ଦିବସ, ଦୃଷ୍ଟିହୀନଙ୍କ ପଥପ୍ରଦର୍ଶକ ଲୁଇ ବ୍ରେଲ୍‍

୧୮୦୯ ମସିହା ଜାନୁୟାରୀ ୪ ତାରିଖ ଦିନ ଫ୍ରାନ୍ସର ରାଜଧାନୀ ପ୍ୟାରିସଠାରୁ ପ୍ରାୟ ୨୫ ମାଇଲ ଦୂରରେ କୁବ୍ରେ ନାମକ ଏକ ଗ୍ରାମରେ ଜନ୍ମଲାଭ କରିଥିଲେ ଦୃଷ୍ଟିହୀନ ସମାଜର ପଥପ୍ରଦର୍ଶକ ତଥା ବ୍ରେଲ୍‍ ଲିପିର ସ୍ରଷ୍ଟା ମହାତ୍ମା ଲୁଇ ବ୍ରେଲ୍‍। ପିତା ସାଇମନ ରେନେ ବ୍ରେଲ୍‍ ଏବଂ ମାତା ମୋନିକ ବ୍ରେଲଙ୍କର ଲୁଇ ଥିଲେ ୪ର୍ଥ ଏବଂ ସର୍ବକନିଷ୍ଠ ସନ୍ତାନ। ସର୍ବକନିଷ୍ଠ ସନ୍ତାନ ହେତୁ ପରିବାରର ସମସ୍ତ ସଦସ୍ୟଙ୍କ ଶ୍ରଦ୍ଧାଭାଜନ ହେବା ସହିତ ଭାଇଭଉଣୀଙ୍କ ନିବିଡ଼ ସ୍ନେହର କେନ୍ଦ୍ରବିନ୍ଦୁ ଥିଲେ ଲୁଇ। ଯଦିଓ ସେ ଜନ୍ମରୁ ଦୃଷ୍ଟିହୀନ ନଥିଲେ, କିନ୍ତୁ ୩ ବର୍ଷ ବୟସରେ ନିଜ ପିତାଙ୍କ ଚମଡ଼ା କାରଖାନାରେ ଖେଳୁଥିବା ସମୟରେ ଅସାବଧାନତାବଶତଃ ଏକ ତୀକ୍ଷ୍ଣ ଛୁରି ଦ୍ୱାରା ତାଙ୍କ ବାମ ଆଖି ଆଘାତପ୍ରାପ୍ତ ହେଲା। ଘରୋଇ ଜଡ଼ିବୁଟି ଚିକିତ୍ସା ଦ୍ୱାରା ସେ ଆରୋଗ୍ୟଲାଭ କରିବା ପରିବର୍ତ୍ତେ ଦୃଷ୍ଟିଶକ୍ତି ହରାଇବାକୁ ଲାଗିଲେ। କ୍ରମଶଃ ରୋଗଗ୍ରସ୍ତ ବାମ ଚକ୍ଷୁର ପ୍ରଭାବରେ ଡାହାଣ ଚକ୍ଷୁଟି ସଂକ୍ରମିତ ହେବା ସହିତ ୫ ବର୍ଷ ବୟସ ବେଳକୁ ସେ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ହୋଇଯାଇଥିଲେ।
ଶିଶୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା ପଛରେ ପରିବାରର ଏକ ଗୁରୁତ୍ୱପୂର୍ଣ୍ଣ ଭୂୂମିକା ରହିଛି। ପାରିବାରିକ ସହଯୋଗ ଓ ସମୟୋପଯୋଗୀ ପ୍ରୋତ୍ସାହନ ଦ୍ୱାରା ପ୍ରତ୍ୟେକ ଶିଶୁ ଭବିଷ୍ୟତରେ ଉପଯୁକ୍ତ ନାଗରିକ ହୋଇପାରିଥାନ୍ତି। ସୌଭାଗ୍ୟବଶତଃ ଦୃଷ୍ଟିହୀନ ହେବା ପରେ ମଧ୍ୟ ଲୁଇ ସେପରି ସହଯୋଗ ଓ ସମର୍ଥନ ନିଜ ପରିବାରରୁ ପାଇଥିଲେ। ତାଙ୍କର ପିତାମାତା ହତୋତ୍ସାହିତ ନହୋଇ ତାଙ୍କୁ ଅଧିକରୁ ଅଧିକ ଆତ୍ମନିର୍ଭରଶୀଳ / ସ୍ୱାବଲମ୍ବୀ କରିବାର ଲକ୍ଷ୍ୟ ରଖି ସେଥିପାଇଁ ଯତ୍ନବାନ ହେଲେ। ଭିନ୍ନକ୍ଷମ ଶିଶୁର ଅଭିଭାବକ ଭାବରେ ବ୍ରେଲ୍‍ ଦମ୍ପତିଙ୍କର ଲୁଇଙ୍କ ପ୍ରତି ସହଯୋଗ-ବାସ୍ତବିକ ପ୍ରତ୍ୟେକ ଅଭିଭାବକଙ୍କ ପାଇଁ ପ୍ରେରଣାପ୍ରଦ ତଥା ଅନୁକରଣୀୟ।
