ଭିମ୍‌ସାର ମହିଳା ରେଡିଓଗ୍ରାଫରଙ୍କ ପ୍ରଶ୍ନ: ମିଳୁନି ସୁରକ୍ଷା, କେମିତି କରିବୁ ରାତିରେ ଡ୍ୟୁଟି?

ବୁର୍ଲା: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ୍‌ ସାଇନ୍ସ ଆଣ୍ଡ୍‌ ରିସର୍ଚ୍ଚ(ଭିମସାର)ରେ ରେଡିଓଗ୍ରାଫରଙ୍କୁ ରାତି​‌େ​‌ର ଡ୍ୟୁଟି ଦିଆଯାଉଛି। ରାତିରେ ଡ୍ୟୁଟି କରିବାବେଳେ ସେମାନେ ନିଜ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କୁ ରାତ୍ରି ସମୟରେ ଡ୍ୟୁଟି କରୁଥିବାବେଳେ ସୁରକ୍ଷା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।
କୋଭିଡ ୧୯ ସମୟରେ ନୂତନ ଭାବେ ଡ୍ୟୁଟିରେ ଯୋଗଦାନ କରିଥିବା ମହିଳା ରେଡିଓଗ୍ରାଫରଙ୍କୁ ରାତି ସମୟରେ ରେଡିଓଡାଇଗ୍ନୋସିସ୍‌ ବିଭାଗରେ ଡ୍ୟୁଟି ଦିଆଯାଉଛି। ଏଠାରେ ସେମାନଙ୍କୁ ସିଟି ସ୍କାନ୍‌ ଓ ଏକ୍‌ରେ କରିବାକୁ ପଡୁଛି। ରୋଗୀଙ୍କ ସମେତ ବହୁ ଅସାମାଜିକ ବ୍ୟକ୍ତି ସିଟି ସ୍କାନ୍‌ ଓ ଏକ୍ସରେ ପାଇଁ ରେଡିଓଡାଇଗ୍ନୋସିସ୍‌ ବିଭାଗକୁ ଆସିବାକୁ ପଡୁଛି। ରାତିରେ କୌଣସି ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାନଯାଇ ମହିଳା ରେଡିଓଗ୍ରାଫରଙ୍କୁ ଡ୍ୟୁଟି ଦିଆଯାଉଥିବାରୁ ସେମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ମହିଳା ରେଡିଓଗ୍ରାଫରମାନେ ଆଶଙ୍କା ପ୍ରକାଶ କରିଛନ୍ତି। ରାତି ସମୟରେ ଯଦି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଡ଼୍ୟୁଟି କରୁଥିବା ମହିଳା ରେଡିଓଗ୍ରାଫରଙ୍କ ପ୍ରତି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟିହେଲେ ସେଥିପାଇଁ ମେଡିକାଲ କର୍ତ୍ତୃପକ୍ଷ କିମ୍ବା ବିଭାଗ ମୂଖ୍ୟ ଦାୟି ରହିବେ କି ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହି ସେବିକାମାନେ କହିଛନ୍ତି ଯେ ଯଦି କୌଣସି ମହିଳା କର୍ମଚାରୀଙ୍କୁ ରାତି ୮ ଟା ପରେ କର୍ମକ୍ଷେତ୍ରକୁ ଆସିବାକୁ ପଡେ ତାହେଲେ ସମ୍ପୃକ୍ତ ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ କ୍ୟାମ୍ପସ ପର୍ଯ୍ୟନ୍ତ ଯିବାଆସିବା ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ପାଇଁ ନିୟମ ରହିଛି। ମାତ୍ର ବୁର୍ଲା ଭିମସାରରେ ଏହାର ବ୍ୟତିକ୍ରମ ଘଟୁଥିବା ଦେଖିବାକୁ ମିଳିଛି। ରେଡିଓଲୋଜି ବିଭାଗରେ ନୂତନ ଭାବେ କୋଭିଡ-୧୯ ସମୟରେ ନିଯୁକ୍ତି ପାଇଥିବା ସେବିକାଙ୍କୁ ରାତିରେ ଡ୍ୟୁଟି ଦିଆଯାଉଛି। ତେବେ ବୁର୍ଲା ଭଳି ସହରରେ ରାତିରେ ଅସାମାଜିକ ବ୍ୟକ୍ତି ବିଭିନ୍ନ ଛକ ମାନଙ୍କରେ ଆଡ୍ଡା ଜମାଇଥାଆନ୍ତି, ସେହି ପରିସ୍ଥିତିରେ ଡ୍ୟୁଟି ଆସିବା କେତେଦୂର ସୁରକ୍ଷିତ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ରାତି ଡ୍ୟୁଟି ସମୟରେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ରେଡିଓ ଡାଇଗ୍ନୋସିସ୍‌ ବିଭାଗ ମୁଖ୍ୟ ଏବଂ ଅଧୀକ୍ଷକଙ୍କୁ ଜଣାଇଥିଲେ ମଧ୍ୟ ସେଥିରେ କୌଣସି ସୁଫଳ ମିଳୁନାହିଁ। ଏଥିପାଇଁ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଛନ୍ତି। ସେହିପରି କୋଭିଡ ୧୯ ସମୟରେ ନୂତନ ଭାବେ ଡ୍ୟୁଟିରେ ଯୋଗଦାନ ଦେଇଥିବା ସେବିକା ବା ଟେକ୍ନିସିଆନ ମଧ୍ୟ ରାତିରେ ଡ୍ୟୁଟି କରିବା ପାଇଁ ସୁରକ୍ଷା ଯୋଗାଇ ଦେବାକୁ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି। ଏ ସଂକ୍ରାନ୍ତରେ ଭିମସରାର ହସପିଟାଲ ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରା କହିଛନ୍ତି ଯେ ସେବିକାଙ୍କ ଆଲୋଚନା କରାଯିବ ଏବଂ ରାତିରେ ଡ୍ୟୁଟି କରୁଥିବା ସମୟରେ ସେମାନଙ୍କ ସୁରକ୍ଷା ପ୍ରତି ଯଦି କିଛି ଅବହେଳା ହେଉଥିବ ତେବେ ଏଥିପାଇଁ ବ୍ୟବସ୍ଥା କରାଯିବ।

Comments are closed.