ମହିଳା ସୁରକ୍ଷାରେ ବିଫଳ ପୁଲିସ – ଆଖି ବୁଜିଲେ ମୀନାକ୍ଷୀ

ସମାଜ ପୋର୍ଟାଲ ଡେସ୍କ: ଆତ୍ମାହୁତି ଉଦ୍ୟମ କରି ଡାକ୍ତରଖାନା ଶଯ୍ୟାରେ ଦୀର୍ଘ ୯ ଦିନର ସଂଗ୍ରାମ ପରେ ହାରି ଯାଇଛନ୍ତି ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର। ଗୁରୁବାର ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହେବା ପରେ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି। ମୀନାକ୍ଷୀଙ୍କ ମୃତ୍ୟୁ ବ୍ରହ୍ମପୁର ପୁଲିସ ପାଇଁ ଅପବାଦ ଡାକି ଆଣିଥିବା ବେଳେ ଘଟଣାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଜିଲା ପୁଲିସ ମୁଖ୍ୟାଳୟ ହତା ଭିତରେ ଜଣେ ମହିଳା ନେତ୍ରୀ ଯଦି ଆତ୍ମାହୁତି ଦେଇପାରିଛନ୍ତି ତେବେ ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ପୁଲିସ କେତେ ସଜାଗ ତାକୁ ନେଇ ପ୍ରଶ୍ନ ଉଠିଛି। ନିଜ ପୁଅ ପାଇଁ ନ୍ୟାୟ ମାଗିବାକୁ ବ୍ରହ୍ମପୁର ଏସପିଙ୍କ ନିକଟକୁ ଯାଇ ବିଫଳ ହେବା ପରେ ୧୨ ତାରିଖ ମଧ୍ୟାହ୍ନରେ ମୀନାକ୍ଷୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ବ୍ରହ୍ମପୁର ଏସପିଙ୍କ ପ୍ରକୋଷ୍ଠ ସମ୍ମୁଖ ତଥା ଜିଲା ପୁଲିସ ମୁଖ୍ୟାଳୟ ପରିସରରେ ଏହି ଘଟଣା ଘଟିଥିଲା।

ପୁଲିସଠାରୁ ନ୍ୟାୟ ନପାଇ ବାରମ୍ବାର ନିର୍ୟାତିତ ହୋଇ ମୀନାକ୍ଷୀ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଉଛି। ଯେଉଁ ମୀନାକ୍ଷୀ ଦିନେ ଅନ୍ୟର ବିଗିଡି ଯାଇଥିବା ଘରକୁ ସଜାଡୁଥିଲେ, ମାନସିକ ଭାବେ ବେଶ ଦୃଢ ଥିଲେ ସେ ଆତ୍ମାହୁତି ଦେବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରିନଥିଲେ। ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସବୁ ଦୋଷ ପୁଲିସର ବୋଲି ଅଭିଯୋଗ ହୋଇଥିଲା। ଯଦି ପୁଲିସ ମୀନାକ୍ଷୀଙ୍କ ଅଭିଯୋଗକୁ ପ୍ରଥମରୁ ଶୁଣିଥାନ୍ତା କିମ୍ବା ସେହିଦିନ ଏସପି ମୀନାକ୍ଷୀଙ୍କୁ ସାକ୍ଷାତ କରିବାର ସମୟ ଦେଇଥାନ୍ତେ ତେବେ ଆଜି ମୀନାକ୍ଷୀଙ୍କ ମୃତ୍ୟୁ ହୋଇନଥାନ୍ତା ବୋଲି ସହରରେ ଆଲୋଚନା ଲାଗି ରହିଛି। ଘଟଣା ଦିନ ମୀନାକ୍ଷୀ ନିଜ ଶରୀରରେ ନିଆଁ ଲଗାଇବା ପରେ ପୁଲିସ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ମେଡିକାଲ ଓ ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଥିଲା। ଏସସିବିରେ କିଛିଦିନ ଚିକିତ୍ସିତ ହେବା ପରେ ମିନାକ୍ଷୀଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ହସିପିଟାଲ ନିକଟରେ ବ୍ରହ୍ମପୁର ପୁଲିସ ଜିଲାର ୨ ବରିଷ୍ଠ ଥାନା ଅଧିକାରୀ ମୀନାକ୍ଷୀଙ୍କୁ ହସପିଟାଲରେ ଜଗି ରହିଥିଲେ।

ଏପଟେ ଗଣ୍ଡଗୋଳ ଘଟଣାରେ ଜେଲରେ ଥିବା ମୀନାକ୍ଷୀଙ୍କ ପୁଅ କୃତିବାସ ମିଶ୍ର ଓରଫ ରାଜାକୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ନିଜ ମା’ର ଦେଖାଶୁଣା ପାଇଁ କୋର୍ଟ ଜାମିନ ପ୍ରଦାନ କରିବା ପରେ ରାଜା ହସପିଟାଲରେ ଥିଲେ। ମୀନାକ୍ଷୀଙ୍କୁ ବଞ୍ଚାଇବାକୁ ଶତ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବାରୁ ଆଜି ତାଙ୍କର ମୃତ୍ୟୁ ହୋଇଥିଲା। ମୀନାକ୍ଷୀ ନିଜ ସହ ଦହନୀୟ ପଦାର୍ଥ ଧରି ଏସପିଙ୍କ କାର୍ୟ୍ୟାଳୟ ଭିତରକୁ ଯାଇଥିଲେ ମଧ୍ୟ ତାଙ୍କୁ ମୁଖ୍ୟ ଫାଟକରେ ଯାଞ୍ଚ କରାଯାଇନଥିଲା। ଯାହା ପୁଲିସର ବେପରୁଆ ମନୋଭାବକୁ ପଦାରେ ପକାଇଥିଲା। ଏପଟେ ମୀନାକ୍ଷୀ ଆତ୍ମାହୂତି ଉଦ୍ୟମ କରିଥିବାରୁ ତାଙ୍କ ନାମରେ ବୈଦ୍ୟନାଥପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ତାଙ୍କ ମୃତ୍ୟୁ ପରେ ଏମକେସିଜିର ୩ ଜଣ ଡାକ୍ତର, ଘଟଣା ଦିନ ଏସପିଙ୍କ କାର୍ୟ୍ୟାଳୟକୁ ଅଭିଯୋଗ କରିବାକୁ ଆସିଥିବା ବ୍ରହ୍ମାନଗରର ଦୁଇଜଣ ବ୍ୟକ୍ତିଙ୍କୁ ମିଶାଇ ଏସଡିଜେଏମ କୋର୍ଟରେ ମୋଟ ୫ ଜଣଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି।

ସୂଚନାଯୋଗ୍ୟ, ଜାନୁୟାରୀ ୨୮ ତାରିଖରେ ମୀନାକ୍ଷୀ ଓ ତାଙ୍କ ପୁଅକୁ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିଲେ। ଏହି ମାମଲାରେ ବୈଦ୍ୟନାଥପୁର ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା। ସେହିପରି ଅଭିଯୁକ୍ତଙ୍କ ପକ୍ଷରୁ ଦାୟର ମାମଲାରେ ମୀନାକ୍ଷୀଙ୍କ ପୁଅ କୃତିବାସ ମିଶ୍ର ଓରଫ ରାଜାକୁ ମଧ୍ୟ ଗିରଫ କରାଯାଇଥିଲା। ତେବେ ତାଙ୍କ ପୁଅକୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି ବୋଲି ମୀନାକ୍ଷୀ ଅଭିଯୋଗ କରିଥିଲେ। ଏ ନେଇ ସେ ୬ ତାରିଖରେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ଭେଟି ନ୍ୟାୟ ମାଗିଥିଲେ। କିନ୍ତୁ ତାଙ୍କୁ ନ୍ୟାୟ ମିଳିନଥିଲା। ଏପରିକି ବୈଦ୍ୟନାଥପୁର ଥାନା ପୁଲିସ ତାଙ୍କୁ ନିର୍ୟାତନା ଦେଉଛନ୍ତି ବୋଲି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ମୀନାକ୍ଷୀ ଅଭିଯୋଗ କରିଥିଲେ। ପୁଲିସ ଠାରୁ ନ୍ୟାୟ ନମିଳିଲେ ସେ ଆତ୍ମହୂତି ଦେବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ।

Comments are closed.