ଦୃଷ୍ଟିହୀନ ହେବା ପରେ ଲୁଇଙ୍କର ଶିକ୍ଷା ଆରମ୍ଭ ହୁଏ ନିଜ ଗ୍ରାମର ପାଦ୍ରୀ ଜାକ୍‍କୁଇସ ଫେଲୁଇଙ୍କ ଠାରୁ। ପ୍ରାକୃତିକ ପରିବେଶରେ ଶ୍ରୀ ପେଲୁଇ ତାଙ୍କୁ ବିଭିନ୍ନ ପଶୁ, ପକ୍ଷୀ, ଗଛଲତାଙ୍କ ବିଷୟରେ ଶିକ୍ଷା ଦେବା ଆରମ୍ଭ କଲେ। ପାଦ୍ରୀ ପେଲୁଇଙ୍କର ଉଦ୍ୟମରେ କୁବ୍ରେସ୍ଥିତ ସାଧାରଣ ବିଦ୍ୟାଳୟରେ ଲୁଇ ପାଠ ପଢ଼ିବାର ସୁଯୋଗ ପାଇଥିଲେ। ତତ୍କାଳୀନ ସମାଜରେ ସାଧାରଣ ବିଦ୍ୟାଳୟରେ ଚକ୍ଷୁଷ୍ମାନ୍‍ ସହପାଠୀମାନଙ୍କ ସହିତ ଏକତ୍ର ଶିକ୍ଷାଲାଭ କରିବାର ସୁଯୋଗ ବୋଧହୁଏ ଏକ ବିରଳ ଘଟଣା ଥିଲା। ଖୁବ୍‍ କମ୍‍ ଦିନ ମଧ୍ୟରେ ୮ବର୍ଷର ବାଳକ ଲୁଇ ବିଦ୍ୟାଳୟର ପରିବେଶରେ ନିଜକୁ ଖାପ ଖୁଆଇବା ସହିତ ନିଜର ଶିକ୍ଷାପ୍ରତି ଏକାଗ୍ରତା, ସ୍ୱକୀୟ ମନନଶୀଳତା ତଥା ଅସାଧାରଣ ବୁଦ୍ଧିମତା ଯୋଗୁଁ ଏକ ଶିକ୍ଷାନୁରାଗୀ ଛାତ୍ର ଭାବରେ ପରିଚିତ ହେବା ସହିତ ନିଜ ଶ୍ରେଣୀରେ ଅନ୍ୟ ସହପାଠୀମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଥିଲେ। ଶ୍ରେଣୀ କକ୍ଷରେ ଶିକ୍ଷାଲାଭ ସମୟରେ ଶିକ୍ଷକଙ୍କର ପ୍ରତ୍ୟେକଟି ଶବ୍ଦକୁ ସେ ଧ୍ୟାନର ସହିତ ଶୁଣି ସେହି କଥାବସ୍ତୁକୁ ନିଜ ମନ ମଧ୍ୟରେ ସାଇତି ରଖୁଥିଲେ। ତଥ୍ୟକୁ ଶୀଘ୍ର ତତ୍ତ୍ୱରେ ରୂପାନ୍ତରିତ କରିବାର ଦକ୍ଷତା ସମସ୍ତଙ୍କ ନିକଟରେ ନଥାଏ। ଯେଉଁ କେତେଜଣଙ୍କ ନିକଟରେ ଥାଏ, ସେମାନଙ୍କ ମଧ୍ୟରୁ ବହୁତ କମ୍‍ ବ୍ୟକ୍ତି ସେ ଦକ୍ଷତାର ଠିକ୍‍ ଉପଯୋଗ କରିପାରିଥାନ୍ତି। ପାଦ୍ରୀ ଶ୍ରୀ ପେଲୁଇ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବେଚରେଟଙ୍କର ପରାମର୍ଶକ୍ରମେ ପିତା ସାଇମନ ପ୍ୟାରିସସ୍ଥିତ ସ୍ୱତନ୍ତ୍ର ଦୃଷ୍ଟିହୀନ ବିଦ୍ୟାଳୟରେ ୧୮୧୯ ମସିହା ଫେବୃୟାରୀ ମାସ ୧୫ ତାରିଖରେ ଲୁଇଙ୍କର ନାମ ଲେଖାଇଥିଲେ। ବିଶ୍ୱ ପ୍ରସିଦ୍ଧ ସର୍ବପୁରାତନ ଦୃଷ୍ଟିହୀନ ବିଦ୍ୟାଳୟରେ ଲୁଇ ଯେ କେବଳ ଅଧ୍ୟୟନ କରିଥିଲେ ତାହା ନୁହେଁ, ପରବର୍ତ୍ତୀ ସମୟରେ ଏଠାରେ ଅଧ୍ୟାପନା କରିବା ସହିତ ନିଜର ଅମରକୃତି ‘ବ୍ରେଲ୍‍ ପଦ୍ଧତି’ର ମଧ୍ୟ ଉଦ୍ଭାବନ କରିଥିଲେ। ୧୨ ବର୍ଷର ଜଣେ ବାଳକ ଦୃଷ୍ଟିହୀନ ସମାଜର ଶିକ୍ଷା ନିମନ୍ତେ ଏକ ମହାନ ଲିପିର ଉଦ୍ଭାବନ କରିପାରିବେ ସେଦିନ କେହି ଭାବିନଥିବେ। ‘ଦୁନିଆ ତୁମକୁ ସେହିସବୁ ଦେବ ଯାହା ତୁମେ ଜୀବନରେ ପାଇବାକୁ ଆଶା ରଖିଛ; କିନ୍ତୁ ତା’ ପୂର୍ବରୁ ତୁମେ ନିଜକୁ ସେହିଭଳି ଭାବରେ ସଜାଡ଼ିବାକୁ ପଡ଼ିବ’। ଦୀର୍ଘ ୩ ବର୍ଷର କଠିନ ପରିଶ୍ରମ ଓ ନିରନ୍ତର ସାଧନା ଦ୍ୱାରା ଦୃଷ୍ଟିହୀନମାନଙ୍କ ନିମିତ୍ତ ଏକ ନୂତନ ବର୍ଣ୍ଣମାଳା (ଲିପି) ସୃଷ୍ଟି କରିବାରେ ଶେଷରେ ସେ ସମର୍ଥ ହୋଇଥିଲେ; ଯାହାକି ‘ବ୍ରେଲ୍‍ ପଦ୍ଧତି’ ଭାବରେ ବିଶ୍ୱବିଦିତ।
ଯକ୍ଷ୍ମା ରୋଗରେ ପୀଡ଼ିତ ଲୁଇ ମାତ୍ର ୪୩ ବର୍ଷ ବୟସରେ ଅର୍ଥାତ୍‍ ୧୮୫୨ ମସିହା ଜାନୁୟାରୀ ୬ ତାରିଖ ଦିନ ମୃତ୍ୟୁମୁଖରେ ପଡ଼ନ୍ତି। ଏହା ସଂସାରର ବୈଚିତ୍ର୍ୟ ଯେ, ମୃତ୍ୟୁ ପରେ ହିଁ ଅଧିକାଂଶ ବ୍ୟକ୍ତିଙ୍କର ଆବଶ୍ୟକତା ଓ ମହତ୍ତ୍ୱ ଲୋକେ ଅନୁଭବ କରିଥାନ୍ତି। ମୃତ୍ୟୁର କେତେମାସ ପରେ ପ୍ୟାରିସର ଦୃଷ୍ଟିହୀନ ବିଦ୍ୟାଳୟରେ ତାଙ୍କ ଦ୍ୱାରା ସୃଷ୍ଟି ପଦ୍ଧତିକୁ ନିୟମିତ ତଥା ବିଧିବଦ୍ଧ ଭାବେ ମାନ୍ୟତା ଦିଆଯାଇଥିଲା। ୧୮୫୪ ମସିହାରୁ ପୃଥିବୀର ଅନ୍ୟ ଦେଶମାନଙ୍କରେ ଦୃଷ୍ଟିହୀନଙ୍କ ଶିକ୍ଷା ନିମନ୍ତେ ମଧ୍ୟ ବ୍ରେଲ୍‍ ପଦ୍ଧତି ପ୍ରଚଳନର ଆରମ୍ଭ ହେଲା। ଆଜି ବିଶ୍ୱର ସମସ୍ତ ପ୍ରମୁଖ ଭାଷାରେ ଦୃଷ୍ଟିହୀନମାନଙ୍କ ପାଇଁ ବର୍ଣ୍ଣମାଳା ଉପଲବ୍ଧ। ୧୯୫୧ ମସିହା ଏପ୍ରିଲ ମାସରେ ସମଗ୍ର ଭାରତରେ ଭାରତୀ ବ୍ରେଲର ପ୍ରଚଳନ ଏବଂ ଡ଼େରାଡ଼ୁନ୍‍ ଠାରେ ପ୍ରଥମ ବ୍ରେଲ୍‍ ପ୍ରେସ୍‍ ସ୍ଥାପିତ ହୋଇ ଆମ ରାଷ୍ଟ୍ରର ଦୃଷ୍ଟିହୀନମାନଙ୍କ ପାଇଁ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ଏହି କାଳଜୟୀ ସ୍ରଷ୍ଟାଙ୍କ ଜନ୍ମ ତିଥିକୁ (ଜାନୁୟାରୀ ୪) ‘ବିଶ୍ୱ ବ୍ରେଲ୍‍ ଦିବସ’ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି। ସମଗ୍ର ଦୃଷ୍ଟିହୀନ ସମାଜର ଶିକ୍ଷା ନିମନ୍ତେ ତାଙ୍କର ଅତୁଳନୀୟ ଅବଦାନ ତାଙ୍କୁ ଜନମାନସରେ ଅମର କରି ରଖିଛି।

Comments are closed.